ବିଶାଖାପଟନମ: ଆଇସିସି ଦିନିକିଆ ଶେଷ ହେବାର ୩ ଦିନପରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ। ସ୍ଥାନୀୟ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଗୁରୁବାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ବିଶ୍ୱକପ୍ ଫାଇନାଲ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ତେଣୁ ଏହି ସିରିଜ ଜିତି ଭାରତ କିଛିଟା ଆଶ୍ବସ୍ତି ଲାଭ କରିବାକୁ ପ୍ରୟାସ କରିବ। ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ପଡ଼ିଆକୁ ଓହ୍ଲାଇବ। ପୂର୍ବତନ ବ୍ୟାଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) ଅଧ୍ୟକ୍ଷ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ସେହିପରି ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ମାଥ୍ୟୁ ୱେଡ୍। ଦୀର୍ଘ ଏକ ବର୍ଷ ପରେ ସେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଟି-୨୦ ସ୍ପୋଶାଲିଷ୍ଟ ଦ୍ରୁତ ବୋଲର ଅର୍ଶଦୀପ ସିଂ ପୁଣି ଥରେ ଚମକ ଦେଖାଇବାର ସୁଯୋଗ ପାଇବେ। ଆହତ ହୋଇ ବିଶ୍ୱକପ୍ରୁ ବାଦ୍ ପଡ଼ିଥିବା ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏହି ଦଳରେ ସ୍ଥାନ ପାଇଛନ୍ତି।
ପିଚ୍ ଉଭୟ ବ୍ୟାଟର, ବୋଲରଙ୍କୁ ସୁହାଇବ
ବିଶାଖାପଟନମର ଏହି ପିଚ୍ ସନ୍ତୁଳିତ ମନେହେଉଛି। ଉଭୟ ବ୍ୟାଟର ଓ ବୋଲରଙ୍କୁ ଏହି ପିଚ୍ ସୁହାଇବ। ଏଠାରେ ଗତ ୧୦ଟି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ହାରାହାରି ସ୍କୋର ୧୩୨ ରହିଛି। ଟସ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଟସ୍ ଜିତିବା ଦଳ ବ୍ୟାଟିଂ କରିବାକୁ ପସନ୍ଦ କରିବ। ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳ ଏଠାରେ ୬୭% ମ୍ୟାଚ୍ ଜିତିଛି। ଉଭୟ ଦ୍ରୁତ ବୋଲର ଓ ସ୍ପିନର ଏହି ପିଚ୍ରେ ସହାୟତା ପାଇବେ।
ଭାରତର ରେକର୍ଡ ଭଲ ରହିଛି
ଟି-୨୦ରେ ଉଭୟ ଦଳ ପରସ୍ପରକୁ ୨୬ଥର ଭେଟିଛନ୍ତ ଓ ଭାରତର ରେକର୍ଡ ଭଲ ରହିଛି। ଭାରତ ୧୫ଟି ମ୍ୟାଚ୍ ଓ ଅଷ୍ଟ୍ରେଲିଆ ୧୦ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି। ଗତ ୫ଟି ମ୍ୟାଚ୍ରେ ଭାରତ ୩ ଓ ଅଷ୍ଟ୍ରେଲିଆ ୨ଟିରେ ବିଜୟୀ ହୋଇଛି। ତେଣୁ ଏହି ମ୍ୟାଚ୍ରେ ଭାରତ ଫେବରାଇଟ୍ ବିବେଚିତ ହେଉଛି। ସିରିଜର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ୨୬, ୨୮, ଡିସେମ୍ବର ୧ ଓ ୩ରେ ଯଥାକ୍ରମେ ଥିରୁବନନ୍ତପୁରମ, ଗୁଆହାଟୀ, ରାୟପୁର ଓ ବେଙ୍ଗାଲୁରୁରେ ଖେଳାଯିବ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ ଖାନ ଓ ମୁକେଶ କୁମାର।
ଅଷ୍ଟ୍ରେଲିଆ ଦଳ: ମାଥ୍ୟୁ ୱେଡ (ଅଧିନାୟକ), ଷ୍ଟିଭ ସ୍ମିଥ୍, ଆରୋନ ହାର୍ଡି, ଜୋଶ ଇଂଲିଶ, ମାର୍କସ ଷ୍ଟୋଇନିସ୍, ଟିମ ଡେଭିଡ୍, ସିନ ଆବୋଟ, ନାଥନ ଏଲିସ୍, ଜାସନ ବେହେରନଡୋର୍ଫ, ମାଥ୍ୟୁ ଶର୍ଟ, ସ୍ପେନସର ଜନଦସନ, ତନବୀର ସାଙ୍ଗା, ଟ୍ରାଭିସ ହେଡ ଓ ଗ୍ଲେନ ମ୍ୟାକ୍ସୱେଲ।