ଆପଲ୍ ୟୁଜର୍ସଙ୍କ ପାଇଁ ସତର୍କ ସୂଚନା: ଆଇଫୋନ୍, ମ୍ୟାକ୍ ଓ ସ୍ମାର୍ଟୱାଚ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ଚେତାବନୀ

ଆପଲ୍ (Apple) ସ୍ମାର୍ଟଫୋନ୍ ଏବଂ ସ୍ମାର୍ଟୱାଚ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In (Indian Computer Emergency Response Team) ପକ୍ଷରୁ ଆପଲ୍ ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରାଯାଇଛି। ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍ ଏବଂ ଆପଲ୍ ୱାଚରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତ୍ରୁଟିକୁ ନେଇ ଏହି ହାଇ-ସିଭିୟରିଟି (High-Severity) ଆଲର୍ଟ ଜାରି କରାଯାଇଛି। ସାଇବର ଆକ୍ରମଣରୁ ବର୍ତ୍ତିବା ପାଇଁ ତୁରନ୍ତ ନିଜ ଡିଭାଇସକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।

କାହିଁକି ଜାରି ହେଲା ଏହି ସତର୍କ ସୂଚନା?

ରିପୋର୍ଟ ଅନୁଯାୟୀ, ଆପଲ୍ ଅପରେଟିଂ ସିଷ୍ଟମର ବିଭିନ୍ନ କମ୍ପୋନେଣ୍ଟରେ ଏକାଧିକ ସୁରକ୍ଷା ତ୍ରୁଟି (Vulnerabilities) ଦେଖିବାକୁ ମିଳିଛି। ଏହି ତ୍ରୁଟିର ଫାଇଦା ଉଠାଇ ହ୍ୟାକର୍ସମାନେ ସହଜରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ କିମ୍ବା ଡିଭାଇସ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିପାରିବେ। ଏହାବ୍ୟତୀତ, ରିମୋଟ୍ କୋଡ୍ ଏକ୍ସିକ୍ୟୁସନ୍ ଜରିଆରେ ବିନା ଅନୁମତିରେ ଅନେକ ମାଲୱେର୍ ଇନଷ୍ଟଲ୍ କରିବାର ଆଶଙ୍କା ରହିଥିବା CERT-In ପକ୍ଷରୁ ସୂଚନା ଦିଆଯାଇଛି।

କେଉଁ ସବୁ ଡିଭାଇସ୍ ଉପରେ ରହିଛି ବିପଦ?

କେବଳ ଆଇଫୋନ୍ (iPhone) ନୁହେଁ, ବରଂ ଆଇପ୍ୟାଡ୍ (iPad), ମ୍ୟାକ୍ ଲାପଟପ୍ (Mac), ଆପଲ୍ ୱାଚ୍ (Apple Watch) ଏବଂ ଭିଜନ୍ ପ୍ରୋ (Vision Pro) ଭଳି ଡିଭାଇସରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ବିଶେଷ କରି ଯେଉଁମାନେ ପୁରୁଣା ସଫ୍ଟୱେର୍ ଭର୍ସନ୍ (ଯେପରିକି ପୁରୁଣା iOS କିମ୍ବା macOS) ବ୍ୟବହାର କରୁଛନ୍ତି, ସେମାନଙ୍କ ଡିଭାଇସ୍ ଅଧିକ ବିପଦରେ ରହିଛି। ଆପଲ୍ ପକ୍ଷରୁ ମଧ୍ୟ ପୁରୁଣା ଅପରେଟିଂ ସିଷ୍ଟମ୍ ବ୍ୟବହାରକାରୀଙ୍କୁ ୱେବ୍-ଆଧାରିତ ଆକ୍ରମଣ ନେଇ ପୂର୍ବରୁ ସତର୍କ କରାଯାଇଥିଲା।

କିପରି ରହିବେ ସୁରକ୍ଷିତ?

ସୁରକ୍ଷା ଦୃଷ୍ଟିରୁ CERT-In ଏବଂ ସାଇବର ବିଶେଷଜ୍ଞଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି:

* ସର୍ବପ୍ରଥମେ ନିଜ ଆପଲ୍ ଡିଭାଇସର ସେଟିଂସକୁ ଯାଇ ସଫ୍ଟୱେର୍ ଅପଡେଟ୍ (Software Update) ଚେକ୍ କରନ୍ତୁ ଏବଂ ତୁରନ୍ତ ନୂଆ ଭର୍ସନକୁ ଅପଡେଟ୍ କରନ୍ତୁ।

* କୌଣସି ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଆସିଥିବା ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଅସୁରକ୍ଷିତ ୱେବସାଇଟ୍ ଭିଜିଟ୍ କରନ୍ତୁ ନାହିଁ।

* କେବଳ ଆପଲ୍ ଆପ୍ ଷ୍ଟୋରରୁ ହିଁ ବିଶ୍ୱସ୍ତ ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ ଏବଂ ନିୟମିତ ଭାବେ ନିଜ ଡାଟାକୁ ବ୍ୟାକ୍ଅପ୍ (Backup) ରଖନ୍ତୁ।

ଆପଲ୍ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଇତିମଧ୍ୟରେ ନୂଆ ସିକ୍ୟୁରିଟି ପ୍ୟାଚ୍ ଜାରି କରାଯାଇସାରିଛି, ତେଣୁ ବିଳମ୍ବ ନକରି ଯଥାଶୀଘ୍ର ଡିଭାଇସ୍ ଅପଡେଟ୍ କରିବା ନିହାତି ଆବଶ୍ୟକ।

About The Author: Suryakanta