ସେଣ୍ଟ କିଟ୍ସ,: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ବିଜୟ ସହ ୱେଷ୍ଟ ଇଣ୍ଡିଜ ସିରିଜ ବରାବର କରିଛି । ସେଂଟ କିଟ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୫ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ଘରୋଇ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୧-୧ରେ ବରାବର କରିନେଇଛି । ୱେଷ୍ଟଇଣ୍ଡିଜ ଆଗରେ ଭାରତ ମାତ୍ର ୧୩୯ ରନର ଟାର୍ଗେଟ ଦେଇଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୫ ଓ୍ଵିକେଟରେ ୧୪୧ ରନ କରି ବିଜୟୀ ହୋଇଥିଲା ।
ଏହି ମ୍ୟାଚରେ ଟସ୍ ଜିତି ଘରୋଇ ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜବାବରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ଘରୋଇ ଦଳର ବାମହାତୀ ଦ୍ରୁତ ବୋଲର ଓବେଦ ମ୍ୟାକ୍ୟଙ୍କ ବୋଲିଂକୁ ସାମ୍ନା କରି ନ ପାରି ୧୯.୪ ଓଭରରେ ୧୩୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩୧, ରବୀନ୍ଦ୍ର ଜାଡେଜା ୨୭, ଋଷଭ ପନ୍ତ ୨୪, ସୂର୍ଯ୍ୟକୁମାର ୧୧ ଏବଂ ଶ୍ରେୟାସ ଆୟର ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ ଲେଖାଏ କରିଥିଲେ। ଦୀନେଶ କାର୍ତ୍ତିକ ୭, ଅଭସେ ଖାନ ୮ ରନ କରିଥିବାବେଳେ ଅଧିନାୟକ ରୋହିତ୍ ଶର୍ମା ଖାତା ଖୋଲି ପାରି ନ ଥିଲେ। ମ୍ୟାକ୍ୟ ତାଙ୍କ ୪ ଓଭର ସ୍ପେଲରେ ଗୋଟିଏ ମେଡେନ ସହ ୧୭ ରନ ବ୍ୟୟ କରି ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ।
ଜବାବରେ ୱେଷ୍ଟ ଇଣ୍ଡିଜ୍ର ଦୁଇ ଓପନର ବ୍ରାଣ୍ଡନ କିଙ୍ଗ୍ ଓ କେଲି ମେୟର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ୪୬ ରନ୍ ସଂଗ୍ରହ କରିଥିଲେ । ମେୟର୍ସ ବ୍ୟକ୍ତିଗତ ୮ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୂରନ ୧୪(୧ଚୌକା, ୧ଛକା) ରନ୍ କରି ପାଭିଲିୟନ ଫେରିଥିଲେ । ପରେ ପରେ ସିମରନ ହେତମେୟର(୬) ମଧ୍ୟ ପାଭିଲିୟନ ଫେରିଥିଲେ । ହେଲେ ଅନ୍ୟ ଓପନର ବ୍ରାଣ୍ଡନ କିଙ୍ଗ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିତଲେ । ୫୧ଟି ବଲ୍ରୁ ୬୮(୮ଚୌକା, ୨ଛକା) ରନ୍ କରି ଆଉଟ୍ ହେବାକୁ ବେଳକୁ ସେ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ସାରିଥିଲେ ।
ଶେଷ ଓଭରରେ ଘରୋଇ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଭାରତ ପକ୍ଷରୁ ଆଭେଶ ଖାନ୍ ବୋଲିଂ କରୁଥିଲେ । ଆଭେଶଙ୍କ ପ୍ରଥମ ବଲ ନୋ’ ବଲ୍ ହୋଇଥିଲା । ଏହା ପରେ ଫ୍ରି-ହିଟରେ ଡେଭନ୍ ଥୋମାସ ଛକା ମାରିଥିଲେ । ପରବର୍ତୀ ବଲରେ ଚୌକା ମାରି ସେ ଦଳକୁ ଜିତାଇଥିଲେ ।