ଭାରତୀୟ ଦଳର ପ୍ଲେଇଂ ୧୧ରେ ଯଦି ଯଶପ୍ରୀତ ବୁମରାହ (Jasprit Bumrah) ଥାଆନ୍ତି, ତେବେ ଟିମ୍ ଇଣ୍ଡିଆର ରୂପ ଅଲଗା ନଜର ଆସେ। କିନ୍ତୁ ସେ ନଥିଲେ ଦଳର ବୋଲିଂ ବିଭାଗ ସମ୍ପୂର୍ଣ୍ଣ ବେବସ ଓ ଦୁର୍ବଳ ମନେହୁଏ। ଏକଥା କୌଣସି ଅନୁମାନ ନୁହେଁ, ବରଂ ନିକଟ ଅତୀତର ରେକର୍ଡ ଏବଂ ପରିସଂଖ୍ୟାନ ଏହା ପ୍ରମାଣିତ କରୁଛି। ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୫୦ ରନର ବିଶାଳ ଲକ୍ଷ୍ୟ କୁ ରକ୍ଷା କରିବାରେ ବିଫଳ ହେବା ଭାରତୀୟ ଦଳର ଏହି ସବୁଠାରୁ ବଡ଼ ଦୁର୍ବଳତାକୁ ପଦାରେ ପକାଇଛି।
ପରିସଂଖ୍ୟାନ କହୁଛି ଅସଲ କଥା
୨୦୨୬ ମସିହାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଗୁଡିକର ପରିସଂଖ୍ୟାନ ଉପରେ ନଜର ପକାଇଲେ ଜଣାପଡେ ଯେ ବୁମରାହଙ୍କ ଉପସ୍ଥିତି ଓ ଅନୁପସ୍ଥିତି କେତେ ଫରକ ପକାଏ। ବୁମରାହ ଖେଳିଥିବା ମ୍ୟାଚରେ ଭାରତୀୟ ବୋଲରମାନେ ମୋଟ ୧୧୧ଟି ୱିକେଟ୍ ନେଇଥିବା ବେଳେ ବୋଲିଂ ଆଭରେଜ୍ ୨୨.୧୮ ଏବଂ ଇକୋନୋମି ରେଟ୍ ୮.୭୭ ରହିଛି। ଅନ୍ୟପକ୍ଷରେ, ସେ ନଖେଳିଥିବା ମ୍ୟାଚଗୁଡିକରେ ଭାରତୀୟ ଦଳର ପ୍ରଦର୍ଶନ ଖରାପ ରହିଛି। ଏହି ମ୍ୟାଚଗୁଡିକରେ ଦଳ ମାତ୍ର ୭୩ଟି ୱିକେଟ୍ ନେବାକୁ ସକ୍ଷମ ହୋଇଥିବା ବେଳେ ବୋଲିଂ ଆଭରେଜ୍ ୨୯.୩୨ ଏବଂ ଇକୋନୋମି ରେଟ୍ ୯.୩୭ କୁ ବୃଦ୍ଧି ପାଇଛି। ଏଥିରୁ ସ୍ପଷ୍ଟ ଯେ ବୁମରାହଙ୍କ ବିନା ଦଳ ୱିକେଟ୍ ନେବାରେ କେତେ ସଂଘର୍ଷ କରୁଛି।
ମିଡିଲ୍ ଓଭରରେ ସଂଘର୍ଷ
କେବଳ ୱେଷ୍ଟଇଣ୍ଡିଜ୍ ନୁହେଁ, ବରଂ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପାୱାରପ୍ଲେ ଏବଂ ମିଡିଲ୍ ଓଭରରେ ୱିକେଟ୍ ବାହାର କରିବା ତଥା ରନ୍ ଗତି ଉପରେ ନିୟନ୍ତ୍ରଣ ରଖିବା ଅନ୍ୟ ଭାରତୀୟ ବୋଲରଙ୍କ ପାଇଁ କଷ୍ଟକର ହୋଇପଡୁଛି। ଜାକବ୍ ବେଥେଲ୍ ଏବଂ ବେନ୍ ଡକେଟ୍ ଙ୍କ ଭଳି ଖେଳାଳିମାନେ ମଧ୍ୟ ଭାରତୀୟ ବୋଲରଙ୍କ ଉପରେ ସହଜରେ ଆଧିପତ୍ୟ ବିସ୍ତାର କରୁଛନ୍ତି, ଯାହା ଚିନ୍ତାର ବିଷୟ ପାଲଟିଛି।
କେବଳ ଜଣଙ୍କ ଉପରେ ନିର୍ଭରଶୀଳତା କେତେ ଠିକ୍?
ଏହି ସମସ୍ୟା ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ଼ ଚେତାବନୀ। ଯଦିଓ ବୁମରାହ ଦଳର ମୁଖ୍ୟ ଅସ୍ତ୍ର, ତଥାପି କ୍ରମାଗତ ଭାବେ ତାଙ୍କ ଉପରେ ନିର୍ଭର କରିବା ଦଳର ଭବିଷ୍ୟତ ପାଇଁ ବିପଜ୍ଜନକ ହୋଇପାରେ। ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଦଳ ପରିଚାଳନା କମିଟି ଓ ଚୟନକର୍ତ୍ତାଙ୍କୁ କେବଳ ବୁମରାହଙ୍କ ଉପରେ ନିର୍ଭର ନକରି ଦ୍ୱିତୀୟ ଧାଡିର ବୋଲରମାନଙ୍କୁ ପ୍ରସ୍ତୁତ କରିବାକୁ ପଡିବ। ଏହାସହ ଦଳର ମିଡିଲ୍ ଓଭର୍ ବୋଲିଂ ରଣନୀତିରେ ମଧ୍ୟ ପରିବର୍ତ୍ତନ ଆଣିବା ନିହାତି ଜରୁରୀ।