ନୂଆଦିଲ୍ଲୀ : ବିଶ୍ବକପ୍ରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଚଳିତ ବିଶ୍ବକପ୍ରେ ଦମ୍ଦାର ଫର୍ମରେ ଥିବା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବା ହେତୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେନି। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଆଣ୍ଠୁରେ ଲାଗିଥିବା ଆଘାତ ଅଧିକ ଗମ୍ଭୀର ହେବାରେ ଲାଗିଛି। ଯେଉଁଥିପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ଅଧା ମ୍ୟାଚରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ଏବେ ବି ହାର୍ଦ୍ଦିକ ସୁସ୍ଥ ହୋଇନଥିବାରୁ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ ବୋଲି କୁହାଯାଉଛି ।
ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମି ଏବଂ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି ୫ ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଲକ୍ଷ୍ନୌ ପିଚ ସ୍ଲୋ ବୋଲରଙ୍କୁ ସୁହାଉଥିବାରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ । ସାମିଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନୀଙ୍କୁ ଟିମରେ ସାମିଲ କରାଯାଇପାରେ ।