ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦, ସିରିଜ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଦାମ୍ବୁଲା: ଶ୍ରୀଲଙ୍କାକୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ହରାଇ ଭାରତ ସ୍ଥାନୀୟ ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଆଗୁଆ ବିଜୟୀ ହୋଇଛି। ଏହି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଆସନ୍ତାକାଲି ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ୩-୦ରେ ସିରିଜ୍‌ ଜିତିବା ସହ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳ ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଅପେକ୍ଷା ଭଲ ଖେଳ […]

ଦାମ୍ବୁଲା: ଶ୍ରୀଲଙ୍କାକୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ହରାଇ ଭାରତ ସ୍ଥାନୀୟ ପାଲିକଲ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଆଗୁଆ ବିଜୟୀ ହୋଇଛି। ଏହି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ଆସନ୍ତାକାଲି ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ୩-୦ରେ ସିରିଜ୍‌ ଜିତିବା ସହ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳ ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଅପେକ୍ଷା ଭଲ ଖେଳ ପ୍ରଦର୍ଶନ କରିଛି। ଏଣୁ ଦଳ ଶେଷ ମ୍ୟାଚ୍‌ରେ ବିଜୟୀ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌।

ବ୍ୟାଟିଂ ହେଉ ଅବା ବୋଲିଂ ଭାରତର ପ୍ରଦର୍ଶନ ଠିକ୍‌ଠାକ୍‌ ରହିଛି। କିନ୍ତୁ ଶ୍ରୀଲଙ୍କା ଟପ୍‌ ଅର୍ଡର ବ୍ୟାଟରଙ୍କ ବିପକ୍ଷରେ ଭାରତୀୟ ବୋଲର ସଂଘର୍ଷ କରିବା। ଏହି ୩ ଜଣ ଟପ୍‌ ଅର୍ଡର ବ୍ୟାଟରଙ୍କୁ ପାଭିଲିୟନ ପଠାଇଦେଲେ ଶ୍ରୀଲଙ୍କାର ପ୍ରତିରୋଧ ଶେଷ ହୋଇଯାଉଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଜଣାପଡ଼ିଛି। ଭାରତ ବିପକ୍ଷରେ ଲଢେ଼ଇ କରିବାକୁ ହେଲେ ଦଳର ମିଡଲ ଅର୍ଡର ବ୍ୟାଟିଂକୁ ସଜାଡିବାକୁ ହେବ। ନଚେତ ଭାରତକୁ ମୁକାବିଲା କରିବା ସମ୍ଭବ ହେବ ନାହିଁ। ଭାରତୀୟ ଦଳର ବ୍ୟାଟିଂ ବେଶ ଦୃଢ଼ ରହିଛି ଓ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦୃଢ଼ ପ୍ରଦର୍ଶନ କରିଛନ୍ତି। ଏଣୁ ବ୍ୟାଟିଂକୁ ନେଇ ଭାରତ ଚିନ୍ତିତ ନୁହେଁ। ଶୁବମାନ ଗିଲ ଫିଟ୍‌ ହେଲେ ତୃତୀୟ ମ୍ୟାଚ୍‌ ଖେଳିବେ, ନଚେତ ସଞ୍ଜୁ ସାମସନଙ୍କୁ ଶେଷଥର ସୁଯୋଗ ମିଳିବ।

ବୋଲିଂରେ ଭାରତ ପ୍ରଥମେ ପ୍ରଭାବ ପକାଇପାରି ନାହିଁ। କିନ୍ତୁ ସ୍ପିନର ଟପ୍‌ ଅର୍ଡରକୁ ଆଉଟ କରିଦେଲେ ଭାରତୀୟ ପେସ୍‌ର ପ୍ରଭାବୀ ହୋଇପଡ଼ୁଛନ୍ତି। କିନ୍ତୁ ଦଳର ନଂ-୧ ବୋଲର ମହମ୍ମଦ୍‌ ସିରାଜ ୱିକେଟ ନ ପାଇବା ଚିନ୍ତାର କାରଣ ହୋଇଛି। ଅନ୍ୟ ସବୁ ବୋଲର ଭଲ ଫର୍ମରେ ଅଛନ୍ତି ଓ ଶ୍ରୀଲଙ୍କାର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଶ୍ରୀଲଙ୍କାର ପେସ୍‌ ବୋଲରଙ୍କ ମଧ୍ୟରେ ମାଥୀଶା ପତିରାଣା ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ପେସ୍‌ କିମ୍ବା ସ୍ପିନର ବୋଲର ଭାରତୀୟ ବ୍ୟାଟରଙ୍କ ପ୍ରତି ବିପଦ ସୃଷ୍ଟି କରିନାହାନ୍ତି। ଭାରତକୁ ଅଡ଼ୁଆରେ ପକାଇବାକୁ ହେଲେ ବୋଲିଂରେ ଉନ୍ନତି ଆଣିବା ନିହାତି ଆବଶ୍ୟକ। ନଚେତ ଭାରତର ପ୍ରଭାବକୁ ପ୍ରତିହତ କରିବା ଏତେଟା ସହଜ ହେବ ନାହିଁ।

୨ରୁ ଦିନିକିଆ ସିରିଜ; ରୋହିତ, କୋହଲି ପହଞ୍ଚିଲେ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ଅଗଷ୍ଟ ୨ରୁ ଆରମ୍ଭ ହେବ। ଏହି ସିରିଜ୍‌ରେ ଖେଳିବା ଲାଗି ଅଧିନାୟକ ରୋହିତ ଶର୍ମା ଆମେରିକାରୁ ଓ ବରିଷ୍ଠ ଖେଳାଳି ବିରାଟ କୋହଲି ଲଣ୍ଡନରୁ ଆସି ଗତକାଲି ଏଠାରେ ପହଞ୍ଚିଛନ୍ତି। ଏମାନଙ୍କ ବ୍ୟତୀତ କେବଳ ଦିନିକିଆ ସିରିଜ୍‌ ଲାଗି ମନୋନୀତ ହୋଇଥିବା ଖେଳାଳିମାନେ ଯଥା ଲୋକେଶ ରାହୁଲ, ଶ୍ରେୟାସ ଆୟର, କୁଲଦୀପ ଯାଦବ ଓ ହର୍ଷିତ ରାଣା ମଧ୍ୟ ଏଠାରେ ଆସି ପହଞ୍ଚିଛନ୍ତି। ଏମାନେ ସୋମବାର କଲମ୍ବୋରେ ରଣସିଂହେ ପ୍ରେମଦାସା ଷ୍ଟାଡିୟମ୍‌ରେ ଅଭ୍ୟାସ କରିଛନ୍ତି। ଭାରତୀୟ ଦଳ ଶ୍ରୀଲଙ୍କା ସହ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ଖେଳିବା ପରେ ଏଠାରେ ଆସି ଅଭ୍ୟାସ କରିବେ। କଲମ୍ବୋରେ ଖେଳାଳିଙ୍କ ସହ ଅଭ୍ୟାସ କରିବା ଲାଗି ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ପଠାଯାଇଛି। ବୋଲିଂ ପ୍ରଶିକ୍ଷକ ମୋର୍ଣ୍ଣି ମୋର୍କେଲ ମଧ୍ୟ ଦଳ ସହ ଯୋଗଦେବେ ବୋଲି ଆଶା କରାଯାଉଛି। ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ। ଦିନିକିଆ ମ୍ୟାଚ୍‌ ଗୁଡିକ ଅଗଷ୍ଟ ୨, ୪ ଓ ୭ରେ ଖେଳାଯିବ। ଏହା ପରେ ଘରୋଇ ମାଟିରେ ବାଂଲାଦେଶ ସହ ଭାରତ ଟେଷ୍ଟ ଓ ଟି-୨୦ ସିରିଜ୍‌ ଖେଳିବ। ଏହା ମଧ୍ୟରେ ଚେନ୍ନଇରେ ସେପ୍ଟେମ୍ବର ୬ରୁ ୨ଟିକିଆ ଟେଷ୍ଟ ସିରିଜ୍‌ ସେପ୍ଟେମ୍ବର ୧୯ରୁ ଓ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଧର୍ମଶାଳରେ ଅକ୍ଟୋବର ୬ରୁ ଆରମ୍ଭ ହେବ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ (ୱିକେଟରକ୍ଷକ), ଋଷଭ ପନ୍ତ୍‌ (ୱିକେଟ ରକ୍ଷକ), ଶ୍ରେୟାସ ଆୟର, ଶିବମ ଦୁବେ, ରିୟାନ ପରାଗ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ୍‌ ଓ ହର୍ଷିତ ରାଣା।

About The Author: The Sakala