ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ମହିଳା ଦଳ ଘୋଷଣା: ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ

ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ମହିଳା ଦଳ ଘୋଷଣା କରିଛି। ଅଭିଜ୍ଞ ଖେଳାଳି ହରମନପ୍ରୀତ କୌରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ଜୁନ୍ ମାସରେ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଏହି ସିରିଜ୍ ଭାରତୀୟ ଦଳର ପ୍ରସ୍ତୁତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ଅନୁଷ୍କା ଶର୍ମାଙ୍କୁ ମିଳିଲା ସୁଯୋଗ

ଏହି ଦଳ ଘୋଷଣାର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଯୁବ ଖେଳାଳି ଅନୁଷ୍କା ଶର୍ମାଙ୍କ ଚୟନ। ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍ ୨୦୨୬)ରେ ଗୁଜରାଟ ଜାଏଣ୍ଟସ୍ ପାଇଁ ଖେଳି ସେ ଦମଦାର ପ୍ରଦର୍ଶନ କରିଥିଲେ। ଡାହାଣହାତୀ ବ୍ୟାଟର ଅନୁଷ୍କା ୭ଟି ଇନିଂସରେ ୨୫.୨୮ ହାରରେ ଏବଂ ୧୨୯.୧୯ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୧୭୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିଛି ଏବଂ ସେ ଆନ୍ତର୍ଜାତୀୟ ପଦାର୍ପଣ କରିବା ନେଇ ଆଶା ରଖିଛନ୍ତି।

ଦଳରେ ଅନ୍ୟ ପ୍ରମୁଖ ପରିବର୍ତ୍ତନ

ଅନୁଷ୍କା ଶର୍ମାଙ୍କ ବ୍ୟତୀତ, ୱିକେଟକିପର ଉମା ଛେତ୍ରୀ ଜାତୀୟ ଦଳକୁ ଫେରିଛନ୍ତି। ସେହିପରି ପେସ୍ ବୋଲିଂ ବିଭାଗକୁ ମଜବୁତ କରିବା ପାଇଁ କାଶ୍ୱୀ ଗୌତମଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ, ଗତ ଅଷ୍ଟ୍ରେଲିଆ ସିରିଜ୍‌ରେ ଖେଳିଥିବା ଅମନଜୋତ କୌର ଏବଂ ବୈଷ୍ଣବୀ ଶର୍ମାଙ୍କୁ ବାଦ୍ ଦିଆଯାଇଛି। ବୋଲିଂ ବିଭାଗରେ ରେଣୁକା ଠାକୁର, ଅରୁନ୍ଧତୀ ରେଡ୍ଡୀ ଏବଂ କ୍ରାନ୍ତି ଗୌଡ଼ ପେସ୍ ଦାୟିତ୍ୱ ତୁଲାଇବେ। ସ୍ପିନ୍ ବିଭାଗରେ ଅଭିଜ୍ଞ ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ ଏବଂ ଶ୍ରୀ ଚରଣୀ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ସିରିଜ୍‌ର କାର୍ଯ୍ୟସୂଚୀ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏପ୍ରିଲ୍ ୧୭ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୭ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଡର୍ବାନ୍‌ରେ ଖେଳାଯିବାକୁ ଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜୋହାନସବର୍ଗରେ ଏବଂ ଅନ୍ତିମ ମ୍ୟାଚ୍ ବେନୋନିଠାରେ ଅନୁଷ୍ଠିତ ହେବ।

ଘୋଷିତ ଭାରତୀୟ ଦଳ:

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟକିପର), ଅରୁନ୍ଧତୀ ରେଡ୍ଡୀ, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ଶ୍ରେୟଙ୍କା ପାଟିଲ, କାଶ୍ୱୀ ଗୌତମ, ଭାରତୀ ଫୁଲମାଲୀ, ଉମା ଛେତ୍ରୀ (ୱିକେଟକିପର), ଏବଂ ଅନୁଷ୍କା ଶର୍ମା।

About The Author: Suryakanta