ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପ୍ରେ ବୁଧବାର ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍ ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୦ ଓଭରରେ ୧୮୫ ରନ୍ ସଂଗ୍ରହ କରିବାକୁ ପଡିବ।
ଆଜି ଆଡିଲେଡ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।ଏହାକୁ ସଠିକ୍ ସାବ୍ୟସ୍ତ କରି ବାଂଲାଦେଶର ଦ୍ରୁତ ବୋଲି ତସ୍କିନ ଅହମ୍ମଦ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ସ୍କେଲରେ ନିଜର ୪ ଓଭର ଶେଷ କରିବା ସହ ମାତ୍ର ୧୫ ରନ ଦେଇଥିଲେ। ଅନ୍ୟପଟେ ହାସନ ମହମୁଦ ନିଜର ପ୍ରଥମ ଓଭରରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ।
ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବିରାଟ ତାଙ୍କ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ୩୭ ବଲରେ ସେ ଚଳିତ ଟି-୨୦ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଦିନେଶ କାର୍ତ୍ତିକ ଭରପୂର ସାଥ ଦେଇଥିଲେ। ୧୭ତମ ଓଭରରେ ଶୌରିଫୁଲ ଇସଲାମଙ୍କୁ ପ୍ରଥମ ବଲରେ ଚୌକା ମାରି କାର୍ତ୍ତିକ ନିଜର ଜଲୱା ଦେଖାଇଥିଲେ। ହେଲେ ଏହି ଓଭରର ଶେଷ ବଲରେ ତାଳମେଳ ଅଭାବରୁ କାର୍ତ୍ତିକ(୫) ରନ ଆଉଟ ହୋଇଯାଇଥିଲେ। ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।ବାଂଲାଦେଶ ପକ୍ଷରୁ ହାସାନ ମାମୁଦ ୩ଟି ଓ ସାକିବୁଲ ହସନ ୨ଟି ଓ୍ବିକେଟ ନେଇଥିଲେ ।