ପ୍ରୋଭିଡେନ୍ସ,: ୱେଷ୍ଟଇଣ୍ଡିଜ୍ରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ହାରିଯିବା ପରେ ଭ୍ରମଣକାରୀ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜ୍ର ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ଆଜି ଖେଳାଯିବ। ଏହି ମ୍ୟାଚ୍ରେ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍ ବାକିଥାଇ ସିରିଜ୍ ହାରିଯିବ। ଏଣୁ ଏହି ମୁକାବିଲାଟି ଦଳ ଲାଗି କର ଅବା ମର ସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ଜିତିଲେ ସିରିଜ୍ ପରାଜୟରୁ କିଛି ଦିନ ବର୍ତ୍ତିଯିବ କିମ୍ବା ସିରିଜ୍ ଜିତିବା ଲାଗି ସମ୍ଭାବନା ସୃଷ୍ଟି କରିବ। ଅନ୍ୟପକ୍ଷରେ ତୃତୀୟ ଟି-୨୦ରେ ଭାରତ ହାରିଗଲେ ୱେଷ୍ଟଇଣ୍ଡିଜ୍ ୩-୦ ବ୍ୟବଧାନରେ ଆଗୁଆ ସିରିଜ୍ ଜିତିବ। ୨୦୧୬ ପରଠାରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ୍ରେ ଭାରତ ପରାଜିତ ହୋଇ ନାହିଁ। ଏହି ସିରିଜ୍ର ଶେଷ ଦୁଇଟି ମୁକାବିଲା ଆମେରିକାର ଫ୍ଲୋରିଡା ସହରରେ ଅଗଷ୍ଟ ୧୨ ଓ ୧୩ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ରେ ଭାରତ ପରାଜିତ ହେବାର ଅନେକ କାରଣ ରହିଛି। କିନ୍ତୁ ଏହି ଫର୍ମାଟରେ ଭାରତ ଯେପରି ଖେଳିଥାଏ, ତାହା ପ୍ରଥମ ଦୁଇଟି ମ୍ୟାଚ୍ରେ ଦେଖାଇପାରି ନାହିଁ। ଏପରିକି ଦଳ ବ୍ୟାଟିଂରେ କ୍ଲିକ୍ କରୁଛି ନା ବୋଲିଂରେ ନିକୋଲସ ପୂରନଙ୍କୁ ନିୟନ୍ତ୍ରଣରେ ରଖିପାରୁଛି। ସେ ଜଣେ ପେସ୍ ବୋଲର ହୁଅନ୍ତୁ କିମ୍ବା ସ୍ପିନର କୌଣସି ବୋଲର ସେମାନଙ୍କ ନିୟନ୍ତ୍ରଣରେ ନାହାନ୍ତି। ଯାହା ଫଳରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂରେ ଶକ୍ତିଶାଳୀ ହୋଇ ନଥିଲେ ମଧ୍ୟ ଭାତୀୟ ବୋଲିଂକୁ ସେମାନେ ମୁକାବିଲା କରିବାରେ ସମର୍ଥ ହୋଇପାରିଛନ୍ତି। ପାରମ୍ପରିକ ଭାବେ ଭାରତୀୟ ବୋଲିଂ ଦୁର୍ବଳ। ସେମାନେ ନବାଗତ ଖେଳାଳି ହୁଅନ୍ତୁ କିମ୍ବା ଅଭିଜ୍ଞ। କିନ୍ତୁ ଭାରତ ଲାଗି ଅଡୁଆ ପରିସ୍ଥିତି ସୃଷ୍ଠି କରିଛି ବ୍ୟାଟିଂ। ଇଶାନ କିସାନ, ଶୁବମାନ ଗିଲ ଓ ସୂର୍ଯ୍ୟକୁମାରଙ୍କୁ ନେଇ ଗଠିତ ଟପ୍ ଅର୍ଡର ଯେପରି ଫେଲ ମାରୁଛି, ଟେଲ ଏଣ୍ଡରମାନେ ସେହିପରି ସାମାନ୍ୟତମ ପ୍ରଭାବ ପକାଇପାରୁ ନାହାନ୍ତି।
ଦ୍ୱିତୀୟ ଟି-୨୦ ମୁକାବିଲାରେ ହାରିଯିବା ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଥର ପିଚ୍ରେ ଦଳର ବ୍ୟାଟିଂକୁ ପରାଜୟ ଲାଗି ଦାୟୀ କରିଥିଲେ। ଏହା ନିଃସନ୍ଦେହ ଯେ, ଗତ ଦୁଇଟି ଫର୍ମାଟରେ ଖେଳାଯାଇଥିବା ସିରିଜ୍ ଅପେକ୍ଷା ଟି-୨୦ରେ ୱେଷ୍ଟଇଣ୍ଡିଜ୍ର ବୋଲିଂ ବାହିନୀ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ। ଏମାନଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର କ୍ଲିକ୍ କରିପାରୁ ନାହାନ୍ତି। ଘରୋଇ ଦଳର ଶକ୍ତି ହେଉଛି ପେସ ବୋଲିଂ ଓ ଭାରତର ଶକ୍ତି ହେଉଛି ବ୍ୟାଟିଂ। ଖରାପ ବ୍ୟାଟିଂ କରିବା ଫଳରେ ଭାରତ ଦୁଇଟିଯାକ ମ୍ୟାଚ୍ରେ ପରାଜିତ ହୋଇଛି। ଏଣୁ ସିରିଜ୍ ବଞ୍ଚାଇବାକୁ ହେଲେ ପାଣ୍ଡ୍ୟାଙ୍କ ଭାରତୀୟ ଦଳକୁ ତୃତୀୟ ଦିନିକିଆରେ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଦଳର ଦୁଇ ବୋଲର ମୁକେଶ କୁମାର ଅଧିକ ରନ୍ ଦେଇଥିଲାବେଳେ ଅଭିଜ୍ଞ ଚହଲ ରନ୍ ଅଟକାଇବାରେ ସମର୍ଥ ହୋଇପାରୁ ନାହାନ୍ତି। ତୃତୀୟ ଦିନିକିଆରେ ଅକ୍ଷର ପଟେଲଙ୍କୁ ବୋଲିଂ କରିବା ସୁଯୋଗ ମିଳିନି। ଏଭଳି ସ୍ଥିତିରେ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।