ପୁନେ : ପୁଣେରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ଫାଇନାଲରେ ପ୍ରବେଶ କରିଛି ଶକ୍ତିଶାଳୀ ଓଡିଶା ଜଗରନଟ୍ସ। ଆଇପିଏଲ ଫର୍ମାଟରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ, ଆଜିଠୁ ପ୍ଲେଅଫ୍ ପର୍ଯ୍ୟାୟ ଆରମ୍ଭ ହୋଇଛି। ନକଆଉଟ୍ ସୂଚୀ ଅନୁଯାୟୀ ଶୀର୍ଷ ଦୁଇଟି ସ୍ଥାନରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା ଦୁଇ ଟିମ ଗୁଜରାଟ ଜାଏଣ୍ଟ୍ସ(୨୩ ପଏଣ୍ଟ) ଓ ଓଡିଶା ଜଗରନଟ୍ସ(୨୧ ପଏଣ୍ଟ) ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଆଜି ଖେଳାଯାଇଥିଲା। ଏହି ମ୍ୟାଚରେ ବିଜୟ ସହ ଓଡିଶା ଜଗରନଟ୍ସ ଫାଇନାଲରେ ପ୍ରବେଶ କରିଛି।
ପୁନେ’ର ଶ୍ରୀଶିବଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଚାଲିଥିବା ଅଲଟିମେଟ୍ ଖୋ ଖୋ ଲିଗ୍ର ପ୍ରଥମ କ୍ବାଲିଫାୟରରେ ଗୁଜରାଟ ଜାଏଣ୍ଟ୍ସକୁ ୧୪ ପଏଣ୍ଟରେ ପରାସ୍ତ କରି ଫାଇନଲ ଟିକେଟ ହାତେଇଛି ଓଡ଼ିଶା ଜଗରନଟ୍ସ। ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୪୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା ଜଗରନଟ୍ସକୁ ୫୭ ପଏଣ୍ଟ ମିଳିଥିଲା। ସେପ୍ଟେମ୍ବର ୪ ତାରିଖରେ ଗ୍ରାଣ୍ଡ ଫିନାଲେ ଖେଳାଯିବ।
ଏଲିମିନେଟର ମ୍ୟାଚ୍ର ବିଜେତା ଏବଂ ପ୍ରଥମ କ୍ବାଲିଫାୟରର ପରାଜିତ ଦଳ ମଧ୍ୟରେ ଶନିବାର ଦ୍ବିତୀୟ କ୍ବାଲିଫାୟର ଖେଳାଯିବ। ପ୍ରଥମ ଓ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍ର ଦୁଇ ବିଜେତାଙ୍କୁ ନେଇ ମେଗା ଫାଇନାଲ୍ ରବିବାର ଦିନ ଅନୁଷ୍ଠିତ ହେବ। ୬ ଦଳକୁ ନେଇ ଖେଳାଯାଉଥିବା ଏହି ପେସାଦାର ଖୋ ଖୋ ଲିଗ୍ର ଶେଷ ଦୁଇ ସ୍ଥାନରେ ରହି ପୂର୍ବରୁ ମୁମ୍ବାଇ ଖିଲାଡ଼ୀସ୍ ଓ ରାଜସ୍ଥାନ ୱାରିୟର୍ସ ବିଦାୟ ନେଇସାରିଛନ୍ତି।
ଅଲ୍ଟିମେଟ୍ ଖୋ ଖୋ ବିଜେତାଙ୍କୁ ମିଳିବ ୧ କୋଟି
ପୁଣେରେ ଚାଲିଥିବା ଭାରତର ପ୍ରଥମ ଫ୍ରାଞ୍ଚାଇଜ୍ଭିତ୍ତିକ ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ ’ ଗୁରୁବାର ପ୍ରତିଯୋଗିତାର ପୁରସ୍କାର ରାଶି ଘୋଷଣା କରିଛି। ଏହି ପ୍ରଥମ ସଂସ୍କରଣ ପାଇଁ ମୋଟ ୨ କୋଟି ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି। ବିଜେତା ଦଳକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିବାକୁ ଥିଲା ବେଳେ ଉପବିଜେତା ଦଳକୁ ୫୦ ଲକ୍ଷ ଏବଂ ତୃତୀୟ ସ୍ଥାନ ଦଳକୁ ୩୦ ଲକ୍ଷ ଟଙ୍କା ମିଳିବ। ଅବଶିଷ୍ଟ ୨୦ ଲକ୍ଷ ଟଙ୍କା ଅନ୍ୟାନ୍ୟ ପୁରସ୍କାର ବାବଦରେ ବ୍ୟୟ କରାଯିବ। ପ୍ରଥମ ଋତୁର ଏହି ପୁରସ୍କାର ଅର୍ଥ କୌଣସି ଭାରତୀୟ ଅଣଅଲିମ୍ପିକ୍ ଏବଂ ଅଣ କ୍ରିକେଟ୍ ଲିଗ୍ ତୁଳନାରେ ସର୍ବାଧିକ ବୋଲି କୁହାଯାଇଛି। ପୁରସ୍କାର ରାଶି କେବଳ ଦଳକୁ ନୁହେଁ ସମସ୍ତ ଖେଳାଳିଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ସିଇଓ ଏବଂ ଲିଗ୍ କମିଶନର ତେନ୍ଜିଙ୍ଗ୍ ନିୟୋଗୀ।