ଗଲ୍ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନରେ ହରାଇଲା ଭାରତ: ଯାଦୁ ଦେଖାଇଲେ ସ୍ପିନର ମାନବ ସୁତାର

ଗଲ୍‌: ଗଲ୍ (Galle) ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଯୁବ ବାମହାତୀ ସ୍ପିନର ମାନବ ସୁତାରଙ୍କ ଘାତକ ବୋଲିଂ ବଳରେ ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ମାନବ ଦ୍ୱିତୀୟ ଇନିଂସରେ ୬-୫୫ ଏବଂ ମ୍ୟାଚରେ ମୋଟ ୧୦-୧୦୧ ୱିକେଟ୍ ଅକ୍ତିଆର କରି ଶ୍ରୀଲଙ୍କା ବ୍ୟାଟିଂ ଲାଇନଅପ୍‌କୁ ଧରାଶାୟୀ କରିଦେଇଛନ୍ତି।

ନିଜ କ୍ୟାରିୟରର ମାତ୍ର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ମାନବ ସୁତାର ଶ୍ରୀଲଙ୍କା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ତାଙ୍କ ସ୍ପିନ ଜାଲରେ ଛନ୍ଦି ହୋଇ ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ୭୭.୪ ଓଭରରେ ମାତ୍ର ୨୦୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡି ସିଲଭା (୫୯) ଏବଂ ସୋନାଲ୍ ଦିନୁଶା (୮୪) କିଛି ସମୟ ପାଇଁ ଲଢେଇ କରିଥିଲେ, କିନ୍ତୁ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ସୂଚନାଯୋଗ୍ୟ ଯେ, ଏହା ଗାଲ୍ ଷ୍ଟାଡିୟମର ୫୦ତମ ଟେଷ୍ଟ ଏବଂ ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍ ଥିଲା। ଏହି ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC)ରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି।

ଦିନର ଖେଳ ଆରମ୍ଭରୁ ଡି ସିଲଭା ଏବଂ ଦିନୁଶା ଦୃଢତାର ସହ ବ୍ୟାଟିଂ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ୯୫ ରନର ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ତେବେ ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ଯୋଡିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଏବଂ ଡି ସିଲଭାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୱିକେଟକିପର ବ୍ୟାଟର ଡିକୱେଲା (୧୦)ଙ୍କୁ ଆଉଟ୍ କରି ଭାରତକୁ ଆଉ ଏକ ସଫଳତା ଦେଇଥିଲେ। ଅନ୍ୟପଟେ ଦିନୁଶା ନିଜର ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ୭୬ତମ ଓଭରରେ ମାନବ ସୁତାର ଏକାଥରକେ ୩ଟି ୱିକେଟ୍ ନେଇ ଶ୍ରୀଲଙ୍କା ଦଳର ଆଶା ଉପରେ ପାଣି ପକାଇ ଦେଇଥିଲେ।

ଭାରତର ଏହି ବିଶାଳ ବିଜୟରେ ବ୍ୟାଟରମାନଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା। ପ୍ରଥମ ଇନିଂସରେ ଦେବଦତ୍ତ ପାଡିକଲଙ୍କ ଚମତ୍କାର ୧୬୭ ରନର ଶତକୀୟ ଇନିଂସ ଭାରତକୁ ଏକ ବିଶାଳ ଅଗ୍ରଣୀ ପ୍ରଦାନ କରିଥିଲା। ସେହିପରି ଦ୍ୱିତୀୟ ଇନିଂସରେ ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କ ବୁଦ୍ଧିମାନ ୬୬ ରନ୍ ସ୍କୋର ବୋଲରମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥିଲା। ଶେଷରେ ୭୮ତମ ଓଭରରେ ସୁତାର ଶେଷ ୱିକେଟ୍ ନେଇ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୧-୦ ରେ ଆଗୁଆ କରିଛନ୍ତି।

About The Author: Madhusudan Das