କିଙ୍ଗସମେଡ୍: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆସନ୍ତାକାଲି ବା ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ। ଉଭୟ ପ୍ରତିଦ୍ୱନ୍ଦ୍ୱୀ ଦଳ ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିଥିଲେ। ଏଥିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ପରେ ଉଭୟ ଦଳର କିଛି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଓ ଆଉ କିଛି ଖେଳାଳିଙ୍କୁ ଅବସର କିମ୍ବା ବିଶ୍ରାମ ଦିଆଯାଇଛି। ନୂଆ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ଗତ କିଛି ମ୍ୟାଚରେ ସୁଯୋଗ ଦେଇଛି। ଅଧିନାୟକ ଆଇଡେନ୍ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିଜା ହେଣ୍ଡ୍ରିକ୍ସ ବିଶ୍ୱକପ୍ ଦଳରୁ ତିଷ୍ଠି ରହିଛନ୍ତି। ଏହା ପରେ ଭାରତ ବିପକ୍ଷ ସିରିଜ୍ ଲାଗି ଟି-୨୦ ବିଶେଷଜ୍ଞଙ୍କୁ ଦଳରେ ସାମିଲ କରିବା ଫଳରେ ଘରୋଇ ଦଳର ଶକ୍ତିବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବିଶ୍ୱକପ୍ ଖେଳିଥିବା ଭାରତୀୟ ଦଳରୁ ମାତ୍ର ୪ଜଣ ଯଥା ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ବର୍ତ୍ତମାନ ଖେଳିବାକୁ ଆସିଥିବା ଭାରତୀୟ ଦଳରେ ତିଷ୍ଠି ରହିଛନ୍ତି। ଏହି ସିରିଜ୍ର ଅନ୍ୟ ମ୍ୟାଚ୍ ଗୁଡିକ ନଭେମ୍ବର ୧୦, ୧୩ ଓ ୧୫ରେ ଖେଳାଯିବ।
ଟି-୨୦ ବିଶ୍ୱକପ୍ ପରେ ଦକ୍ଷିଣ ଆଫ୍ରିକା ଖେଳିଥିବା ଶେଷ ୬ଟି ମ୍ୟାଚ୍ରୁ ୫ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଭାରତ ୧୨ଟି ମ୍ୟାଚ୍ ଖେଳି ମାତ୍ର ଗୋଟିକରେ ହାରିଛି। ନିକଟରେ ନ୍ୟୁଜିଲାଣ୍ଡ ନିକଟରୁ ୩-୦ରେ ଟେଷ୍ଟ ସିରିଜ୍ ହାରିଥିଲା ଭାରତ। ଏହାର କୌଣସି ସିଧାସଳଖ ପ୍ରଭାବ ଏହି ଟି-୨୦ ଭାରତୀୟ ଦଳ ଉପରେ ପଡ଼ିବ ନାହିଁ। ଟେଷ୍ଟ ଦଳରେ ସାମିଲ ଥିବା ଓ ଗୋଟିଏ ହେଲେ ମ୍ୟାଚ୍ ଖେଳି ନ ଥିବା ଅକ୍ଷର ପଟେଲ ଦକ୍ଷିଣ ଆଫ୍ରିକାରେ ଖେଳିବେ। ସେହିପରି ଭାରତୀୟ ଖେଳାଳିଙ୍କ ଆଉ ଏକ ଚାପ ହେଲା ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ୍ ନିଲାମୀ। ଭାରତୀୟ ଦଳରେ ସାମିଲ ଥିବା ୧୫ଜଣ ଖେଳାଳିଙ୍କ ମଧ୍ୟରୁ ୧୧ଜଣଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍ ରିଟେନ କରିଛନ୍ତି। ଏଣୁ ଖେଳାଳିମାନେ ଚାପରେ ରହିବେ ନାହିଁ। ଭାରତ ଏକ ଟି-୨୦ ସ୍ପେଶାଲିଷ୍ଟ ଦଳ ପଠାଇଥିବାରୁ ଏଠାରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରିବା ସ୍ୱାଭାବିକ୍।
ଖେଳ ଆରମ୍ଭ: ରାତି ୮ଟା ୩୦
ପ୍ରସାରଣ: ସ୍ପୋର୍ଟ୍ସ ୧୮, ଜିଓ ସିନେମା
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟରକ୍ଷକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ଜିତେଶ ଶର୍ମା (ୱିକେଟରକ୍ଷକ), ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟକୁମାର ବ୍ୟାସକ, ଆଭେଷ ଖାନ୍ ଓ ୟଶ ଦୟାଲ।
ଦକ୍ଷିଣ ଆଫ୍ରିକା : ଆଇଡେନ୍ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ୍ କ୍ଲାସେନ, ଟ୍ରିଷ୍ଟାନ ଷ୍ଟବ୍ସ, ଓଟ୍ଟନିଲ ବାର୍ଟମ୍ୟାନ୍, ଗେରାଲ୍ଡ କୋଏଜି, ଡୋନୋଭାନ ଫେରେରା, ମାର୍କୋ ଜାନସେନ୍, ପ୍ୟାଟ୍ରିକ୍ କ୍ରୁଗର, କେଶବ ମହାରାଜ, ଡେଭିଡ ମିଲର, ମିହଲାଇ ପୋଙ୍ଗୱାନା, ନକ୍ବା ପିଟର,ରନ୍ ରିକେଲଟନ, ଆନ୍ଦିଲ ସିମେଲାନେ, ଲୁଥୋ ସିପ୍ମ୍ଲା।