ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ଭାରତୀୟ ରଗ୍ବୀ ୟୁନିୟନର ସଭାପତି ତଥା ଜଣାଶୁଣା ବଲିଉଡ୍ ଅଭିନେତା ରାହୁଲ ବୋଷ, ଭାରତରେ ରଗ୍ବି ଖେଳର ବିକାଶ ଓ ଅଲିମ୍ପିକ୍ସର ସ୍ୱପ୍ନ ନେଇ ନୂଆ ଯୋଜନା ଓ ଲିଙ୍ଗଗତ ସମାନତା ବିଷୟରେ ନିଜର ମତ ରଖିଛନ୍ତି। ନିକଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ୧୦ମ ସବ୍-ଜୁନିଅର ଜାତୀୟ ରଗ୍ବୀ ସେଭେନ୍ସ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା। ଏହି ମେଗା ଇଭେଣ୍ଟରେ ଯୋଗ ଦେବା ଅବସରରେ ସେ ନିଜର ସାକ୍ଷାତକାରରେ ରଗବୀ ନେଇ ଏକାଧିକ ମତ ଓ ତଥ୍ୟ ଉପସ୍ଥାପନ କରିବା ସହ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ। ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ଯୋଗ୍ୟତା ଅର୍ଜନ କରିବା ରଗବୀ ଇଣ୍ଡିଆ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ତେଣୁ ୨୦୨୭ ସୁଦ୍ଧା ଭାରତୀୟ ବରିଷ୍ଠ ପୁରୁଷ ଓ ମହିଳା ଦଳ ଏସିଆ ମହାଦେଶର ଶ୍ରେଷ୍ଠ ୨-୩ ସ୍ଥାନରେ ପାଇବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଏଥିସହ ସେ ଭୁବନେଶ୍ୱରରେ ଉପଲବ୍ଧ କ୍ରୀଡ଼ା ଭିତ୍ତିଭୂମି ଓ ସୁବିଧା ସୁଯୋଗର ଉଚ୍ଚ ପ୍ରଶଂସା କରିଛି।
୩୧୦ଟି ଜିଲ୍ଲାରେ ଖେଳାଯାଉଛି ରଗବୀ
ରଗବୀ ବର୍ତ୍ତମାନ ଭାରତର ୩୧୦ଟି ଜିଲ୍ଲାରେ ଖେଳାଯାଉଛି, ଅର୍ଥାତ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ରଗବୀ ଲୋକପ୍ରିୟତା ହାସଲ କରିଛି। ପୁଣି ଭାରତୀୟ ରଗବୀ ସହ ୨୬ଟି ରାଜ୍ୟ ଅନୁବନ୍ଧିତ ଅଛନ୍ତି। ତେଣୁ ରଗବୀର ଉନ୍ନତି ନିଶ୍ଚିତ ଓ ଏ ଦିଗ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ରଗ୍ବୀକୁ ଏକ ସେମି- ପ୍ରଫେସନାଲ ଖେଳର ମାନ୍ୟତା ଦିଆଯାଇଛି। ବର୍ତ୍ତମାନ ଭାରତୀୟ କ୍ୟାମ୍ପ ପାଇଁ ମନୋନୀତ ଖେଳାଳିଙ୍କୁ ସେମାନଙ୍କର ୩୦-୪୦ ଦିନର କ୍ୟାମ୍ପ ପାଇଁ ପାରିଶ୍ରମିକ ଦିଆଯାଉଛି ବୋଲି ସେ କହିଛନ୍ତି।
ଭୁବନେଶ୍ୱର ହେଉଛି କ୍ରୀଡ଼ା ଉକ୍ରର୍ଷର କେନ୍ଦ୍ର
ଭୁବନେଶ୍ୱରେ ଥିବା କ୍ରୀଡ଼ା ଭିତ୍ତିଭୂମି ଓ ସୁବିଧା ସୁଯୋଗଗୁଡ଼ିକୁ ରାହୁଲ ଉଚ୍ଚ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ଏହାର ଆଖାପାଖରେ ଗଢ଼ି ଉଠିଥିବା ଅନ୍ୟ କ୍ରୀଡ଼ା ଭିତ୍ତିଭୂମି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା କେନ୍ଦ୍ର ଭାବେ ଉଭା ହୋଇଛି। କେବଳ ହକି ନୁହେଁ, ବରଂ ଖୋ ଖୋ, ଫୁଟବଲ, ଆଥଲେଟିକ୍ସ, ସୁଇମିଂ ପାଇଁ ଯେଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି, ତାହା ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ। ଏଠାରେ ଥିବା ଖୋ ଖୋ ହାଇପରର୍ଫମାନ୍ସ ସେଣ୍ଟର ଉଚ୍ଚକୋଟୀର। ଭୁବନେଶ୍ୱର ପ୍ରାୟ ସବୁ କ୍ରୀଡ଼ାର ବିଶ୍ୱସ୍ତରୀୟ ଇଭେଣ୍ଟ ସଫଳତାର ସହ ଆୟୋଜିତ ହେଉଛି। ଭୁବନେଶ୍ୱରକୁ ଭାରତର ‘କ୍ରୀଡ଼ା ରାଜଧାନୀ’ କୁହାଯିବା ସମ୍ପୂର୍ଣ୍ଣ ଯଥାର୍ଥ। ଓଡ଼ିଶା ସରକାର ଯେଭଳି ଭାବେ ବଡ଼ ବଡ଼ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି, ତାହା ଭାରତୀୟ କ୍ରୀଡ଼ା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛି। ବାସ୍ତବରେ ଭୁବନେଶ୍ୱର ହେଉଛି କ୍ରୀଡ଼ା ଉକ୍ରର୍ଷର କେନ୍ଦ୍ର ବୋଲି ରାହୁଲ କହିଛନ୍ତି।
ପରିଶ୍ରମ ହିଁ ସଫଳତାର ଚାବିକାଠି
ରାହୁଲ କହିଛନ୍ତି ଯେ, ଯଦି ଆପଣ କଠିନ ରିଶ୍ରମ କରିବେ ଓ ପ୍ରଯୋଜକମାନଙ୍କ ସାମ୍ନାରେ ଏକ ଭଲ ଉପସ୍ଥାନା ରଖିବେ, ତେବେ ପାଣ୍ଠିର ଅଭାବ ରହିବା ନାହିଁ। କିଛି ସ୍ପନ୍ସର ପୂର୍ବାପେକ୍ଷା ସେମାନଙ୍କର ପାଣ୍ଠିକୁ ୨ରୁ ୩ ଗୁଣ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଅନୁଦାନ ରାଶି ଯଥେଷ୍ଟ ବଢ଼ାଇଛନ୍ତି।
ରଗବୀର ଉନ୍ନତି ପାଇଁ ସମସ୍ତେ ଚେଷ୍ଟିତ
ଫେଡେ଼ରେସନର ପ୍ରାୟ ୭ ଜଣ ବୋର୍ଡ ସଦସ୍ୟ ପୂର୍ବତନ ଜାତୀୟ ବା ରାଜ୍ୟସ୍ତରର ଖେଳାଳି, ଯେଉଁମାନେ ରଗବୀର ଉନ୍ନତି ପାଇଁ ଦିନରାତି କାମ କରୁଛନ୍ତି। କେବଳ ସେତିକି ନୁହେଁ ରଗବୀ ସହିତ ଜଡ଼ିତ ଥିବା ପ୍ରାୟ ସବୁ ବ୍ୟକ୍ତି ତଥା ଷ୍ଟେକ୍ହୋଲ୍ଡର ଏହି କ୍ରୀଡ଼ାର ଉନ୍ନତି ପାଇଁ ଶତପ୍ରତିଶତ ଚେଷ୍ଟିତ ବୋଲି ସେ କହିଛନ୍ତି।
ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି ଓଡିଆ ଝିଅ
ରାହୁଲ ରଗବୀରେ ଲିଙ୍ଗଗତ ସମାନତା ଓ ତୃଣମୂଳ ବିକାଶ ସମ୍ପର୍କରେ ଖୋଲା ଖେଳି ମତ ରଖିଥିଲେ। ରଗବୀ ଏକ ସମ୍ପୂର୍ଣ୍ଣ ଭାବେ ଲିଙ୍ଗ ସମାନତା ଖେଳ। ଏଥିରେ ପୁରୁଷ ଓ ମହିଳା ସମାନ। ଦେଶର ମୋଟ୍ ୮୦,୦୦୦ ଖେଳାଳିଙ୍କ ମଧ୍ୟରୁ ପ୍ରାୟ ୪୫ରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା ଓ ବାଳିକା। ୨୦ ବର୍ଷରୁ କମ୍ ମହିଳା ଭାରତୀୟ ଦଳର ଅଧିନାୟିକା ହେଉଛନ୍ତି ଓଡ଼ିଶାର ଜଣେ ଆଦିବାସୀ ଝିଅ। ସେ ହେଉଛନ୍ତି ସୁମିତ୍ରା। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୯ରେ ଲାଓସ୍ରେ ଅନୁଷ୍ଠିତ ଏସିଆ ରଗବୀ ୨୦ ବର୍ଷରୁ କମ୍ ମହିଳା ସେଭେନ୍ସ ସିରିଜରେ କାଂସ୍ୟ ପଦକ ଜିତିଥିଲା। ସୁମିତ୍ରାଙ୍କ ବ୍ୟତୀତ ଅନ୍ୟତମ ଓଡ଼ିଆ ଝିଅ ମାମା ନାୟକ ୨୦୨୨ ଏସିଆ ରଗବୀ ୨୦ ବର୍ଷରୁ କମ୍ ମହିଳା ସେଭେନ୍ସ ଚାମ୍ପିଅନସିପ୍ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଓ ଏଥିରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ତାଙ୍କ ଜୀବନର ସଂଘର୍ଷ ଓ ସଫଳତା ଆଜି ଅନେକ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛି। ସେହିପରି ଦଳର ପୂର୍ବତନ ଅଧିନାୟିକା ମଧ୍ୟ ପଶ୍ଚିମବଙ୍ଗର ଜଣେ ଚା ଶ୍ରମିକଙ୍କ ଝିଅ।
ଭାରତୀୟ ରଗବୀରେ ଓଡ଼ିଶାର ପ୍ରଭାବ
ଭାରତୀୟ ରଗବୀ ଦଳରେ ସର୍ବଦା ଓଡ଼ିଆ ଖେଳାଳିମାନଙ୍କର ବହୁଳତା ଦେଖିବାକୁ ମିଳିଥାଏ। କିସ୍ ଓ କଳିଙ୍ଗ ଷ୍ଟାଡିୟମରେ ଏହି ଖେଳାଳିମାନଙ୍କୁ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଓଡ଼ିଶାରେ ରଗବୀ ଅନ୍ୟତମ ଲୋକପ୍ରିୟ ଖେଳାର ମାନ୍ୟତା ପାଇବାକୁ ଯାଉଛି। ଏହି ଖେଳ ଜମ୍ମୁ-କଶ୍ମୀରରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଖେଳାଯାଉଛି।
ଫ୍ରାଞ୍ଚାଇଜ୍- ଭିତ୍ତିକ ଲିଗ୍ ଆରମ୍ଭ କରିବାକୁ ଯୋଜନା
କବାଡ଼ି, ଖୋ ଖୋ ଭଳି ରଗ୍ବୀକୁ ନେଇ ଏକ ଫ୍ରାଞ୍ଚାଇଜ୍-ଭିତ୍ତିକ ଲିଗ୍ ଆରମ୍ଭ କରିବାକୁ ଯୋଜନା ଚାଲିଛି। ଏ ସଂକ୍ରାନ୍ତରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ଓ ଆଗାମୀ ୬ ମାସ ମଧ୍ୟରେ ଘୋଷଣା କରାଯିବ ବୋଲି ରାହୁଲ କହିଛନ୍ତି।