ହାଇଦ୍ରାବାଦ୍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦। ୩ ମ୍ୟାଚ୍ ବିଶିଷ୍ଟର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ହାଇଦ୍ରାବାଦର ଉପ୍ପଲ ଷ୍ଟାଡିୟମ୍ ରେ ଖେଳାଯିବ। ଏହା ପୂର୍ବରୁ ଦୁଇଟି ମ୍ୟାଚ୍ ଶେଷ ହୋଇଥିଲାବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ଏଠାରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜ୍ କବ୍ଜା କରିବ। ଏହା ବ୍ୟତୀତ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳରେ ଥିବା ଅସାମନତାକୁ ଦୂର କରିବା ଲାଗି ଏହି ମ୍ୟାଚ୍ ମଧ୍ୟ ସୁଯୋଗ ଦେବ। ଏମାନଙ୍କ ମଧ୍ୟରେ ଫର୍ମରେ ନଥିବା ମୁଖ୍ୟ ସ୍ପିନର ଯୁଜବେନ୍ଦ୍ର ଚହଲ ଆହତ ସମସ୍ୟା ପରେ ଦଳକୁ ଫେରିଥିବାବେଳେ ଡେଥ୍ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ୬ ଓଭରରେ ୮୧ ରନ୍ ବ୍ୟୟ କରିଛନ୍ତି। ଚହଲ ଏସିଆ କପ୍ରୁ ବ୍ୟୟବହୁଳ ବୋଲର ଭାବେ ସାବ୍ୟସ୍ତ ହୋଇ ଆସୁଛନ୍ତି। ଏଣୁ ଭାରତୀୟ ଦୃଷ୍ଟି କୋଣରୁ ଦେଖିଲେ ଏହି ଦୁଇ ଖେଳାଳିଙ୍କ ଉପରେ ନଜର ରହିବ। ଏମାନଙ୍କ ସଫଳତା ବିନା ଭାରତ ଟି-୨୦ ବିଶ୍ୱକପ୍ ରେ କିଛି ଭଲ ପ୍ରଦର୍ଶନ କରିବା କଷ୍ଟକର।
ସେହିପରି ପାୱାରପ୍ଲେରେ ଟାଇଗର ଓ ଡେଥ୍ ଓଭରରେ ଶୃଗାଳ ଭଳି ପ୍ରଦର୍ଶନ ଦେଉଥିବା ଭୁବନେଶ୍ୱର କୁମାରଙ୍କୁ ନେଇ ଦଳ ଚିନ୍ତିତ। ସେ ଭାରତୀୟ ମ୍ୟାନେଜମେଣ୍ଟର ମୁଖ୍ୟ ଅସ୍ତ୍ର। ଏଣୁ ତାଙ୍କୁ ଡେଥ୍ ଓଭରରେ ବୋଲିଂ ନ ଦେଇ ପୂର୍ବରୁ ଓଭର ସାରିବାକୁ ଅଧିନାୟକ ଚେଷ୍ଟା କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ସବୁଠାରୁ ଉତ୍ସାହଜନକ କଥା ହେଲା ଆହତ ସମସ୍ୟା ପରେ ଯଶପ୍ରୀତ୍ ବୁମ୍ରା ଫର୍ମକୁ ଫେରିବା। ସେ ଦ୍ୱିତୀୟ ମ୍ୟାଚ୍ ରେ ଆହତ ହୋଇଥିବା କଥା ପ୍ରଦର୍ଶନରୁ ଜଣା ପଡ଼ି ନଥିଲା। ଏଣୁ ପୂରା ମ୍ୟାଚ୍ ଫିଟ୍ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ପରୀକ୍ଷା ଆବଶ୍ୟକ। ଦ୍ୱିତୀୟ ମ୍ୟାଚ୍ ୮ ଓଭର ବିଶିଷ୍ଟ ହୋଇଥିବାରୁ ଭୁବନେଶ୍ୱରକୁ ବାଦ୍ ଦିଆଯାଇଥିଲା। ସେ ଶେଷ ମ୍ୟାଚ୍ ରେ ଦଳକୁ ଫେରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତାଙ୍କୁ ଯଦି ଚୂଡାନ୍ତ ଏକାଦଶରେ ସାମିଲ କରାଯାଏ, ତେବେ ଋଷଭ ପନ୍ତ୍ ବାଦ୍ ପଡ଼ିବେ। ଏହା ଫଳରେ ଅକ୍ଷର ପଟେଲଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ଆସିବେ। ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଲାଗି ଚଳିତ ସିରିଜ୍ ରେ ଶେଷ ସୁଯୋଗ ରହିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କୌଣସି ମ୍ୟାଚ୍କୁ ସହଜ ଭାବେ ନିଏ ନାହିଁ। ଏଣୁ ଗତ ଦୁଇଟି ସିରିଜରେ ଅପରାଜେୟ ରହିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ପୂର୍ବରୁ ବିଜୟୀ ହୋଇ ଆତ୍ମବିଶ୍ୱାସ ଦୃଢ଼ କରିବ ବୋଲି ଆଶା କରିବା ସ୍ୱାଭାବିକ୍। କିନ୍ତୁ ଏହା ସତ୍ୟ ଯେ ଯେଉଁ ଦଳ ଟସ୍ ଜିତିବା କିମ୍ବା ରନ୍ ଚେଜ୍ କରିବ, ସେହି ଦଳ ନିଶ୍ଚିତଭାବେ ଏହି ମ୍ୟାଚ୍ ଜିତିବ।