ପ୍ୟାରିସ୍: ଦୀର୍ଘ ଦୁଇ ସପ୍ତାହର ଘମାଘୋଟ ଲଢେ଼ଇ ପରେ ବିଶ୍ୱର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆଜି ମହାସମାରୋହରେ ଉଦ୍ଯାପିତ ହେବ। ଏଥିଲାଗି ଅଲିମ୍ପିକ୍ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଉଦଘାଟନୀ ଉତ୍ସବ ସେନ୍ ନଦୀରେ ଏକ ଅଭିନବ ଉପାୟରେ ଆୟୋଜିତ ହୋଇଥିଲାବେଳେ ସମାପ୍ତି ସମାରୋହ ଫ୍ରାନ୍ସର ସବୁଠାରୁ ବଡ ଷ୍ଟାଡିୟମ୍ ଷ୍ଟେଡ୍ ଡି ଫ୍ରାନ୍ସରେ ୮୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ୧୨ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ରାତି ୨.୪୫ରେ ଶେଷ ହେବ । ଏଥିରେ ଶହ ଶହ ଆକ୍ରୋବାଟ, ନୃତ୍ୟ, ସଙ୍ଗୀତ ଶିଳ୍ପୀ ଏବଂ ସର୍କସ କଳାକାରମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଉଦ୍ଯାପନୀ ଉତ୍ସବର ଥିମ୍ ରହିଛି ‘ରେକର୍ଡସ’ ଓ ଏଥିରେ ଫ୍ରାନ୍ସ ଓ ଆମେରିକାର କଳାକୃତି ପ୍ରଦର୍ଶିତ ହେବ।
ପାରମ୍ପରିକ ଭଙ୍ଗୀରେ ହୋଇଆସୁଥିବା ଆଥ୍ଲେଟ୍ଙ୍କ ପରେଡ, ବିଭିନ୍ନ ଦେଶର ଜାତୀୟ ପତାକା, ଅଲିମ୍ପିକ୍ ପତାକାର ଅବତରଣ ଭଳି କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହା ବ୍ୟତୀତ ଅଲିମ୍ପିକ୍ ପତାକା ପ୍ୟାରିସ୍ରୁ ଲସ ଏଞ୍ଜେଲ୍ସ ମେୟରଙ୍କୁ ହସ୍ତାନ୍ତର କରାଯିବ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ସହର ତୃତୀୟଥର ଲାଗି ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭକୁ ଆୟୋଜନ କରିବ। ଏଣୁ ପ୍ୟାରିସ୍ର ମେୟର ଆନ୍ନେ ହିଡାଲଗୋ ଅଲିମ୍ପିକ୍ ପତାକାକୁ ଲସ୍ ଏଞ୍ଜେଲ୍ସ ମେୟର କାରେନ ବାସ୍ଙ୍କୁ ହସ୍ତାନ୍ତର କରିବେ। ଆର୍ଟିଷ୍ଟିକ୍ ନିର୍ଦ୍ଦେଶକ ଥୋମାସ ଜଲି ଉଦଘାଟନୀ ଉତ୍ସବ ଭଳି ଉଦ୍ଯାପନୀ ଉତ୍ସବ ସମାରୋହର ନିର୍ଦ୍ଦେଶନାରେ ଏହା ଆୟୋଜିତ ହେବ। ମୋଟା ମୋଟି ଭାବେ କହିବାକୁ ଗଲେ ଯେଉଁ ଷ୍ଟାଡିୟମ୍ରେ ଗତ ଦୁଇ ସପ୍ତାହ ଧରି ଆଥଲେଟଙ୍କ ମଧ୍ୟରେ ଉଚ୍ଚକୋଟୀର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଥିଲା ସେଠାରେ ଅର୍ଥାତ୍ ଷ୍ଟେଡ୍ ଡି ଫ୍ରାନ୍ସରେ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ।
ଉଦ୍ଯାପନୀ ଉତ୍ସବ ଶେଷରେ ପତାକା ଅବତରଣ କରାଯିବ ଓ ପାରା ଅଲିମ୍ପିକ୍ କ୍ରୀଡ଼ା ଲାଗି ମଶାଲ ଷ୍ଟକ୍ ମାଣ୍ଡେଭିଲେରେ ପ୍ରଜ୍ଜ୍ୱଳନ କରାଯିବ। ଷ୍ଟକ୍ ମାଣ୍ଡେଭିଲେକୁ ପାରାଅଲିମ୍ପିକ କ୍ରୀଡ଼ାର ଜନ୍ମସ୍ଥାନ ଭାବେ ବିବେଚନା କରାଯାଇଥାଏ। ଏହି ପ୍ରତିଯୋଗିତା ମଧ୍ୟ ଏଠାରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ଯାଏ ଅନୁଷ୍ଠିତ ହେବ। ଅଗଷ୍ଟ ୨୫ରୁ ୨୮ ତାରିଖ ଯାଏ ଫ୍ରାନ୍ସର ୫୦ଟି ସହରରେ ପାରାଅଲିମ୍ପିକ୍ସ ଲାଗି ଟର୍ଚ୍ଚ ରିଲେ ଆୟୋଜିତ ହେବ।
ଉଦ୍ଯାପନୀ ସମାରୋହରେ ଅନେକ ସିଲେବ୍ରିଟି ଭାଗନେବେ। ସମସ୍ତଙ୍କ ନାମ ଜଣା ପଡ଼ି ନ ଥିଲେ ମଧ୍ୟ ହଲିଉଡ ସୁପରଷ୍ଟାର ଟମ୍ କ୍ରୁଇଜ୍, ଆମେରିକାର ରାପ୍ପର ସ୍ନୁପ୍ ଡଗ, ବିଲି ଏଲିସ୍, ଜିମ୍ମି ଫାଲିଅନଙ୍କୁ ଦେଖିବାକୁ ମିଳିବ। ରେଡ ହଟ ଚିଲି ପିପରର୍ସ ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବ। କ୍ରୁଇଜ୍ ମୋଟରସାଇକଲରେ ଷ୍ଟଣ୍ଟ କରିବାର ଯୋଜନା ରହିଛି। ବିଲି ଓ ସ୍ନୁପ ସଙ୍ଗୀତ ପରିବେଷଣ କରିବେ।
ଭାରତୀୟ ସମୟ ଅନୁସାରେ ଅଲିମ୍ପିକ୍ସ ଉଦ୍ଯାପନୀ ଉତ୍ସବ ରବିବାର ରାତି ୧୨.୩୦ ମିନିଟ୍ରେ ଆରମ୍ଭ ହେବ। ଭାରତରେ କ୍ରୀଡ଼ା ପ୍ରଶଂସକମାନେ ସ୍ପୋର୍ଟ୍ସ ୧୮ ନେଟ୍ୱର୍କରେ ଏହି ଉତ୍ସବର ସିଧାପ୍ରସାରଣ ଟିଭିରେ ଦେଖିପାରିବେ। ସେହିପରି ଜିଓ ସିନେମା ଆପ୍ରେ ମଧ୍ୟ ଏହି ଉତ୍ସବକୁ ଦର୍ଶକ ଦେଖିପାରିବେ।