ଆଜିଠାରୁ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଟେଷ୍ଟ; କର ବା ମର ସ୍ଥିତିରେ ଭାରତ…

ଓଲ୍ଡ ଟ୍ରାଫୋର୍ଡ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ମୁକାବିଲା ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ଟେଷ୍ଟ ମଧ୍ୟରୁ ଲିଡ୍ସ ଓ ଲର୍ଡ୍‌ସରେ ଇଂଲଣ୍ଡ ଓ ଏଜ୍‌ବାଷ୍ଟନରେ ଭାରତ ବିଜୟୀ ହୋଇଛି। ଏହା ଫଳରେ ଇଂଲଣ୍ଡ ୨-୧ରେ ସିରିଜ୍‌ ଆଗୁଆ ରହି ଓ ଭାରତ ୧-୨ରେ ପଛୁଆ ରହି ଚତୁର୍ଥ ଟେଷ୍ଟ ଖେଳିବାକୁ ଯାଉଛି। ଏହି ଟେଷ୍ଟର ଫଳାଫଳ ଭାରତ ସପକ୍ଷରେ ଗଲେ ସିରିଜ୍‌ […]

ଓଲ୍ଡ ଟ୍ରାଫୋର୍ଡ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ମୁକାବିଲା ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ଟେଷ୍ଟ ମଧ୍ୟରୁ ଲିଡ୍ସ ଓ ଲର୍ଡ୍‌ସରେ ଇଂଲଣ୍ଡ ଓ ଏଜ୍‌ବାଷ୍ଟନରେ ଭାରତ ବିଜୟୀ ହୋଇଛି। ଏହା ଫଳରେ ଇଂଲଣ୍ଡ ୨-୧ରେ ସିରିଜ୍‌ ଆଗୁଆ ରହି ଓ ଭାରତ ୧-୨ରେ ପଛୁଆ ରହି ଚତୁର୍ଥ ଟେଷ୍ଟ ଖେଳିବାକୁ ଯାଉଛି। ଏହି ଟେଷ୍ଟର ଫଳାଫଳ ଭାରତ ସପକ୍ଷରେ ଗଲେ ସିରିଜ୍‌ ୨-୨ରେ ବରାବର ସ୍ଥିତିକୁ ଆସିବ। ଇଂଲଣ୍ଡ ଯଦି ବିଜୟୀ ହୁଏ ତେବେ ଆଉ ଗୋଟିଏ ଟେଷ୍ଟ ବାକିଥାଇ ଘରୋଇ ଦଳ ୩-୧ରେ ସିରିଜ୍‌ କବ୍‌ଜା କରିବ। ମ୍ୟାଚ୍‌ ଡ୍ର ରହିଲେ ୫ମ ଟେଷ୍ଟ ସିରିଜ୍‌ ନିର୍ଣ୍ଣାୟକ ହେବ। ଏଣୁ ଏଠାରେ ସିରିଜ୍‌ ବଞ୍ଚାଇବାକୁ ହେଲେ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ। ଆହତ ଭାରତୀୟ ଦଳ ଏହି ମ୍ୟାଚ୍‌ରେ କର ଅବା ମର ସ୍ଥିତିରେ ରହିଛି। କିନ୍ତୁ ଏହି ଟେଷ୍ଟରେ ଅଧିକାଂଶ ସମୟ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ବର୍ଷା ହେଲେ ମ୍ୟାଚ୍‌ର ଫଳାଫଳ ମିଳିବା କଷ୍ଟକର।

ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଭାରତର କିଛି ଖେଳାଳି ଆହତ ହେବାରୁ ଦଳର ସମୀକରଣ ବଦଳିଯାଇଛି। ଯେଉଁ ଯୋଜନା ନେଇ ଭାରତ ଏହି ଟେଷ୍ଟ ଖେଳିବାକୁ ଯାଉଥିଲା ତାହା ବଦଳିଯାଇଛି। ଦୁଇ ଫାଷ୍ଟ ବୋଲର ଆକାଶ ଦୀପ ଓ ଅର୍ଶଦୀପ ସିଂହ ଆହତ ହୋଇ ଏହି ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପେସ୍‌ ବୋଲିଂ ଅଲରାଉଣ୍ଡର ନୀତୀଶ ରେଡ୍ଡିଙ୍କ ଆଣ୍ଠୁରେ ଆଘାତ ଲାଗିବାରୁ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଏଣୁ ଭାରତକୁ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିଛି ବୋଲି କହିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ୍‌। ପ୍ରତିପକ୍ଷ ଦଳର ୨୦ଟି ଯାକ ୱିକେଟ ନେବାକୁ ହେଲେ ଏହି ଅସୁବିଧା ଯୋଗୁଁ ବିଶ୍ରାମ ନେବାକୁ ଯାଉଥିବା ଯଶ୍‌ପ୍ରୀତ ବୁମ୍‌ରା ଏହି ଟେଷ୍ଟ ଖେଳିବେ। ଭାରତ ଏହି ମ୍ୟାଚ୍‌ରେ ୩ଜଣ ଫାଷ୍ଟ ବୋଲର ଓ ୨ଜଣ ସ୍ପିନ ବୋଲିଂ ଅଲରାଉଣ୍ଡରଙ୍କୁ ନେଇ ଖେଳିବ ବୋଲି ଗିଲ ସୂଚନା ଦେଇଛନ୍ତି। ‘ତୃତୀୟ ଟେଷ୍ଟ ଖେଳିଥିବା ଆମର ୯ କିମ୍ବା ୧୦ଜଣ ଖେଳାଳି ଚତୁର୍ଥ ମ୍ୟାଚ୍‌ରେ ଖେଳିବେ। ଆହତ ସମସ୍ୟା ଯୋଗୁଁ ଦୁଇ ଫାଷ୍ଟ ବୋଲର ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜ୍‌ ଏଠାରେ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କରୁନ ନାୟାର ପୂର୍ବପରି ନଂ-୩ରେ ବ୍ୟାଟିଂ କରିବେ ଓ ଋଷଭ ପନ୍ତ୍‌ ୱିକେଟ କିପିଂ କରିବେ’ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଅଧିନାୟକ ଗିଲ୍‌। ଏହି ସୂଚନାକୁ ଆଧାରକୁ ନେଲେ ଆକାଶ ଦୀପ୍‌ଙ୍କ ସ୍ଥାନରେ କାମ୍ବୋଜ ଡେବ୍ୟୁ କରିବେ। କିନ୍ତୁ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ ତାହା ସ୍ଥିର ହୋଇନାହିଁ। ସମସ୍ତଙ୍କ ଆଖି ରହିଛି ଦଳର ଦ୍ୱିତୀୟ ୱିକେଟରକ୍ଷକ ତଥା ବିଦେଶରେ ଭଲ ବ୍ୟାଟିଂ କରୁଥିବା ଧ୍ରୁବ ଜୁରେଲଙ୍କ ଉପରେ। କିନ୍ତୁ ଗିଲ୍‌ଙ୍କ ମତରେ ଓଲ୍ଡ ଟ୍ରାଫୋର୍ଡ ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବ। ଏଣୁ ଜୁରେଲଙ୍କ ସ୍ଥାନରେ ଫର୍ମରେ ନ ଥିବା ପେସ୍‌ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ଖେଳିବା ନେଇ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଏହି ଗୋଟିଏ ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ୧୦ଜଣ ଖେଳାଳିଙ୍କ ନାମ ଏକ ପ୍ରକାର ଚୂଡାନ୍ତ ହୋଇସାରିଛି।

ଖେଳାଳି ଦଳ
ଭାରତର ସମ୍ଭାବ୍ୟ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟାର, ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ୍‌ (ୱିକେଟରକ୍ଷକ/ ଉପଅଧିନାୟକ), ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଯଶ୍‌ପ୍ରୀତ୍‌ ବୁମ୍‌ରା୍‌, ମହମ୍ମଦ୍‌ ସିରାଜ, ଅଂଶୁଲ କାମ୍ବୋଜ୍‌, ସାଇ ସୁଦର୍ଶନ/ ଧ୍ରୁବ ଜୁରେଲ/ଶାର୍ଦ୍ଦୁଳ ଠାକୁର।

ଇଂଲଣ୍ଡ ଏକାଦଶ : ଜ୍ୟାକ୍‌ କ୍ରଲୀ, ବେନ୍‌ ଡକେଟ, ଓଲି ପୋପ୍‌, ଜୋ ରୁଟ, ହ୍ୟାରୀ ବ୍ରୁକ୍‌, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍‌ (ୱିକେଟରକ୍ଷକ), କ୍ରିସ୍‌ ୱକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର ଓ ଲିଆମ ଡାୱସନ।

ପ୍ରଥମ ସେସନ : ଅପରାହ୍ଣ ୩ଟା ୩୦ରୁ ୫ଟା ୩୦
ଦ୍ୱିତୀୟ ସେସନ : ସନ୍ଧ୍ୟା ୫ଟା ୩୦ରୁ ରାତି ୭ଟା ୩୦
ତୃତୀୟ ସେସନ : ରାତି ୮ଟା ୧୦ରୁ ଖେଳ ଶେଷ ପର୍ଯ୍ୟନ୍ତ

ପ୍ରସାରଣ
ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କ
ଜିଓ ହଟ୍‌ଷ୍ଟାର, ଡିଡି ସ୍ପୋର୍ଟ୍ସ

About The Author: The Sakala