ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିଶ୍ବକପ୍‌ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର : ବିଶ୍ୱ ଫୁଟ୍‍ବଲର ସର୍ବୋଚ୍ଚ ସଂସ୍ଥା ଫିଫାର ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ର ୭ମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ। ମହିଳା ଫୁଟ୍‍ବଲ ଜୁନିଅର ବିଭାଗର ଏହି ଶ୍ରେଷ୍ଠ ପ୍ରତିଯୋଗିତା ଭାରତର ୩ଟି ପ୍ରମୁଖ ଷ୍ଟାଡିୟମ ଯଥା କଳିଙ୍ଗ ଷ୍ଟାଡିୟମ (ଭୁବନେଶ୍ୱର), ନେହରୁ ଷ୍ଟାଡିୟମ (ଗୋଆ) ଓ ଡିୱାଇ ପାଟିଲ ଷ୍ଟାଡିୟମ (ନଭି ମୁମ୍ବଇ)ରେ ମ୍ୟାଚ୍‍ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଯୋଗିତାରେ ଗ୍ରୁପ୍‍-ଏ’ରେ ସ୍ଥାନ ପାଇଥିବା ଭାରତ […]

ଭୁବନେଶ୍ବର : ବିଶ୍ୱ ଫୁଟ୍‍ବଲର ସର୍ବୋଚ୍ଚ ସଂସ୍ଥା ଫିଫାର ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ର ୭ମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ। ମହିଳା ଫୁଟ୍‍ବଲ ଜୁନିଅର ବିଭାଗର ଏହି ଶ୍ରେଷ୍ଠ ପ୍ରତିଯୋଗିତା ଭାରତର ୩ଟି ପ୍ରମୁଖ ଷ୍ଟାଡିୟମ ଯଥା କଳିଙ୍ଗ ଷ୍ଟାଡିୟମ (ଭୁବନେଶ୍ୱର), ନେହରୁ ଷ୍ଟାଡିୟମ (ଗୋଆ) ଓ ଡିୱାଇ ପାଟିଲ ଷ୍ଟାଡିୟମ (ନଭି ମୁମ୍ବଇ)ରେ ମ୍ୟାଚ୍‍ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଯୋଗିତାରେ ଗ୍ରୁପ୍‍-ଏ’ରେ ସ୍ଥାନ ପାଇଥିବା ଭାରତ ଏହାର ଗ୍ରୁପ୍‍ ମ୍ୟାଚ୍‍ଗୁଡ଼ିକ ଯଥାକ୍ରମେ ଅକ୍ଟୋବର ୧୧, ୧୪ ଓ ୧୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ବିଶ୍ୱ ଫୁଟ୍‍ବଲର ଏହି ମେଗା ଇଭେଣ୍ଟ ଆୟୋଜନ ସହ କଳିଙ୍ଗ ଷ୍ଟାଡିୟମ ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିହେବ। ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବା ସହ ରାଜ୍ୟର କ୍ରୀଡା ଭିତ୍ତିଭୂମିରେ କରାଯାଉଛି ଅଭୁତପୂର୍ବ ବିକାଶ। ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣରେ ମନୋନିବେଶ କରିଥିବା ମୁଖ୍ୟମନ୍ତ୍ରୀ ଏବେ କ୍ରୀଡାରେ ଉତ୍କର୍ଷତା ଲାଭ କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ଭୁବନେଶ୍ବରର ପରିଚୟ ବଦଳୁଛି ଓ ଏହା କ୍ରୀଡା ରାଜଧାନୀର ମାନ୍ୟତା ପାଇଛି। ପୂର୍ବରୁ ପୁରୁଷ ହକି ବିଶ୍ୱକପ୍‍କୁ ସଫଳତାର ସହ ଆୟୋଜନ କରି କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଜାତୀୟସ୍ତରରେ ସ୍ୱତନ୍ତ୍ର ପରିଚୟ ଲାଭ କରିସାରିଛି। ଏବେ ଫିଫା ବିଶ୍ୱକପ୍‍ର ମ୍ୟାଚ୍‍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଫଳରେ କଳିଙ୍ଗ ଏବେ ବିଭିନ୍ନ କ୍ରୀଡ଼ାର ବିଶ୍ବକପ୍‌ ଭେନ୍ୟୁ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବିଶ୍ବକପ୍‌ ସମେତ କିଛି ଅନ୍ତର୍ଜାତୀୟ ପ୍ରତିଯୋଗିତା ଉପରେ ସଂକ୍ଷେପରେ ନଜର ପକାଇବା।

ହକି
୨୦୧୮: ପୁରୁଷ ହକି ବିଶ୍ୱକପ୍‍

କଳିଙ୍ଗ ଷ୍ଟାଡିୟମରେ ୨୦୧୮ରେ ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‍ ଆୟୋଜିତ ହୋଇଥିଲା। କଳିଙ୍ଗରେ ଆଜି ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସରେ ଖେଳାଯାଇଥିଲା। ଯେଉଁଥିରେ ଫାଇନାଲକୁ ମିଶାଇ ୩୬ ମ୍ୟାଚ୍‍ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ପେନାଲ୍ଟି ସୁଟ୍‍ ଆଉଟ୍‍ରେ ନେଦରଲାଣ୍ଡ୍‍ସକୁ ୩-୦ ଗୋଲରେ ପରାସ୍ତ କରି ବେଲ୍‍ଜିୟମ ଇତିହାସରେ ପ୍ରଥମଥର ଲାଗି ଚାମ୍ପିଅନ୍‍ ହେବାର ସୌଭାଗ୍ୟ ଲାଭ କରିଥିଲା। ଘରୋଇ ଭାରତ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍‍ସଠାରୁ ହାରି Ñଙ୍କିଙ୍ଗ୍‍ରେ ୬ଷ୍ଠ ସ୍ଥାନ ଲାଭ କରିଥିଲା।

୨୦୨୧: ଜୁନିଅର ହକି ବିଶ୍ୱକପ୍‍

୨୦୧୮ ପୁରୁଷ ହକି ବିଶ୍ୱକପ୍‍ ବିଶ୍ୱକପ୍‍ ଆୟୋଜନ କରିବାର ୩ ବର୍ଷ ପରେ ବିଶ୍ୱ ହକିର ଆଉ ଏକ ବଡ଼ ଇଭେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଫ୍‍ଆଇଏଚ୍‍ ପୁରୁଷ ଜୁନିଅର ହକି ବିଶ୍ୱକପ୍‍ ଆୟୋଜନ ଅଧିକାର ମଧ୍ୟ କଳିଙ୍ଗକୁ ମିଳିଥିଲା। ୨୦୨୧ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମେଗା ପ୍ରତିଯୋଗିତାରେ ଆର୍ଜେଣ୍ଟିନା ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲା। ଫାଇନାଲରେ ଜର୍ମାନୀକୁ ହରାଇ ଆର୍ଜେଣ୍ଟିନା ଦ୍ୱିତୀୟଥର ଲାଗି ଚାମ୍ପିଅନ୍‍ ଆଖ୍ୟା ଲାଭ କରିଥିଲା। ତେବେ ଡିଫେଣ୍ଡିଂ ଚାମ୍ପିଅନ୍‍ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହାବାଦ୍‍ ୨୦୧୪ରେ ଚାମ୍ପିଅନ୍ସ ଟ୍ରଫି, ୨୦୧୬ରେ ଏଫ୍‍ଆଇଏଚ୍‍ ପୁରୁଷ ହକି ୱାର୍ଲ୍ଡ ଲିଗ୍‍, ୨୦୧୮-୧୯ରେ ଏଫ୍‍ଆଇଏଚ୍‍ ପୁରୁଷ ହକି ଲିଗ୍‍ ଫାଇନାଲ୍ସ, ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭଳି ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତା କଳିଙ୍ଗରେ ଆୟୋଜିତ ହୋଇସାରିଛି। ସେହିଭଳି ୨୦୨୩ରେ ହେବାକୁ ଥିବା ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‍ର ୧୫ତମ ସଂସ୍କରଣ ମଧ୍ୟ ମିଳିତ ଭାବେ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ନିର୍ମାଣଧିନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଫୁଟ୍‍ବଲ

୨୦୧୯: ଗୋଲ୍ଡ କପ୍‍

ହକି ପରେ କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ଫୁଟ୍‍ବଲ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି। ୨୦୧୯ ଫେବୃଆରୀ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଏଠାରେ ମହିଳା ଗୋଲ୍ଡ କପ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାର ଓ ସର୍ବଭାରତୀୟ ଫୁଟ୍‍ବଲ ମହାସଂଘ (ଏଆଇଏଫ୍‍ଏଫ୍‍)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଘରୋଇ ଭାରତ ସମେତ ଇରାନ, ମ୍ୟାନମାର ଓ ନେପାଳ ଅଂଶଗ୍ରହଣ କରିଥିଲେ। ଏଥିରେ ମ୍ୟାନମାର ଚାମ୍ପିଅନ୍‍ ଓ ନେପାଳ ରନର୍ସଅପ୍‍ ହୋଇଥିଲା। ଭାରତ ୩ ମ୍ୟାଚ୍‍ ଖେଳି ଗୋଟିଏ ବିଜୟ ଓ ୨ ପରାଜୟ ସହ ୩ୟ ସ୍ଥାନରେ ରହିଥିଲା।

ସେହିଭଳି ଆଗାମୀ ଦିନରେ ସାଫ୍‍ ଚାମ୍ପିଅନ୍‍ସିପ୍‍ (୨୦ ବର୍ଷରୁ କମ୍‍) ଓ ଫିଫା ୧୭ ବର୍ଷରୁ କମ୍‍ ବିଶ୍ୱକପ୍‍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ୨୫ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ସାଫ୍‍ ଚାମ୍ପିଅନ୍‍ସିପ୍‍ ଏଠାରେ ଅନୁଷ୍ଠିତ ହେବ। ସେହିଭଳି ଚଳିତ ବର୍ଷ ଶେଷ ଭାଗରେ (୧୧ରୁ ୩୦ ଅକ୍ଟୋବର)ଫିଫାର ମେଗା ଇଭେଣ୍ଟ ୧୭ ବର୍ଷରୁ କମ୍‍ ମହିଳା ବିଶ୍ୱକପ୍‍ ଖେଳାଯିବ।

ଆଥ୍‍ଲେଟିକ୍ସ

୨୦୧୭: ଏସିଆନ ଆଥ୍‍ଲେଟିକ୍ସ ଚାମ୍ପିଅନ୍‍ସିପ୍‍

ପୁରୁଷ ହକି ବିଶ୍ୱକପ୍‍ର ଗୋଟିଏ ବର୍ଷ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଏସିଆନ୍‍ ଆଥ୍‍ଲେଟିକ୍ସ ଚାମ୍ପିଅନ୍‍ସିପ୍‍। ଏହି ସମ୍ମାନଜନକ ପ୍ରତିଯୋଗିତାର ଏହା ଥିଲା ୨୨ତମ ସଂସ୍କରଣ। ୨୦୧୭ରେ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଏହା କଳିଙ୍ଗରେ ଖେଳାଯାଇଥିଲା। ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ଦେଶର ୩ୟ ରାଜ୍ୟ ଥିଲା। ଚାରି ଦିବସୀୟ ଏହି ପ୍ରତିଯୋଗିତାରେ ୪୧ ଦେଶର ୫୬୦ ଆଥ୍‍ଲେଟ୍‍ ୪୨ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥିରେ ଆୟୋଜକ ଭାରତ ୧୦ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ୍‍ ୨୯ ପଦକ ଜିତି ଟେବଲ୍‍ ତାଲିକାର ସର୍ବାଗ୍ରେ ରହିଥିଲା।

ରଗ୍‍ବୀ

୨୦୧୮: ଏସିଆ ରଗ୍‍ବୀ ସେଭେନ୍ସ

୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଏସିଆ ରଗ୍‍ବୀ ସେଭେନ୍ସ (୧୮ ବର୍ଷରୁ କମ୍‍) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଘରୋଇ ଭାରତ ସମେତ ୧୨ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ୨୦୧୮ ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହା ଖେଳାଯାଇଥିଲା। ଫାଇନାଲରେ ହଂକଂକୁ ୨୮-୫ ସ୍କୋରରେ ପରାସ୍ତ କରି ଚାଇନା ଐତିହାସିକ ଟାଇଟଲ୍‍ ଜିତିଥିଲା। ଏହା ବାଦ୍‍ କଳିଙ୍ଗରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ (୨୦୨୦), ଏଆଇଟିଏ ଟେନିସ ପ୍ରତିଯୋଗିତା ମଧ୍ୟ ସଫଳତାର ସହ ଆୟୋଜିତ ହୋଇଥିଲା।

About The Author: The Sakala