ଆଜିଠୁ ଆଇପିଏଲ୍‌ର ୧୫ ତମ ସଂସ୍କରଣ : ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ମୁମ୍ବଇ : ବିଶ୍ବର ସର୍ବାଧିକ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ଦଶ ସଂସ୍କରଣ ଆଜିଠାରୁ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ମେ ୨୯ ତାରିଖଯାଏ ହେବାକୁ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରର ମୁମ୍ବଇ ଓ ପୁଣେର ୪ଟି ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ପ୍ରତିଯୋଗିତା କୋଭିଡ୍-୧୯ କଟକଣା ମଧ୍ୟରେ ଖେଳାଯିବାକୁ ସ୍ଥିର କରାଯାଇଛି । ମୁମ୍ବଇର ୩ଟି […]

ମୁମ୍ବଇ : ବିଶ୍ବର ସର୍ବାଧିକ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୫ଦଶ ସଂସ୍କରଣ ଆଜିଠାରୁ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ମେ ୨୯ ତାରିଖଯାଏ ହେବାକୁ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ସମସ୍ତ ମ୍ୟାଚ୍ ମହାରାଷ୍ଟ୍ରର ମୁମ୍ବଇ ଓ ପୁଣେର ୪ଟି ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ପ୍ରତିଯୋଗିତା କୋଭିଡ୍-୧୯ କଟକଣା ମଧ୍ୟରେ ଖେଳାଯିବାକୁ ସ୍ଥିର କରାଯାଇଛି । ମୁମ୍ବଇର ୩ଟି ଓ ପୁଣେର ଗୋଟିଏ ଷ୍ଟାଡିୟମ୍‌ରେ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ୭୦ଟିଯାକ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥଲାଗି ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଶେଷ ହୋଇଛି ଏବଂ ଏହାକୁ ସଫଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରାଲ ବୋର୍ଡ (ବିସିସିଆଇ) ପକ୍ଷରୁ ଯୋଜନା କରାଯାଇଛି। ୨୦୧୧ ପରେ ଦ୍ୱିତୀୟଥର ଗୋଟିଏ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଖେଳୁଥିବାରୁ ଏଥର ଅଧିକ ସଂଖ୍ୟକ ମ୍ୟାଚ୍‌ ଖେଳାଯିବ। ଏହି ସମୟରେ ଭିଭୋ ଟାଇଟଲ ସ୍ପନସସିପ୍‌ ଓହରିଯିବାରୁ ଟାଟା ନୂଆ ସ୍ପନସର ହୋଇଛି। କୋଭିଡ୍-୧୯ ଭୟାବହତା ସତ୍ତ୍ଵେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବିସିସିଆଇ ସାହସର ସହ ନିଷ୍ପତ୍ତି ନେଇଥିଲା।

୨୦୧୧ ମସିହା ପରେ ପୁଣି ଥରେ ୧୦ ଦଳକୁ ନେଇ ଏହି ଫଟାଫଟ୍‌ କ୍ରିକେଟ୍‌ର ରୋମାଞ୍ଚ ଫେରିବାକୁ ଯାଉଛି। ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର୍‌ଜ୍ୟାଣ୍ଟ୍ସ ଓ ଗୁଜରାଟ ଟାଇଟାନ୍ସର ପ୍ରବେଶ ହେବ ଏ ବର୍ଷ। ୧୦ ଦଳୀୟ ପ୍ରତିଯୋଗିତା ହୋଇଥିବାରୁ ମ୍ୟାଚ୍‌ ସଂଖ୍ୟା ମଧ୍ୟ ୬୦ରୁ ୭୪କୁ ବୃଦ୍ଧି ପାଇଛି। ତେବେ ପ୍ରତ୍ୟେକ ‌ଦଳ ମୋଟ ୧୪‌ ଲେଖାଏଁ ମ୍ୟାଚ୍‌ ଖେଳିବାର ଥିବାରୁ ଖେଳାଳିମାନେ କେତେ ଗଭୀର ଓ ଗମ୍ଭୀରତାର ସହ ଏହି ଅଢ଼େଇ ମାସ ଲଢ଼ିବେ ସମୟ କହିବ। ମୁମ୍ବାଇର ୱାଙ୍ଖ୍‌ଡେ, ସିସିଆଇ ଓ ଡିୱାଇ ପାଟିଲ୍‌ ପିଚ୍‌ରେ ଲାଲ୍ ମାଟିରୁ ବାଉଁସ୍‌ ଏବଂ ପୁ‌‌ଣେ ପିଚ୍‌ କଳା ମାଟିରେ ନିର୍ମିତ ଥିବାରୁ ଅଧିକ ଟର୍ଣ୍ଣ ଦେବାର ଆଶା କରାଯାଉଛି। ଶନିବାର ଉଦ୍‌ଘାଟନୀ ମ୍ୟାଚ୍‌ ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ସଂଧ୍ୟା ୭.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ‌ ହେବ। ଏହି ମ୍ୟାଚ୍‌ରୁ ଦୁଇ ନୂଆ ଅଧିନାୟକ ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟରଙ୍କ ପ୍ରଥମ ପରୀକ୍ଷା ହେବ।

ଆଇପିଏଲ୍‌ ଇତିହାସର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏଥର ଘରୋଇ ପରିବେଶରେ ଖେଳିବାର ସୁଯୋଗ ପାଇବ। କିନ୍ତୁ ପାଣ୍ଡ୍ୟା ଭ୍ରାତା ଓ ‌ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବିଦାୟ କାରଣରୁ ମୁମ୍ବାଇ ଆଉ ପୂର୍ବ ଭଳି ଖେଳିପାରିବ କି ନା ଦେଖିବାର ଅଛି। ଆର୍‌ସିବି ନେତୃତ୍ବରୁ ବିରାଟ କୋହଲି ହଟିଯାଇଥିଲେ ମଧ୍ୟ ପ୍ରଶଂସକଙ୍କ ନଜର ତାଙ୍କ ଉପରେ ସବୁବେଳେ ରହିବ। ସିଏସ୍‌କେ ବ୍ୟାଟର୍‌ ଫାପ୍ ଡୁ ପ୍ଲେସିସ୍‌ ଏବେ ଆର୍‌ସିବି ନେତୃତ୍ବ ସମ୍ଭାଳିବେ। ସେହିଭଳି ମାହି ମଧ୍ୟ ତାଙ୍କ ସିଏସ୍‌କେ ନେତୃତ୍ବକୁ ରବୀନ୍ଦ୍ର ଜାଦେଜାଙ୍କୁ ସମର୍ପି ଥିବାରୁ ଏଥରର ଆଇପିଏଲ୍‌ ଅନେକ ଦଳ ପାଇଁ ନୂଆ ଆରମ୍ଭର ସୁଯୋଗ ରଖିବ। ଏହି ସଂସ୍କରଣ ମଧ୍ୟ ଶ୍ରେୟସ ଆୟର୍‌, କେଏଲ୍ ରାହୁଲ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ‌ସେମାନଙ୍କ ନେତୃତ୍ବ ଦକ୍ଷତାର ପରୀକ୍ଷା ‌ନେବ। ଆୟର୍‌ ଦିଲ୍ଲୀରୁ କୋଲକାତା, ରାହୁଲ୍ ପଞ୍ଜାବରୁ ଲକ୍ଷ୍ନୌ କ୍ୟାପ୍‌ଟେନ୍‌ ହୋଇଥିବା ବେଳେ ହାର୍ଦିକ ନୂଆ ଦଳ ଗୁଜରାଟ ଭାର ସମ୍ଭାଳିଛନ୍ତି।

କେଉଁ ଗ୍ରୁପ୍‌ରେ କିଏ 

ଗ୍ରୁପ୍-ଏ’: ୧- ମୁମ୍ବଇ ଇଣ୍ଡିଆନ୍ସ, ୨- କୋଲକାତା ନାଇଟ୍ ରାଇଡର୍ସ, ୩- ରାଜସ୍ଥାନ ରୟାଲ୍ସ, ୪- ଦିଲ୍ଲୀ କ୍ୟାପିଟାଲ୍ସ ଓ ୫-ଲକ୍ଷ୍ନୌ ସୁପର ଜିଆଣ୍ଟ |

ଗ୍ରୁପ୍-ବି’: ୧-ଚେନ୍ନାଇ ସୁପର କିଙ୍ଗ୍ସ, ୨-ସନ୍‌ରାଇଜର୍ସ ହାଇଦ୍ରାବାଦ୍, ୩- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୪-ପଞ୍ଜାବ କିଙ୍ଗ୍‌, ୫- ଗୁଜରାଟ ଟାଇଟାନ୍ସ।

ଆଜିର ମ୍ୟାଚ ପାଇଁ ସମ୍ଭାବ୍ୟ ଟିମ୍‌ 

ଚେନ୍ନାଇ ସୁପର୍‌ କିଙ୍ଗସ (ସମ୍ଭାବ୍ୟ ୧୧): ଋତୁରାଜ ଗାଏକ୍ବାଡ, ରବିନ ଉଥପ୍ପା, ଡେଭନ କନୱେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା (ଅଧିନାୟକ), ଶିଭମ ଦୁବେ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ଡ୍ବାନ୍ ବ୍ରାଭୋ, ରାଜବର୍ଦ୍ଧନ ହଙ୍ଗର‌ଗେକର, କ୍ରିସ୍ ଜୋର୍ଡାନ୍‌/ମହେଶ ଠିକସାଣା, ଆଦାମ୍ ମିଲନେ।

କୋଲକାତା ନାଇଟ୍ ରାଇଡର୍ସ (ସମ୍ଭାବ୍ୟ ୧୧): ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର (ଅଧିନାୟକ), ନୀତିଶ ରାଣା, ସାମ ବିଲିଙ୍ଗ୍ସ (ୱିକେଟରକ୍ଷକ), ଆନ୍ଦ୍ରେ ରସେଲ୍‌, ସୁନିଲ ନାରାୟଣ, ଚାମିକା କରୁଣାରତ୍ନେ, ଶିଭମ ମାଭି, ବରୁଣ ଚକ୍ରବର୍ତ୍ତୀ, ଉମେଶ ଯାଦବ/ରସିଖ୍‌ ସଲାମ ଦର୍‌।

About The Author: The Sakala