ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍ ଏଆଇର ସିଇଓ ପଦରୁ ସାମ୍ ଅଲ୍ଟମ୍ୟାନ୍ ବହିଷ୍କୃତ । ଚାଟ୍ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।
କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।
ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍ ଅଲ୍ଟ୍ମ୍ୟାନ୍ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍ ବ୍ରୋକ୍ମ୍ୟାନ୍ ଇସ୍ତଫା ଦେଇଛନ୍ତି।
୨୦୨୨ରେ ଚାଟ୍ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।