ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡ଼ା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯ ତାରିଖ)କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ, ୧୯୦୫ରେ ଆହ୍ଲାବାଦରେ ହୋଇଥିଲା। ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ୧୯୨୨ରେ ସେ ସୈନିକ ଭାବେ ବ୍ରିଟିଶ ଭାରତୀୟ ସେନାରେ ସାମିଲ ହୋଇଥିଲେ। ୧୯୨୬ରୁ ୧୯୪୮ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ହକି କ୍ୟାରିୟରରେ ମେଜର ଧ୍ୟାନଚାନ୍ଦ ପାଖାପାଖି ୧୮୫ଟି ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଲଗାତାର ଭାବେ ୧୯୨୮ ର ଆର୍ମଷ୍ଟ୍ରଦାମ ଅଲମ୍ପିକ, ୧୯୩୨ ମସିହାର ଲସଏଞ୍ଜେଲସ ଅଲିମ୍ପିକ୍ସ ଓ ୧୯୩୬ ଜର୍ମାନୀର ବର୍ଲିନ ଅଲିମ୍ପିକ୍ସରେ ଲଗାତାର ଭାବେ କ୍ରୀଡ଼ାଜଗତର ଏହି କିମ୍ବଦନ୍ତୀ ପୁରୁଷ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ।
ଧ୍ୟାନଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ । ସେ ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମ୍ର ଆକର୍ଷଣୀୟ ଖେଳାଳି ଥିଲେ, ଯାହାଙ୍କ ହକି ଷ୍ଟିକ୍କୁ ବିଶ୍ୱର ଖେଳପ୍ରେମୀ ଓ ଖେଳାଳି ନଜର ରଖୁଥିଲେ । ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଲମ୍ପିକ୍ସ ସଂଘ ଧ୍ୟାନଚାନ୍ଦଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ଘୋଷଣା କରିଥିଲା। ହକି ଜଗତରେ ଧ୍ୟାନଚାନ୍ଦ ଏଭଳି ଲୋକପ୍ରିୟତା ହାସଲ କରିଥିଲେ ଯେ ଭିଏନାଠାରେ ତାଙ୍କର ଚାରିଟି ହାତ ଥିବା ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ସେଠାକାର ହକି ପ୍ରେମୀ ବିଶ୍ବାସ କରୁଥିଲେ ଯେ, କୌଣସି ଖେଳାଳି ଦୁଇଟି ହାତରେ ଏଭଳି ଅସାଧାରଣ ହକି ଖେଳି ପାରିବ ନାହିଁ। ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନ୍ ଧ୍ୟାନଚାନ୍ଦଙ୍କ ଖେଳରେ ଖୁବ୍ ପ୍ରଭାବିତ ହୋଇଥିଲେ। ସେଥିପାଇଁ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା କରି ବ୍ରାଡମ୍ୟାନ୍ ଏକଦା କହିଥିଲେ ‘ଧ୍ୟାନଚାନ୍ଦ କ୍ରିକେଟ୍ରେ ରନ୍ କଲା ଭଳି ଗୋଲ୍ କରୁଛନ୍ତି’।
ଭାରତୀୟ ଖେଳକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ।
ଓଡ଼ିଶା ସରକାର କ୍ରୀଡ଼ାକୁ ବିଶେଷଭାବେ ଗୁରୁତ୍ବ ଦେଉଛନ୍ତି । କ୍ରୀଡ଼ା ରୂପାନ୍ତରଣରେ ଓଡ଼ିଶାର ପଦକ୍ଷେପକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏବେ ଦେଶର ସ୍ପୋର୍ଟ୍ସ ହବ୍ ପାଲଟିଛି ଓଡ଼ିଶା । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ ସମସ୍ତଙ୍କର ପ୍ରଶଂସା ସାଉଁଟିଥିଲା ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ରାଜ୍ୟ ପାଇଁ ଗୌରବ ଆଣିଛି । କେବଳ ହକି ନୁହେଁ, ଫୁଟବଲ, ଟେନିସ, ସନ୍ତରଣ, ଜିମ୍ନାସିୟମ୍ ପରି ଅନ୍ତରାଷ୍ଟ୍ରୀୟ ସ୍ତରର କ୍ରୀଡ଼ା ପାଇଁ ଓଡ଼ିଶା ସ୍ପୋର୍ଟ୍ସ ହବ ଭାବେ ପରିଗଣିତ ହେଉଛି ।