ଆଇପିଏଲ୍: ମୁମ୍ବଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବୁମ୍‌ରାଙ୍କୁ ଦାୟୀ କଲେ ସୁନୀଲ ଗାଭାସ୍କର

ଚଳିତ ଆଇପିଏଲ୍‌ (IPL) ସଂସ୍କରଣରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବଇ ଇଣ୍ଡିଆନ୍ସ ପ୍ଲେ-ଅଫ୍ ଦୌଡ଼ରୁ ପ୍ରାୟତଃ ବାଦ୍ ପଡ଼ିବା ଦ୍ୱାରଦେଶରେ ପହଞ୍ଚିଛି। ଦଳ ଏପର୍ଯ୍ୟନ୍ତ ଖେଳିଥିବା ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ଏହିଭଳି ଏକ ଶକ୍ତିଶାଳୀ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଦାୟୀ କରିଛନ୍ତି।

ବୁମ୍‌ରାଙ୍କ ନୈରାଶ୍ୟଜନକ ଫର୍ମ

ବିଶ୍ୱର ଯେକୌଣସି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ୱଂସ କରିବାର କ୍ଷମତା ରଖିଥିବା ଯଶପ୍ରୀତ ବୁମ୍‌ରା ଚଳିତ ସିଜିନ୍‌ରେ ନିଜ ଲୟ ହରାଇଥିବା ଦେଖିବାକୁ ମିଳିଛି। ଏବେ ସୁଦ୍ଧା ଖେଳିଥିବା ୧୦ଟି ମ୍ୟାଚ୍‌ରୁ ସେ ୩୨୯ ରନ୍ ବ୍ୟୟ କରି ମାତ୍ର ୩ଟି ୱିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି। ତାଙ୍କର ଇକୋନୋମି ରେଟ୍ ମଧ୍ୟ ବୃଦ୍ଧି ପାଇ ଓଭର ପିଛା ୮.୮୯ ରନ୍ ରହିଛି। କୌଣସି ଚମତ୍କାର ହିଁ ମୁମ୍ବଇକୁ ଏବେ ପ୍ଲେ-ଅଫ୍ ଟିକେଟ୍ ଦେଇପାରିବ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ଦେଉଛନ୍ତି।

ନୋ-ବଲ୍ ପକାଇବା ଅକ୍ଷମଣୀୟ ଅପରାଧ

ଗତ ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ରେ ବୁମ୍‌ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା। ସେ ନିଜର ୪ ଓଭର ସ୍ପେଲ୍‌ରେ ୪୫ ରନ୍ ଦେଇ ଗୋଟିଏ ବି ୱିକେଟ୍ ନେଇପାରିନଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମ୍ୟାଚ୍‌ରେ ସେ ମୋଟ ୩ଟି ନୋ-ବଲ୍ ପକାଇଥିଲେ, ଯେଉଁଥିରୁ ଗୋଟିଏ ଓଭରରେ ହିଁ ୨ଟି ନୋ-ବଲ୍ ସାମିଲ ଥିଲା। ଏହି ତ୍ରୁଟିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ସୁନୀଲ ଗାଭାସ୍କର। ସେ କହିଛନ୍ତି ଯେ, 'ମୋତେ କୁହନ୍ତୁ ନାହିଁ ଯେ ବୁମ୍‌ରା ନୋ-ବଲ୍ ପକାଇଛନ୍ତି। ବୁମ୍‌ରାଙ୍କ ଭଳି ଜଣେ ପେସାଦାର କ୍ରିକେଟର ନୋ-ବଲ୍ ପକାଇବା ଆଦୌ ଗ୍ରହଣୀୟ ନୁହେଁ। ଟି-୨୦ ଫର୍ମାଟ୍‌ରେ ନୋ-ବଲ୍ ପକାଇବା ଏକ ଅକ୍ଷମଣୀୟ ତ୍ରୁଟି।'

About The Author: Suryakanta