ପ୍ରଥମ ଟି-୨୦ରେ ଇଂଲଣ୍ଡ ବିଜୟୀ

ଅହମ୍ମଦାବାଦ୍‍: ଜୋଫ୍ରା ଆର୍ଚର ଓ ଅନ୍ୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଏଠାରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ ମୁକାବିଲାରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୨୪ ରନ୍‍ କରିଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୬୭ ରନ୍‍ କରିଥିଲେ। ଭ୍ରମଣକାରୀ ଦଳର ଆର୍ଚରଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା। ଜବାବରେ ଇଂଲଣ୍ଡ ୧୫.୩ ଓଭରରେ […]

ଅହମ୍ମଦାବାଦ୍‍: ଜୋଫ୍ରା ଆର୍ଚର ଓ ଅନ୍ୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଏଠାରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି-୨୦ ମୁକାବିଲାରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୨୪ ରନ୍‍ କରିଥିଲା। ଭାରତ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୬୭ ରନ୍‍ କରିଥିଲେ। ଭ୍ରମଣକାରୀ ଦଳର ଆର୍ଚରଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିଲା। ଜବାବରେ ଇଂଲଣ୍ଡ ୧୫.୩ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଦଳ ପକ୍ଷରୁ ଜେସନ ରୟ ସର୍ବାଧିକ ୪୯, ଜୋସ୍‍ ବଟ୍ଟଲର ୨୮ ରନ୍‍ କରିଥିଲେ। ଜନ୍ନି ବେୟାରଷ୍ଟୋ ୨୬ ଓ ଡାୱିଡ ମଲାନ ୨୪ ରନ୍‍ରେ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା। ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଏହିଠାରେ ରବିବାର ଖେଳାଯିବ।

ଏହି ମ୍ୟାଚ୍‍ରେ ଇଂଲଣ୍ଡ ବୋଲରଙ୍କ କରିଶ୍ମା ବଳରେ ଭାରତ ୨୦ ରନ୍‍ରେ ୩ଜଣ ଶୀର୍ଷ ବ୍ୟାଟ୍ସମ୍ୟାନ ରାହୁଲ (୧), ଧାୱନ (୪) ଓ କୋହଲି (୦)ଙ୍କୁ ହରାଇଥିଲା। ନଂ-୪ରେ ଋଷଭ ପନ୍ତ୍‍ଙ୍କ ସହ ବ୍ୟାଟିଂ କରିବାକୁ ଆସିବା ପରେ ଶ୍ରେୟସ ଆୟର ଇନିଂସ ସଜାଡିଥିଲେ। ସେ ପନ୍ତ୍‍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭଲ ପାର୍ଟନରଶିପ୍‍ କରିଥିଲେ ମଧ୍ୟ ତାହା ଦଳକୁ ଏକ ବଡ ସ୍କୋର ଦେଇ ପାରି ନଥିଲା। ସେ ୪୮ ବଲ୍‍ରେ ୮ ଚୌକା ଓ ୧ଛକା ସହ ୬୭, ପନ୍ତ୍‍ ୨୧ ଓ ପାଣ୍ଡ୍ୟା ୧୯ ରନ୍‍ କରି ଭାରତ ପକ୍ଷରୁ ଦୁଇ ଅଙ୍କ ଛୁଇଁଥିଲେ। ଆର୍ଚରଙ୍କ ବ୍ୟତୀତ ରଶିଦ୍‍, ମାର୍କ ଉଡ୍‍, କ୍ରିସ୍‍ ଜୋର୍ଡାନ ଓ ବେନ୍‍ ଷ୍ଟୋକ୍ସଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

କୋହଲି ସର୍ବାଧିକ ଶୂନରେ ଆଉଟ୍‍
ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ସର୍ବାଧିକଥର ଶୂନରେ ଆଉଟ୍‍ ହୋଇଥିବା ଭାରତୀୟ ଅଧିନାୟକ ହୋଇଛନ୍ତି କୋହଲି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‍ରେ ସେ ଖାତା ଖୋଲିବା ପୂର୍ବରୁ ଆଉଟ୍‍ ହୋଇଥିଲେ। ଟି-୨୦ରେ ଏହା ତାଙ୍କର ୩ୟ ଓ ମୋଟ୍‍ରେ ୩ଟି ଯାକ ଫର୍ମାଟ୍‍ରେ ଭାରତ ପକ୍ଷରୁ ସର୍ବାଧÒକ ୧୪ଥର ଶୂନରେ ଆଉଟ୍‌ ହୋଇଛନ୍ତି।

ୟୁଜବେନ୍ଦ୍ର ଚହଲ ନଂ.୧
ୟୁଜବେନ୍ଦ୍ର ଚହଲ ଟି-୨୦ କ୍ରିକେଟ୍‍ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ହୋଇଛନ୍ତି। ଶୁକ୍ରବାର ଜୋଶ୍‍ ବଟ୍‍ଲରଙ୍କୁ ଆଉଟ୍‍ କରି ଟି-୨୦ରେ ସେ ୬୦ ୱିକେଟ୍‍ ଅକ୍ତିଆର କରିଛନ୍ତି। ଏହିକ୍ରମରେ ସେ ତାଙ୍କ ୧୦୦ତମ ମ୍ୟାଚ୍‌ରେ ଯଶପ୍ରୀତ୍‍ ବୁମ୍‍ରା (୫୯ ୱିକେଟ୍‍)ଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ ଶର୍ମାଙ୍କୁ ବିଶ୍ରାମ
ଏହି ମ୍ୟାଚ୍‍ ଲାଗି ଚୂଡାନ୍ତ ହୋଇଥିବା ଭାରତୀୟ ଦଳରେ ଉପଅଧିନାୟକ ରୋହିତ ଶର୍ମାଙ୍କୁ ବାଦ୍‍ ଦିଆଯାଇଥିଲା। ରୋହିତ ଶର୍ମା ଓ ଲୋକେଶ ରାହୁଲ ଇନିଂସ ଓପନ କରିବେ ବୋଲି ମ୍ୟାଚ୍‍ ପୂର୍ବଦିନ ଅର୍ଥାତ୍‍ ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରକାଶ କରିଥିଲେ। ଟିମ୍‍ ଚୟନ କରାଯିବା ପରେ ସେ କହିଲେ, ରୋହିତଙ୍କୁ ପ୍ରଥମ କିଛି ମ୍ୟାଚ୍‍ ଲାଗି ବିଶ୍ରାମ ଦିଆଯାଇଛି। ଏଭଳି ଉକ୍ତିର ଅର୍ଥ କିଛି ଜଣାପଡ଼ୁନାହିଁ। ତାଙ୍କୁ ଯଦି ବିଶ୍ରାମ ଦିଆଯିବାର ଥିଲା ତେବେ ପୂର୍ବଦିନ କୋହଲିଙ୍କ କାହିଁକି ଏପରି କହିଥିଲେ। ଏହାକୁ ନେଇ ସମର୍ଥକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋହଲି ଏବେ ଫର୍ମରେ ନଥିଲାବେଳେ ଫର୍ମରେ ଥିବା ରୋହିତଙ୍କୁ ବିଶ୍ରାମ ଦିଆଯିବାର ଆବଶ୍ୟକତା ନଥିଲା। ଏହି ମ୍ୟାଚ୍‍ରେ ଭାରତର ଦୁଇ ଓପନର ଶୀଘ୍ର ଆଉଟ ହେବା ପରେ ତାହା ସ୍ପଷ୍ଟ ହୋଇଯାଇଛି। ଭାରତ ପ୍ରଥମ ମ୍ୟାଚ୍‌ ହାରିବା ପରେ ରୋହିତ ଶର୍ମା ଦ୍ବିତୀୟ ମ୍ୟାଚ୍‌ରେ ଖେଳିବା ସମ୍ଭାବନା ଅଧିକ ବଢିଛି।

About The Author: The Sakala