ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟ୍ବେଣ୍ଟି-୨୦ : ବ୍ୟାଟିଂ ସୁଧାରିବା ସହ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ପ୍ରୋଭିଡେନ୍ସ (ଗାଏନା) : ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟି-୨୦ ଆଜି ଖେଳାଯିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ସାଧାରଣ ଟାର୍ଗେଟକୁ ଚେଜ୍ କରିବାରେ ବିଫଳ ହେବା ପରେ ଭାରତୀୟ ଦଳର ନାମୀଦାମୀ ଆଇପିଏଲ୍ ତାରକାଙ୍କ ବିଶ୍ୱସନୀୟତାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଭାରତ ନିଜର ବ୍ୟାଟିଂ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଶତଚେଷ୍ଟା କରିବ। […]

ପ୍ରୋଭିଡେନ୍ସ (ଗାଏନା) : ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିତୀୟ ଟି-୨୦ ଆଜି ଖେଳାଯିବ । ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ସାଧାରଣ ଟାର୍ଗେଟକୁ ଚେଜ୍ କରିବାରେ ବିଫଳ ହେବା ପରେ ଭାରତୀୟ ଦଳର ନାମୀଦାମୀ ଆଇପିଏଲ୍ ତାରକାଙ୍କ ବିଶ୍ୱସନୀୟତାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଭାରତ ନିଜର ବ୍ୟାଟିଂ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଶତଚେଷ୍ଟା କରିବ।

ତୌରବାର ଧିମା ପିଚ୍‌ରେ ଇଣ୍ଡିଜ୍‌ ବୋଲିଂକୁ ସମ୍ନା କରିବାରେ ବିଫଳ ହୋଇଥିଲେ। ହେଲେ ଇଣ୍ଡିଜ୍‌ ଉଭୟ ବ୍ୟାଟିଂ ଓ ବୋଲିଂରେ ସୁନ୍ଦର ପ୍ରଦର୍ଶନ ସହ ମ୍ୟାଚ୍‌କୁ ୪ ରନ୍‌ରେ ଜିତିନେଇଥିଲା। ଦିନିକିଆ ବିଶ୍ବକପ୍‌ ବର୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ସେପରି ମହତ୍ବ ନାହିଁ। କିନ୍ତୁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏବଂ ଉପ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ। କାରଣ ଉଭୟ ‌ବିଶ୍ବକପ୍‌ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ ରଖିଛନ୍ତି। ଏମାନଙ୍କ ସହ ଈଶାନ କିଶନ, ଶୁବମନ ଗିଲ୍‌ ଓ ସଂଜୁ ସାମସନ ମଧ୍ୟ ବିଶ୍ବକପ୍‌କୁ ନଜରରେ ରଖିଛନ୍ତି। ଭଲ ସ୍କୋର୍‌ କଲେ ଏସିଆ କପ୍‌ ପୂର୍ବରୁ ଏମା‌ନଙ୍କ ମନୋବଳ ଦୃଢ଼ ରହିବ।

ଆନ୍ତର୍ଜାତୀୟ ଡେବୁଟାଣ୍ଟ ତିଳକ ବର୍ମା (୨୨ଟି ବଲରୁ ୩୯)ଙ୍କୁ ଛାଡି ଭାରତର କୌଣସି ଆଇପିଏଲ ତାରକା ପ୍ରଥମ ଟି-୨୦ରେ ପ୍ରଭାବିତ କରିପାରିନଥିଲେ । ନଅ ଦିନ ମଧ୍ୟରେ ତିନୋଟି ଦେଶରେ (ତ୍ରିନିଦାଦ ଏବଂ ଟୋବାଗୋ, ଗାଏନା ଏବଂ ଆମେରିକା) ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳାଯିବ । ତେଣୁ ହାର୍ଦ୍ଦିକ, ଗିଲ୍, ଇଶାନ, ସ୍ପିନର କୁଲଦୀପ ଯାଦବଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଆବଶ୍ୟକ। ଯଦିଓ ଟି-୨୦ ଦଳରେ ଯୁବ ଖେଳାଳି ଅଛନ୍ତି, ଏତେ ଯାତ୍ରା କରିବା ଏବଂ ବିଶ୍ରାମ ନକରି ବାଉନ୍ସି ପିଚ୍ ଉପରେ କ୍ରମାଗତ ଖେଳିବା ଭଲ ନୁହେଁ।

ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ସହିତ ଏହି ସିରିଜ୍ ଭାରତକୁ ଛୋଟ ଫର୍ମାଟରେ ନିଜ ବିକଳ୍ପ ସନ୍ଧାନ କରିବର ସୁଯୋଗ ଦେଇଛି । ଏଭଳି ପରିସ୍ଥିତିରେ ଆଇପିଏଲ୍ ତାରକା ଯଶସ୍ବୀ ଜୈସୱାଲଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇପାରେ। ବ୍ୟାଟ୍ସମ୍ୟାନଙ୍କ ସହ ଭଲ ପ୍ରଦର୍ଶନ କରିବା ଭାରତର ପ୍ରାଥମିକତା ହେବ। ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ୧୧ ଟି-୨୦ ମ୍ୟାଚ୍ ମଧ୍ୟରୁ ତିନୋଟି ବର୍ଷାରେ ଧୋଇ ହୋଇଯାଇଥିବା ବେଳେ ଆୟୋଜକମାନେ ଆଠଟି ମଧ୍ୟରୁ ପାଞ୍ଚଟି ହାରିଯାଇଛନ୍ତି ।

ଟେଷ୍ଟ ଏବଂ ଦିନିକିଆରେ ଖରାପ ପର୍ଯ୍ୟାୟ ସତ୍ତ୍ୱେ ଇଣ୍ଡିଜ୍ ଦଳ ଟି-୨୦ରେ ଶକ୍ତିଶାଳୀ କାରଣ ସେମାନଙ୍କର ଅନେକ ବଡ଼ ହିଟର୍ ଅଛନ୍ତି । ନିକୋଲାସ୍ ପୁରାନ୍, କାଇଲ୍ ମାୟର୍ସ, ଶିମ୍ରନ୍ ହେଟମାୟର୍, ରୋଭମାନ୍ ପାୱେଲ୍, ରୋମାରିଓ ଶେଫର୍ଡଙ୍କ ରୋକିବା କଷ୍ଟକର ହେବ । ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତ ପାଇଁ ଏକ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ଏଥି ସହିତ ସାମସନ୍ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ପ୍ରତିଭାକୁ ନ୍ୟାୟ ଦେବାରେ ସକ୍ଷମ ହୋଇ ନାହାଁନ୍ତି। ବୋଲରଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଦିନିକିଆରେ ସୁଯୋଗ ପାଇପାରିନଥିଲେ ଏବଂ ଟି-୨୦ରେ ତାଙ୍କର ମୂଲ୍ୟ ପ୍ରମାଣ କରିବାକୁ ଚାହାଁନ୍ତି। ଅର୍ଶଦୀପ ସିଂ ଏବେ ମଧ୍ୟ ଡେଥ୍ ଓଭରରେ ବୋଲିଂ କଳା ଶିଖୁଛନ୍ତି। ଆବେଶ ଖାନ୍ ଓ ଉମ୍ରାନ ମଲିକଙ୍କୁ ମଧ୍ୟ ସୁଯୋଗ ଦିଆଯିବା ଉଚିତ ଯାହା ଫଳରେ ସେମାନେ ବାଉନ୍ସି ପିଚରେ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହେଉଛନ୍ତି କି ନାହିଁ ଜଣାପଡ଼ିବ ।

About The Author: The Sakala