ଆଜି ଫାଇନାଲ ଖେଳିବେ ଷ୍ଟାର ରେସଲର ବିନେଶ ଫୋଗତ, ସ୍ୱର୍ଣ୍ଣ ଆଶାରେ ଭାରତ

ପ୍ୟାରିସ୍‌ : ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ପ୍ୟାରିସ ଅଲିମ୍ପିକ୍ସ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ଏହା ଫଳରେ ସେ ଚଳିତ ଅଲିମ୍ପିକ୍ସରେ ଭାରତ ଲାଗି ଚତୁର୍ଥ ପଦକ ନିଶ୍ଚିତ କରିଛନ୍ତି। ଆଜି ରାତିରେ ସେ ସ୍ୱର୍ଣ୍ଣପଦକ ଲାଗି ଫାଇନାଲରେ ଆମେରିକରା ସାରା ହିଲଡେବ୍ରାଣ୍ଡଡଟ୍‌ଙ୍କୁ ଭେଟିବେ। ଏହି ଲଢେ଼ଇ ଜିତିଲେ ବିନେଶ ସ୍ୱର୍ଣ୍ଣ କିମ୍ବା ପରାଜିତ ହେଲେ ରୌପ୍ୟ ପଦକ ହାସଲ କରିବେ। ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତି […]

ପ୍ୟାରିସ୍‌ : ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ପ୍ୟାରିସ ଅଲିମ୍ପିକ୍ସ କୁସ୍ତି ପ୍ରତିଯୋଗିତା ଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି। ଏହା ଫଳରେ ସେ ଚଳିତ ଅଲିମ୍ପିକ୍ସରେ ଭାରତ ଲାଗି ଚତୁର୍ଥ ପଦକ ନିଶ୍ଚିତ କରିଛନ୍ତି। ଆଜି ରାତିରେ ସେ ସ୍ୱର୍ଣ୍ଣପଦକ ଲାଗି ଫାଇନାଲରେ ଆମେରିକରା ସାରା ହିଲଡେବ୍ରାଣ୍ଡଡଟ୍‌ଙ୍କୁ ଭେଟିବେ। ଏହି ଲଢେ଼ଇ ଜିତିଲେ ବିନେଶ ସ୍ୱର୍ଣ୍ଣ କିମ୍ବା ପରାଜିତ ହେଲେ ରୌପ୍ୟ ପଦକ ହାସଲ କରିବେ।

ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତି ଇଭେଣ୍ଟର ସେମିଫାଇନାଲ ମୁକାବିଲାରେ ୨୯ ବର୍ଷୀୟା ବିନେଶ ୫-୦ରେ କ୍ୟୁବାର ୟୁସନେଲିସ୍‌ ଗୁଜ୍‌ମ୍ୟାନଙ୍କୁ ପରାସ୍ତ କରି ଫାଇନାଲ ଟିକଟ ହାସଲ କରିଛନ୍ତି। ଅଲିମ୍ପିକ୍ସ ଇତିହାସରେ ପ୍ରଥମଥର ପାଇଁ ଭାରତର ଜଣେ ମହିଳା କୁସ୍ତିଯୋଦ୍ଧା ଫାଇନାଲରେ ପ୍ରବେଶ କରି ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଫାଇନାଲ ପ୍ରବେଶ କରିବା ପୂର୍ବରୁ ବିନେଶ ଦୁଇଟି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ପ୍ରଥମେ ପ୍ରି-କ୍ୱାର୍ଟରଫାଇନାଲ ମୁକାବିଲାରେ ସେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ବିଶ୍ୱ ଚାମ୍ପିଅନ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ପରାସ୍ତ କରି ଆଶ୍ଚର୍ଯ୍ୟଜନକ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୟୁଇ ପୁରା ଲଢେ଼ଇରେ ପ୍ରାଧାନ୍ୟ ବିସ୍ତାର କରି ୨-୦ରେ ଆଗୁଆ ଥିଲେ। କିନ୍ତୁ ଲଢେ଼ଇ ଶେଷ ହେବାକୁ କିଛି ସେକଣ୍ଡ ବାକିଥିଲାବେଳେ ୟୁଇଙ୍କୁ ଚିତପଟାଙ୍ଗ କରି ୩-୨ ପଏଣ୍ଟରେ ମ୍ୟାଚ୍‌ ଜିତିନେଇଥିଲେ। ଏହି ବିଜୟ ପରେ ଆତ୍ମବିଶ୍ୱାସୀ ବିନେଶ କ୍ୱାର୍ଟର ଫାଇନାଲରେ ୭-୫ରେ ୟୁକ୍ରେନର ଓକସାନା ଲିଭାକଙ୍କୁ ପରାସ୍ତ କରି ସେମିକୁ ଉଠିଥିଲେ।

ଲଢୁଆ କୁସ୍ତିଯୋଦ୍ଧା ବିନେଶ ଫୋଗତ

ହରିୟାଣା ଝିଅ ତଥା ଅଭିଜ୍ଞ ମହିଳା ବିନେଶ ଫୋଗତ ଜଣେ ଲଢୁଆ ଖେଳାଳି ବୋଲି ପୁଣିଥରେ ପ୍ରମାଣ କରିଛନ୍ତି। କେବଳ ରେସଲିଂ ରିଙ୍ଗ୍‌ରେ ନୁହେଁ ସେ ବ୍ୟକ୍ତିଗତ ଓ ପେସାଦାର ଜୀବନରେ ବହୁ ଚ୍ୟାଲେଞ୍ଜ ତଥା କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ହାର ମାନିନାହାନ୍ତି। ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କୁ ବାସନ୍ଦ କରାଯାଇଥିଲା। ଏପରିକି ତାଙ୍କୁ ଅଶୁଭ ଓ ଆହତ ଘୋଡ଼ା ବୋଲି କୁହାଯାଇଥିଲା। କିନ୍ତୁ ଶେଷରେ ସବୁ ସମାଲୋଚନା ଓ ପ୍ରତିବନ୍ଧକକୁ ପଛରେ ପକାଇ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ୨୯ ବର୍ଷୀୟା ବିନେସ ସେମିଫାଇନାଲରେ ସ୍ଥାନ ପକ୍କା କରି ପଦକ ହାସଲର ସମ୍ଭାବନା ସୃଷ୍ଟି କରିଛନ୍ତି। କ୍ୱାର୍ଟରଫାଇନାଲରେ ସେ ୟୁକ୍ରେନର ଓକସାନା ଲିଭାଚଙ୍କୁ ପରାସ୍ତ କରି ସେମିକୁ ଉଠିଛନ୍ତି। ଏହାପୂର୍ବରୁ ସେ ପ୍ରି-କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିଅନ ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ଘଟାଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ବାସନ୍ଦ ହୋଇଥିଲେ

ପୂର୍ବରୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରି-କ୍ୱାର୍ଟରରେ ଆଘାତ ସମସ୍ୟା କାରଣରୁ ବାଦ୍‌ ପଡିଥିଲେ। ପୁଣି ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ ମଧ୍ୟ ପରାସ୍ତ ହୋଇଥିଲେ। ସେତେବେଳେ ତାଙ୍କୁ ବିଶୃଙ୍ଖଳିତ ଆଚରଣର କାରଣ ଦର୍ଶାଇ ବାସନ୍ଦ ମଧ୍ୟ କରାଯାଇଥିଲା। ସେତେବେଳର ଭାରତୀୟ କୁସ୍ତି ସଂଘ (ଡବ୍ଳ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ତାଙ୍କୁ ଅଶୁଭ ବୋଲି କହି ତାଚ୍ଛଲ୍ୟ କରିଥିଲେ। ଏହାପରେ ବିନେଶ ଓ ବ୍ରିଜଭୂଷଣଙ୍କ ଲଢେଇ ଓ ବହୁଚର୍ଚ୍ଚିତ ଆନ୍ଦୋଳନ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା।

ଦୁଶ୍ଚିନ୍ତାର ଶିକାର ହୋଇଥିଲେ

ତାଚ୍ଛଲ୍ୟ ଓ ସମାଲୋଚନାର ଶିକାର ହୋଇ ସେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିଲେ। ୨୦୧୮ରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରିବାରର ସମର୍ଥନ ଓ ସହଯୋଗରେ ସେ ସୁସ୍ଥ ହୋଇଥିଲେ। ଏପରି ଅବସ୍ଥାରେ ସେ ମନସ୍ତତ୍ୱବିତଙ୍କ ପାଖକୁ ଯାଇଥିଲେ। ଯଦି ସେ କୁସ୍ତି ନ ଛାଡ଼ନ୍ତି ତେବେ ସ୍ଥିତି ଆହୁରି ଖରାପ ହେବ ବୋଲି ସେ ସତର୍କ କରାଇଥିଲେ। କିନ୍ତୁ ସେ ଅଟକି ଯାଇ ନଥିଲେ। ସେ କୁସ୍ତି ଜାରି ରଖିଥିଲେ ଓ ତୃତୀୟ ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ମାତ୍ର ୬ ବର୍ଷ ବୟସରୁ ସେ କୁସ୍ତି କରିବା ଆରମ୍ଭ କରିଥିଲେ। ୨୦୦୩ରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା। ପରିବାର ସମ୍ଭାଳିବାକୁ ଯାଇ ତାଙ୍କ ଭାଇ କୁସ୍ତି ଛାଡ଼ିଥିଲେ। ସବୁ ସମସ୍ୟା ଓ ଚ୍ୟାଲେଞ୍ଜକୁ ପଛରେ ପକାଇ ବିନେଶ ୨୦୦୭ରେ ପ୍ରଥମ ପଦକ ହାସଲ କରିଥିଲେ। ସବୁବେଳେ ସେ ଟ୍ରାଏଲ ମଧ୍ୟରେ ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ୨୫ ବର୍ଷ ହେବ ସେ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି ତାଙ୍କ ପରିବାର ସ୍ୱପ୍ନ ଦେଖିଛନ୍ତି।

About The Author: The Sakala