ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ନେଦରଲାଣ୍ଡ୍ସକୁ ୧୮୦ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ କେଏଲ ରାହୁଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋହିତ ଶର୍ମା ଓ ବିରାଟ କୋହଲି ସମ୍ଭାଳିଥିଲେ। ରୋହିତ ଶର୍ମା ଏକ ଅର୍ଦ୍ଧ ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ରୋହିତ ଶର୍ମା ୩୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ। ଉଭୟ ଶେଷ ପର୍ଯ୍ଯନ୍ତ ଅପରାଜିତ ରହି ଅର୍ଦ୍ଧ ଶତକୀୟ ଇଂନିସ ଖେଳିଥିଲେ। ସୂର୍ଯ୍ଯକୁମାର ଯାଦବ ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିବା ବେଳେ ବିରାଟ ୪୪ ବଲରେ ୬୪ ରନ କରି ଅପରାଜିତ ରହିଥିଲେ।
ନେଦରଲାଣ୍ଡ୍ସ ପକ୍ଷରୁ ପଲ ଭାନ ମିକରେନ ଓ ଫ୍ରେଡ କ୍ଲାସେନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।