ନୂ୍ଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ବଡ ଝଟ୍କା। ଜୁଲାଇ ୧ରୁ ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବାଦଖ ପଡିଛନ୍ତି ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମା। ଗତ ଶନିବାର ରୋହିତ କରୋନା ପଜିଟିଭ୍ ହୋଇଥିଲେ। ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍ରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଟେଷ୍ଟ ଟିମ୍ର ନୂଆ କ୍ୟାପ୍ଟେନ୍ ହୋଇଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ପ୍ରଥମଥର ପାଇଁ ଭାରତ ବୁମ୍ରାଙ୍କ ନେତୃତ୍ୱରେ ମ୍ୟାଚ୍ ଖେଳିବ।
ରୋହିତ ଲିସେଷ୍ଟାୟର ବିପକ୍ଷ ଅଭ୍ୟାସ୍ ମ୍ୟାଚରେ କରୋନା ସଂକ୍ରମିତ ହୋଇଥିଲେ। ସେ ପୂରା ମ୍ୟାଚ୍ ଖେଳି ପାରିନଥିଲେ। ସେହି ଦିନଠୁ ସେ ସଙ୍ଗରୋଧରେ ଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, କୋଭିଡ୍-୧୯ ପଜିଟିଭ୍ ଭାରତର ନିୟମିତ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟେଷ୍ଟ ପୂର୍ବରୁ ସୁସ୍ଥ ହୋଇ ପାରିବେ ନାହିଁ। ତେଣୁ ସେ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି। ବୁଧବାର ବିସିସିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି। ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ସ୍କ୍ୱାଡରେ ସାମିଲ କରିଛି। ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ।
ସୂଚନାଯୋଗ୍ୟ ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା । ଗତ ବର୍ଷ ଏହି ସିରିଜ୍ର ୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଶେଷ ମ୍ୟାଚ୍ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା ।