ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଜଶପ୍ରୀତ୍ ବୁମ୍ରା। ଘାତକ ବାଉନ୍ସର ଓ ୟର୍କରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଉଥିବା ଟିମ ଇଣ୍ଡିଆର ଏହି ଷ୍ଟାର ବୋଲର କ୍ରୀଡା ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି। ଆଜି ବୁମ୍ରା ଓ ସଞ୍ଜନାଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିବା ଜଣାପଡିଛି।
କୋଭିଡ ପ୍ରୋଟୋକଲ ଅନୁସାରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ବିବାହ ନେଇ ଜଶପ୍ରୀତ୍ ବୁମ୍ରା ଟ୍ବିଟ୍ କରି ସୂଚନା ଦେବା ସହ ଲେଖିଛନ୍ତି ‘ ଆମେ ଆଜି ଆମ ପ୍ରେମର ଏକ ନୂଆ ଯାତ୍ରା ଆରମ୍ଭ କରୁଛୁ, ଏହା ଆମ ଜୀବନର ସବୁଠୁ ଖୁସିର ଦିନ, ଏହି ଖୁସି ଖବର ଆପଣମାନଙ୍କ ସହ ବାଣ୍ଟି ଆମେ ନିଜକୁ ଖୁସି ଅନୁଭବ କରୁଛୁ।‘
ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଜଶପ୍ରୀତ୍ ବୁମ୍ରା ବିବାହ କରିଥିବା ସଞ୍ଜନା ଗଣେଶନ ସ୍ପୋର୍ଟ୍ସ ୱେବସାଇଟ ସ୍ପୋର୍ଟ୍ସ କୀଡାରେ କାର୍ଯ୍ୟ କରୁଛନ୍ତି। ୨୮ ବର୍ଷୀୟା ସଞ୍ଜନା ଜଣେ କ୍ରିକେଟ ଆଙ୍କର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବା ସହିତ ଷ୍ଟାର ସ୍ପୋର୍ଟ୍ସ ସହିତ ବି କାମ କରିଛନ୍ତି। ଏହା ସହିତ ସେ ଆଇସିସି ବିଶ୍ଵକପ ୨୦୧୯ ଠାରୁ ଆରମ୍ଭ କରି ଆଇପିଏଲ ଟୁର୍ନାମେଣ୍ଟ ହୋଷ୍ଟ କରିଛନ୍ତି। କଲକାତା ନାଇଟ୍ ରାଇଡର୍ସର ଆଙ୍କର ଭାବେ ବି ସେ କାମ କରିଛନ୍ତି। ସଞ୍ଜନା ଇଞ୍ଜିନିୟରିଂ କରିଛନ୍ତି। କିନ୍ତୁ ସେ ମଡେଲିଂ ଆଡକୁ ମୁହାଁଇଥିଲେ ଓ ୨୦୧୪ ମସିହାରେ ସେ ମିସ୍ ଇଣ୍ଡିଆ ଫାଇନାଲ୍ ଯାଏଁ ବି ପହଞ୍ଚିଥିଲେ। ଉଭୟଙ୍କ ବିବାହକୁ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।