ଗକେବେରା: ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଭାରତ ମଧ୍ୟରେ ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଡର୍ବାନରେ ବର୍ଷା ଓ ଓଦା ପଡିଆ କାରଣରୁ ରବିବାର ପ୍ରଥମ ଟି-୨୦ ଧୋଇଯିବା କାରଣରୁ ଏହି ମ୍ୟାଚ୍ର ଗୁରୁତ୍ୱ ବଢିଯାଇଛି । ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ଜିତିବାକୁ ହେଲେ ବିଜୟ ଜରୁରୀ ବୋଲି ଉଭୟ ଦଳ ହୃଦୟଙ୍ଗମ କରିଥିବେ । ଫଳରେ ଏହି ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ । ଜୁ୍ନରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଏହି ବିଶ୍ୱକପ୍ ପୂର୍ବରୁ ଭାରତକୁ ମାତ୍ର ୫ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ । ଉଭୟ ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଟର ଓ ବୋଲରମାନେ ଅଧିକ କିଛି କରି ଦେଖାଇବେ ବୋଲି ଆଶା କରାଯାଉଛି । ଆଗକୁ ଆଇପିଏଲ ଖେଳାଳି ନିଲାମୀ ରହିଥିବାରୁ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ନିଜର ମୂଲ୍ୟ ବଢାଇବାକୁ ପ୍ରୟାସ କରିବେ । ବୋଲିଂ, ବ୍ୟାଟିଂରେ ଉଭୟ ଦଳରେ ପ୍ରତିଭାସମ୍ପର୍ଣ୍ଣ ଖେଳାଳିମାନେ ରହିଛନ୍ତି ।
ପୁଣି ବର୍ଷା ଆଶଙ୍କା
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ତେଣୁ ପାଗ ଉପରେ ସମସ୍ତଙ୍କ ନଜର ରହିଛି । ଦକ୍ଷିଣ ଆଫ୍ରିକାରେ ଭାରତର ଟି-୨୦ ପ୍ରଦର୍ଶନ ଭଲ ରହିଛି । ବ୍ୟାଟର ରିଙ୍କୁ ସିଂ ଓ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଉପରେ ସମସ୍ତଙ୍କ ନଜରରେ ରହିଛନ୍ତି । ଏହି ପିଚ୍ରେ ଦ୍ରୁତ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିବ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମ୍ଦାର ପ୍ରଦର୍ଶନ କରି ଭାରତ ୪-୧ରେ ସିରିଜ ବିଜୟୀ ହୋଇଥିଲା । ପୁଣି ଥରେ ଏହି ପ୍ରଦର୍ଶନକୁ ଭାରତ ଦୋହରାଇବ ବୋଲି ଆଶା କରାଯାଉଛି ।
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍ ସିରାଜ, ମୁକେଶ କୁମାର ଓ ଦୀପକ ଚହର ।
ଦକ୍ଷିଣ ଆଫ୍ରିକା: ଆଇଡେନ୍ ମାର୍କରାମ (ଅଧିନାୟକ), ଓଟ୍ଟନିଏଲ ବାର୍ଟମ୍ୟାନ୍, ମାଥ୍ୟୁ ବ୍ରିଜ୍କେ, ନାନ୍ଦ୍ରେ ବର୍ଗର, ଜେରାଲ୍ଡ କୋଏଜୀ, ଡୋନୋଭାନ ଫେରେରା, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ଜାନ୍ସେନ, ହେନରିକ୍ କ୍ଲାସେନ, କେଶବ ମହାରାଜ, ଡେଭିଡ୍ ମିଲର, ଆନ୍ଦିଲ ଫେଲୁକୱାଅ, ତାବ୍ରେଜ ସାମ୍ସୀ, ଟ୍ରିଷ୍ଟାନ ଷ୍ଟବ୍ସ ଓ ଲିଜାଡ ୱଲିୟମ୍ସ ।
ଖେଳ ଆରମ୍ଭ : ରାତି ୮ଟା ୩୦
ସ୍ଥାନ: ଗକେବେରା
ପ୍ରସାରଣ : ଷ୍ଟାର ସ୍ପୋର୍ଟ୍ସ, ହଟ୍ ଷ୍ଟାର