ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍କୁ ଭାରତ ପୂର୍ବରୁ ୨-୦ରେ ଜିତି ସାରିଥିବା ବେଳେ ତୃତୀୟ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ୍ କ୍ଲିନ୍ ସୁଇପ୍ ସହ ବିଶ୍ୱକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଦିନିକିଆ ଫର୍ମାଟରେ ଭାରତ କେବେ ବି ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ୍ ସୁଇପ୍ କରିନାହିଁ ଜ୍ଝ ଦୁଇ ଦଳ ମଧ୍ୟରୁ କେହି ବି ନିଜ ମାଟିରେ କିମ୍ବା ଅନ୍ୟର ପରିବେଶରେ ଏହି ଶ୍ରେୟ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏଣୁ ଭାରତ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଶେଷ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ।
ଅନ୍ୟପଟେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଚିନ୍ତା ବଢ଼ାଇବା ଭଳି ତଥ୍ୟ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ୧୭ ଜଣ ଖେଳାଳିଙ୍କୁ ବିସିସିଆଇ ଚୟନ କରିଥିଲେ ହେଁ ଆସନ୍ତାକାଲି ମ୍ୟାଚ୍ ପାଇଁ କେବଳ ୧୩ ଜଣ ଖେଳାଳି ଉପଲବ୍ଧ ହେବେ। ଏମାନଙ୍କ ମଧ୍ୟରୁ ୧୧ ଜଣ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ। ଅକ୍ଟୋବର ୫ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍କୁ ଗୁରୁତ୍ୱ ଦେଉଥିବା ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କିଛି ଖେଳାଳିଙ୍କୁ ବିଶ୍ରାମ ଦେଇଥିଲାବେଳେ କିଛି ଖେଳାଳି ବ୍ୟକ୍ତିଗତ କାମ ଲାଗି ନିଜ ଘରକୁ ପଳାଇଛନ୍ତି। ଆଉ କିଛି ଖେଳାଳିଙ୍କୁ ଜ୍ୱର ହୋଇଛି ବୋଲି ୨ଟି ମ୍ୟାଚ୍ ପରେ ଦଳକୁ ଫେରିଥିବା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଏହା ଫଳରେ ପ୍ରଥମ ୨ଟି ଦିନିକିଆରେ ବିଜୟୀ ହୋଇଥିବା ଭାରତୀୟ ଦଳ ତୃତୀୟ ଦିନିକିଆ ଜିତି କ୍ଲିନ୍ ସୁଇପ କରିବ ବୋଲି ଯେଉଁ ଆଶା କରିଥିଲା ତାହା ୫ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତି ବ୍ୟାକ୍ଫୁଟ୍କୁ ଚାଲିଯାଇଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ୩ ପ୍ରମୁଖ ଖେଳାଳି ଅଧିନାୟକ ପ୍ୟାଟ କମିନ୍ସ, ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ଓ ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ରାଜକୋଟରେ ଅଭ୍ୟାସ କରିଛନ୍ତି। ଏମାନେ ସମସ୍ତେ ତୃତୀୟ ମ୍ୟାଚ୍ରେ ଖେଳିବେ ବୋଲି ଆଶା କରାଯାଉଛି। ସେହିପରି ବିଶ୍ରାମ ନେଇଥିବା ୪ଜଣ ବରିଷ୍ଠ ଖେଳାଳିଙ୍କ ମଧ୍ୟରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି। କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଘରକୁ ଫେରିଯାଇଛନ୍ତି।
‘ଆମର ଏକାଧିକ ଖେଳାଳି ଅସୁସ୍ଥ ଓ ଅନୁପସ୍ଥିତ ଅଛନ୍ତି। କିଛି ଖେଳାଳିଙ୍କର ବ୍ୟକ୍ତିଗତ ଅସୁବିଧା ରହିଛି। ଏମାନେ ନିଜ ଘରକୁ ଫେରିଯାଇଥିଲାବେଳେ ଆଉ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏହା ଫଳରେ ଆମ ନିକଟରେ ଏବେ ୧୩ ଜଣ ଖେଳାଳି ରହିଛନ୍ତି। ଏମାନଙ୍କୁ ନେଇ ଆମକୁ ଖେଳିବାକୁ ହେବ’ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଏହି ମ୍ୟାଚ୍ ଲାଗି ଶୁବମାନ ଗିଲଙ୍କୁ ବିଶ୍ରାମ ଦିଆଯାଇଛି। ଆହତ ହୋଇଥିବା ଅକ୍ଷର ଫିଟ ହୋଇ ନଥିବାରୁ ଦଳକୁ ଫେରିନାହାନ୍ତି। ସାମି, ପାଣ୍ଡ୍ୟା ଓ ଠାକୁର ବ୍ୟକ୍ତିଗତ କାମ ଲାଗି ଘରକୁ ଯାଇଛନ୍ତି। ଏହା ବ୍ୟତୀତ ଆନ୍ତ୍ରିକ ଜ୍ୱର (ଭାଇରାଲ ଫିଭର) ହୋଇଥିବାରୁ ଦଳ ଅଡୁଆରେ ଅଛି ବୋଲି ରୋହିତ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ମୋହାଲି ଓ ଇନ୍ଦୋରରେ ମ୍ୟାଚ୍ ନ ଖେଳି ବିଶ୍ରାମ ନେଇଥିବା ରୋହିତ, ବିରାଟ ଓ କୁଲଦୀପ ଫେରିବା ପରେ ଦଳର ଶକ୍ତିବୃଦ୍ଧି ପାଇଛି। ଆହତ ଓ ଅନୁପସ୍ଥିତି ଏକ ସମସ୍ୟା ହୋଇଥିଲେ ମଧ୍ୟ ଏହାର ପୂରଣ ଲାଗି ଆମେ ସ୍ଥାନୀୟ ପ୍ରଥମଶ୍ରେଣୀ ଖେଳାଳିଙ୍କୁ ଦଳରେ ସାମିଲ କରିଛୁ। ପ୍ରେରକ ମଙ୍କଡ ଓ ଧର୍ମେନ୍ଦ୍ର ସିଂ ଜାଡେଜା ଦଳ ସହ ଅଭ୍ୟାସ କରିଛନ୍ତି। ରୋହିତଙ୍କ ମତରେ ଆସନ୍ତା କିଛି ସପ୍ତାହ ଆମ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ଏବେଠାରୁ ଖେଳାଳିମାନେ ନିଜ ପରିବାର ସହ ସମୟ କଟାଇ ଫେରିଲେ ଉଭୟ ମାନସିକ ଓ ଶାରୀରିକ ଭାବେ ଫିଟ ରହିଥିବେ। ଏହି ଖେଳାଳିଙ୍କୁ ନେଇ ଆମେ ବିଶ୍ୱକପ ଅଭିଯାନରେ ଦୃଢ଼ତାର ସହ ଯାଇପାରିବୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ରେ ତାହାର ସମସ୍ତ ପ୍ରଥମ ପସନ୍ଦର ଖେଳାଳିଙ୍କୁ ଖେଳାଇବ ବୋଲି ଆଶା ରଖିଛି। ଅଧିନାୟକ ପ୍ୟାଟ କମିନ୍ସ ଦ୍ୱିତୀୟ ଦିନିକିଆରେ ବିଶ୍ରାମ ନେବା ପରେ ତୃତୀୟ ମ୍ୟାଚ୍ରେ ଦଳର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଓ ମିଚେଲ ଷ୍ଟାର୍କ ଏଠାରେ ଜୋରଦାର ଅଭ୍ୟାସ କରିଛନ୍ତି। ଏମାନେ ସମସ୍ତେ ଏହି ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ଖେଳାଇବାରେ ଅସମର୍ଥ ହୋଇଥିଲା। ବିଶ୍ୱକପ୍ ପୂର୍ବରୁ ଏହା ଦଳର ଶେଷ ମ୍ୟାଚ୍। ଏଣୁ ସମସ୍ତ ଖେଳାଳିଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ ବୋଲି ଅଧିନାୟକ ପ୍ୟାଟ କମିନ୍ସ କହିଛନ୍ତି।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିସାନ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ଯଶ୍ପ୍ରୀତ ବୁମ୍ରା, ମହମ୍ମଦ୍ ସିରାଜ।
ଅଷ୍ଟ୍ରେଲିଆ: ମିଚେଲ ମାର୍ଶ, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ୍, ମାର୍ନସ ଲାବୁସେନ, ଆଲେକ୍ସ କ୍ୟାରୀ (ୱିକେଟରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜ୍ଲେଉଡ୍ ଓ ଆଦାମ ଜାମ୍ପା।