ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦: ଆୟର୍ଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ଡବ୍‍ଲିନ(ଏଜେନ୍ସି): ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟ୍‍ରେ ବିଜୟୀ ହୋଇଛି। ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୦୯ ରନର ଲକ୍ଷ୍ୟକୁ ପିଛା କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଭାରତ ୯.୨ ଓଭରରେ ୩ ୱିକେଟ୍‍ ହରାଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଓପନିଂ ଆସିଥିବା ଦୀପକ ହୁଦା ସର୍ବାଧିକ ୪୭*(୨୯ ବଲ, ୬ ଚୌକା, ୨ ଛକା) […]

ଡବ୍‍ଲିନ(ଏଜେନ୍ସି): ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟ୍‍ରେ ବିଜୟୀ ହୋଇଛି। ୧୨ ଓଭର ବିଶିଷ୍ଟ ଏହି ମ୍ୟାଚରେ ଆୟର୍ଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୦୯ ରନର ଲକ୍ଷ୍ୟକୁ ପିଛା କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଭାରତ ୯.୨ ଓଭରରେ ୩ ୱିକେଟ୍‍ ହରାଇ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଓପନିଂ ଆସିଥିବା ଦୀପକ ହୁଦା ସର୍ବାଧିକ ୪୭*(୨୯ ବଲ, ୬ ଚୌକା, ୨ ଛକା) ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ କିସାନ ୨୬, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିପାରି ନ ଥିଲେ। ଦୁଇ ମ୍ୟାଚ୍‍ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‍ ମଙ୍ଗଳବାର ଏଠାରେ ଖେଳାଯିବ।

ଡବ୍‍ଲିନ୍‍ର ଦି ଭିଲେଜ୍‍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ ରାତି ୯ଟା ପରିବର୍ତ୍ତେ ୧୧ଟା ୨୦ରେ ଖେଳ ଆରମ୍ଭ ହୋଇଥିଲା ଏବଂ ମ୍ୟାଚକୁ ୧୨ ଓଭରବିଶିଷ୍ଟ କରାଯାଇଥିଲା। ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‍ ଜିତି ଘରୋଇ ଆୟର୍ଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ପାଣ୍ଡ୍ୟାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରତିପାଦିତ କରି ଭାରତୀୟ ବୋଲର ୪ ଓଭରରେ ୨୨ ରନ ମଧ୍ୟରେ ଆୟର୍ଲାଣ୍ଡର ପଲ୍‍ ଷ୍ଟର୍ଲିଂ (୪ ରନ), ଅଧିନାୟକ ଆଣ୍ଡ୍ରି ବଲବିର୍ଣ୍ଣି (୦) ଓ ଗାରେଥ୍‍ ଡେଲାନୀ (୮ ରନ)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ବ୍ୟାଟିଂକ୍ରମର ୪ର୍ଥ ସ୍ଥାନରେ ଆସିଥିବା ହ୍ୟାରୀ ଟେକ୍ଟର ୬୪ ରନର ଦ୍ରୁତ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିବାରୁ ଆୟର୍ଲାଣ୍ଡ ୧୨ ଓଭରରେ ୪ ୱିକେଟ୍‍ ହରାଇ ୧୦୮ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ଟେକ୍ଟର ତାଙ୍କ ୩୩ ବଲ୍‍ ଇନିଂସରେ ୬ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍‍କିପର ଲୋର୍କାନ ଟକର ୧୮ ଓ ଜର୍ଜ ଡକ୍‍ରେଲ ୪* ରନ କରିଥିଲେ। ବୋଲିଂରେ ଅଧିନାୟକ ପାଣ୍ଡ୍ୟାଙ୍କ ସମେତ ଭୁବନେଶ୍ୱର କୁମାର, ଅଭେସ ଖାନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ। ଜମ୍ମୁ-କଶ୍ମୀର ଏକ୍ସପ୍ରେସ ଭାବେ ପରିଚିତ ଆଇପିଏଲ୍‍ ତାରକା ଉମ୍ରାନ ମଲିକ ଏହି ମ୍ୟାଚ୍‍ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଟି-୨୦ ପଦାର୍ପଣ କରିବାରେ ସେ ଭାରତର ୯୮ତମ ଖେଳାଳି ହୋଇଛନ୍ତି। ସାଥୀ ଦ୍ରୁତ ବୋଲର ଭୁବନେଶ୍ୱର ଉମ୍ରାନଙ୍କୁ କ୍ୟାପ୍‍ ପ୍ରଦାନ କରିଥିଲେ। ଆଇପିଏଲ୍‍ରେ ୧୫୦ରୁ ଊର୍ଦ୍ଧ୍ବ କିମି ବେଗରେ ବୋଲିଂ କରି ଚର୍ଚ୍ଚାକୁ ଆସିଥିବା ଉମ୍ରାନ କିନ୍ତୁ ଏହି ମ୍ୟାଚରେ ଗୋଟିଏ ଓଭର ବୋଲିଂ କରି ୧୪ ରନ ବ୍ୟୟ କରିଥିଲେ ମଧ୍ୟ ୱିକେଟ୍‍ ପାଇ ନ ଥିଲେ।

About The Author: The Sakala