ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆୟୋଜନ ହେବାକୁ ଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ପାକିସ୍ତାନରେ ଖେଳାଯିବା ସମ୍ଭାବନା ଦୃଢ ହୋଇଛି। ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। କିନ୍ତୁ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ମ୍ୟାଚ୍ଗୁଡିକ ପାକିସ୍ତାନ ବାହାରେ ଖେଳାଯିବ। ଅର୍ଥାତ ଭାରତ ତା’ର ମ୍ୟାଚ୍ଗୁଡିକ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ଓମାନ କିମ୍ବା ଶ୍ରୀଲଙ୍କାରେ ଖେଳିବ। ତେଣୁ ଭାରତର ମ୍ୟାଚ୍ଗୁଡିକ ପାକିସ୍ତାନରୁ ଏହି ଦେଶଗୁଡିକ ମଧ୍ୟରୁ ଗୋଟିଏକୁ ସ୍ଥାନାନ୍ତର ହେବ। ଇଂଲଣ୍ଡରେ ମଧ୍ୟ ଭାରତ ତା’ର ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆୟୋଜନ ହେବାକୁ ଥିବା ଏସିଆ କପ୍ ୧୩ ଦିନଧରି ଚାଲିବ। ଏଥିରେ ୬ଟି ଦଳ ଅଂଶଗ୍ରହଣ କରିବେ ଓ ଫାଇନାଲ ସମେତ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ। ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସାମିଲ ରହିଛନ୍ତି। ଅନ୍ୟଏକ ଦଳ ଯୋଗ୍ୟତା ହାସଲ କରିବା ପରେ ଏହି ଗ୍ରୁପ୍ରେ ସାମିଲ ହେବ। ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅନ୍ୟ ଗ୍ରୁପ୍ରେ ସାମିଲ ରହିଛନ୍ତ। ଯଦି ଭାରତ ଫାଇନାଲକୁ ଉଠେ ତାହାଲେ ଏହି ନିର୍ଣ୍ଣାୟକ ମ୍ୟାଚ ନିରପେକ୍ଷ ସ୍ଥାନରେ ଖେଳଯିବ ବୋଲି କୁହାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ୨ଟି ମ୍ୟା୍ଚ ଖେଳିବ। ଯଦି ଗୋଟିଏ ମ୍ୟାଚ୍ରେ ବିଜୟୀ ହୁଏ ତେବେ ଭାରତ ସୁପର-୪କୁ ଉଠିବ ଓ ୩ଟି ମ୍ୟାଚ୍ ଖେଳିବ। ପୁଣି ଯଦି ଭାରତ ଫାଇନାଲକୁ ଉଠେ ତେବେ ମୋଟ୍ ୬ଟି ମ୍ୟାଚ୍ ଖେଳିବ। ତେଣୁ ଭାରତ ଓ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ୩ଥର ଭେଟିବାର ସମ୍ଭାବନା ରହିଛି।