ସମ୍ପ୍ରତି ଅନ୍ଲାଇନ୍ ସପିଙ୍ଗ୍ର ଆଦର ବଢ଼ିଛି। ଏହାକୁ ଦୃଷ୍ଟି ଦେଇ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟ ଆଦି ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍ ଦିଆଯାଉଛି। ହାତପାହାନ୍ତରେ ବିଭିନ୍ନ ସାମଗ୍ରୀ ବା ଆଉଟ୍ଫିଟ୍ କିଣିବା ଚକ୍କରରେ ଅଧିକାଂଶ ଲୋକ ଠକେଇର ଶିକାର ହୋଇଯାଆନ୍ତି। ବ୍ୟକ୍ତିଗତ ତଥ୍ୟ ଠକେଇର ମଧ୍ୟ ଶିକାର ହୁଅନ୍ତି। ତେଣୁ ଅନ୍ଲାଇନ୍ ସପିଂ କରିବା ସମୟରେ କିଛି କଥାକୁ ଧ୍ୟାନ ଦେବା ଜରୁରି…
ଅଧିକାଂଶ ବ୍ୟକ୍ତି ଅଫର ଲାଳସାରେ ଅଧିକ ସାମଗ୍ରୀ ଅନଲାଇନରେ ମଗାଇଦିଅନ୍ତି। ହେଲେ ପହଞ୍ଚିଥିବା ପ୍ରକୃତ ସାମଗ୍ରୀକୁ ଦେଖି ଅନେକ ଚିନ୍ତାରେ ପଡ଼ିଯାଆନ୍ତି। ତେଣୁ ସର୍ବଦା ଗୋଟିଏ ସାଇଟ୍ରେ ଉକ୍ତ ସାମଗ୍ରୀ କେବଳ କମ୍ ଦରରେ ମିଳୁଛି ତାହା ନ ଭାବି ଅର୍ଡର କରିବା ସମୟରେ ଅନ୍ୟ ସାଇଟ୍ ଦେଖିବା ଜରୁରି। ପ୍ରଡକ୍ଟର ପ୍ରକୃତ ମୂଲ୍ୟ ଅପେକ୍ଷା ବହୁତ କମ୍ରେ ମିଳୁଥିବାବେଳେ ଏଥିପ୍ରତି ସଚେତନ ରୁହନ୍ତୁ। ପ୍ଲାଟଫର୍ମରେ ଟେକ୍ନିନାଲ ଜନିତ ତ୍ରୁଟି ବିଷୟରେ ଜ୍ଞାନ ରଖିବା ଜରୁରି। ଅନେକ ସମୟରେ ହ୍ବାଟସ୍ଆପ୍ରେ ଆମାଜନ କିମ୍ବା ଫ୍ଲିପକାର୍ଟର ଫେକ୍ ଲିଙ୍କ୍ ଭାଇରାଲ ହୋଇଥାଏ। ଏଥିରେ ରିହାତି ମଧ୍ୟ ଭଲ ରହିଥାଏ। ଏପରି ଲିଙ୍କ୍କୁ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟ ଖାଲି ହୋଇଯାଏ। ଏହି ଲିଙ୍କ୍ଗୁଡ଼ିକ ଏମିତି ଥାଏ, ଯେ ବ୍ୟକ୍ତିଗତ ତଥ୍ୟ,ବ୍ୟାଙ୍କ ବିବରଣୀ ହ୍ୟାକର୍ସଙ୍କ ପାଖକୁ ଯାଇଥାଏ। ଏହାର ବ୍ୟବହାର କରି ସେମାନେ ବ୍ୟାଙ୍କରୁ ସମସ୍ତ ଟଙ୍କା ହଡ଼ପ କରିଥାନ୍ତି।
ଗୋଟିଏ ପ୍ରଡକ୍ଟର ଅନେକ ଭେଣ୍ଡର: ପ୍ରାୟତଃ ଗ୍ରାହକଙ୍କ ଧାରଣା ଥାଏ, ଯେ ଯାହାକି ଅର୍ଡର କରୁଛନ୍ତି ତାହା ଆମାଜନ କିମ୍ବା ଫ୍ଲିପକାର୍ଟରୁ ମଗାଉଛନ୍ତି। କିନ୍ତୁ କିଛି ପ୍ରଡକ୍ଟସ ସ୍ଥାନୀୟ ବ୍ୟବସାୟ ଭଣ୍ଡାରର ହୋଇଥାଏ। ଫଳରେ ଅର୍ଡର କରିବା ସମୟରେ ଯେଉଁ ରିହାତି ବା ଉତ୍ପାଦର ସାମଗ୍ରୀକୁ ଦେଖି କିଣିଥାନ୍ତି, ଏହାର ଗୁଣାତ୍ମକ ମାନ ବହୁତ ଖରାପ ହୋଇଥାଏ। ଠକାମୀରେ ପଡ଼ିପାରନ୍ତି।
ସପିଂ ଠକେଇରୁ ରୁହନ୍ତୁ ସୁରକ୍ଷିତ: ଯେତେବେଳେ ବି ଅନ୍ଲାଇନ୍ ସପିଂ କରୁଛନ୍ତି ଅଯଥା ଲିଙ୍କ୍କୁ ଭରସା କରନ୍ତୁନି। ପ୍ରଥମେ ଭେରିଫିକେସନ କରି ପରେ ଅର୍ଡର କରନ୍ତୁ। ଗୋଟିଏ ପ୍ଲାଟ୍ଫର୍ମରୁ ଗୁରୁତ୍ବ ନଦେଇ ବିଭିନ୍ନ ପ୍ଲାଟଫର୍ମର ସେଲ୍ରେ ପ୍ରଡକ୍ଟ ମୂଲ୍ୟ ଚେକ୍ କରନ୍ତୁ। କେଉଁ ଭେଣ୍ଡର ପକ୍ଷରୁ ସାମଗ୍ରୀ ଅର୍ଡର କରୁଛନ୍ତି, ତାହାର ରିଭ୍ୟୁ ଚେକ୍ କରନ୍ତୁ। କେମିତି ସେବା ଯୋଗାଉଛନ୍ତି, ତାହାକୁ ଧ୍ୟାନ ଦିଅନ୍ତୁ। ଏପରି କରିବା ଦ୍ବାରା ଠକେଇରୁ ବର୍ତ୍ତି ପାରନ୍ତି।