ମୁମ୍ବାଇ : ବିଶ୍ୱକପ୍ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା ଖେଳାଯାଇଛି। ପ୍ରଥମ ସେମିରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମାନ ଗିଲ ଓ ବିରାଟ କୋହଲି ସମ୍ଭାଳିଥିଲେ । ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଥୀ ୩ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ ନେଇଥିଲେ।
ଏଥି ସହିତ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ଆଜି ଭାଙ୍ଗିଛନ୍ତି ବିରାଟ କୋହଲି। ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଶତକ ମାରିସାରିଲେଣି । ବିରାଟ ଦିନିକିଆ କ୍ରିକେଟରେ ବିଶ୍ବର ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।
ସେହିପରି ‘ହିଟମ୍ୟାନ୍’ ରୋହିତ ଶର୍ମା ଆଜି ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି। ରୋହିତ୨୯ ବଲରେ ୪୭ ରନର ଚମତ୍କାର ଇନିଂସ ଖେଳିଥିଲେ। ରୋହିତ ଶର୍ମା ତାଙ୍କ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏହା ସହ ରୋହିତ ଶର୍ମା ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି। ରୋହିତ ଶର୍ମା ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ ପୂରଣ କରିଛନ୍ତି। ଭାରତ ପାଇଁ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ କରିଥିଲେ।