ଲିଡ୍ସ,: ନୂଆ ଟିମ୍, ନୂଆ ଅଧିନାୟକ, ନୂଆ ଖେଳାଳିଙ୍କୁ ନେଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ନୂଆ ଟ୍ରଫି (ତେନ୍ଦୁଲକର-ଆଣ୍ଡରସନ) ଲାଗି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜି ଠାରୁ ଆରମ୍ଭ ହେବ। ଏହି ସିରିଜ୍ ଉଭୟ ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ ଭାରତୀୟ ଦଳ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଲାଗି ଏହି ସିରିଜ୍ ସଫଳତାର ଖୋରାକ ଯୋଗାଇବ। ଭାରତୀୟ ଦଳର ନେତୃତ୍ୱରେ ନେବେ ଜଣେ ନୂଆ ଖେଳାଳି ଶୁବମନ ଗିଲ୍। ଇଂଲଣ୍ଡରେ ତାଙ୍କର ମାତ୍ର ୩ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି। ତାଙ୍କୁ ପରାମର୍ଶ ଦେବାକୁ ମଧ୍ୟ ଦଳରେ ଅଭିଜ୍ଞ ଖେଳାଳି ନାହାନ୍ତି। ୭ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା କରୁନ ନାୟାର ଇଂଲଣ୍ଡ ଲାୟନ୍ସର ଦୁର୍ବଳ ବୋଲିଂ ବିପକ୍ଷରେ ଶତକୀୟ ପାଳି ଖେଳିଛନ୍ତି। ଏହା ତାଙ୍କୁ ଇଂଲଣ୍ଡ ପରିବେଶ ଓ ଟପ୍ କ୍ଲାସ୍ ବୋଲିଂ ବିପକ୍ଷରେ କେତେ ସହାୟତା କରିବ ତାହା ଖେଳ ଆରମ୍ଭ ପରେ ଜଣାପଡ଼ିବ। ଏଭଳି ସମୟରେ ନୂଆ ଖେଳାଳିମାନେ ଆଗକୁ ଆସିବେ। ଇଂଲଣ୍ଡର ପିଚ୍ ଓ ପରିବେଶରେ ଖାପ୍ ଖୁଆଇବା ଭାରତୀୟଙ୍କ ଲାଗି କଷ୍ଟକର ହେବ। ଦଳ ମଧ୍ୟ ଏହି ପରିବେଶ ସମ୍ପର୍କରେ ବିଶେଷ ଅବଗତ ନୁହେଁ। କିଏ ଫର୍ମରେ ଅଛି ବା ନାହିଁ ତାହା ବଡ଼ କଥା ନୁହେଁ, ଏଭଳି ପରିବେଶରେ କିଏ ଖାପ୍ ଖୁଆଇ ଖେଳିବ ତାହା ଉପରେ ସବୁକିଛି ନିର୍ଭର କରେ। ଇଂଲଣ୍ଡରେ ଗିଲ୍ ମାତ୍ର ୩ଟି ଟେଷ୍ଟ ଖେଳି ୮୮ ରନ୍ କରିଛନ୍ତି। ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, ଋଷଭ ପନ୍ତ୍ ଓ ରବୀନ୍ଦ୍ର ଜାଡେଜାଙ୍କ ଉପରେ ବ୍ୟାଟିଂ ନିର୍ଭର କରିବ। ଏମାନେ କିଛି ନ କିଛି ଟେଷ୍ଟରେ ପ୍ରଦର୍ଶନ କରିଛନ୍ତି।
ବୋଲିଂରେ ଭାରତର ପେସ୍ ବାହିନୀ ପ୍ରତିପକ୍ଷ ଇଂଲଣ୍ଡକୁ ଟକ୍କର ଦେବା ସ୍ଥିତିରେ ରହିଛି। ଇଂଲିଶ ବୋଲରଙ୍କ ଅପେକ୍ଷା ଯଶ୍ପ୍ରୀତ୍ ବୁମ୍ରାଙ୍କ ନେତୃତ୍ୱରେ ଗଠିତ ଭାରତୀୟ ପେସ୍ ବାହିନୀ ନିକଟରେ ଦକ୍ଷତା ରହିଛି। କିନ୍ତୁ ଇଂଲଣ୍ଡ ବ୍ୟାଟରଙ୍କ ତୁଳନାରେ ଭାରତୀୟ ବ୍ୟାଟରଙ୍କ ଅଭିଜ୍ଞତାର ଅଭାବ ରହିଛି। ଇଂଲଣ୍ଡ ପରିବେଶ କିପରି ଭାରତକୁ ସୁହାଇବ ତାହା ଉପରେ କେବଳ ଏହି ମ୍ୟାଚ୍ ନୁହେଁ ବରଂ ସିରିଜ୍ ନିର୍ଭର କରିବ।
ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳରେ ରହିଛନ୍ତି ଅଭିଜ୍ଞ ବ୍ୟାଟର ଜୋ ରୁଟ୍ ଓ ବେନ୍ ଷ୍ଟୋକ୍ସ। ଏମାନେ ଏକା ଏକା ଟେଷ୍ଟର ମୋଡ ବଦଳାଇପାରିବାର ଦକ୍ଷତା ରଖିଛନ୍ତି। ଓପନର ଜ୍ୟାକ୍ କ୍ରଲୀ, ବେନ୍ ଡକେଟ ଓ ହ୍ୟାରୀ ବ୍ରୁକ୍ ମଧ୍ୟ ବେଶ ଦକ୍ଷ। ଏମାନେ ଭାରତୀୟ ବୋଲରଙ୍କ ଲାଗି ସମସ୍ୟା ସୃଷ୍ଟି କରିବେ। ସେ ଯାହା ହେଉ ଅଭିଜ୍ଞତା ଓ ପରିବେଶରେ ଇଂଲଣ୍ଡ ଭ୍ରମଣକାରୀ ଭାରତଠାରୁ ସାମାନ୍ୟ ଆଗୁଆ ରହିଛି।
ଦୁଇ ଦେଶ ମଧ୍ୟରେ ଟେଷ୍ଟ ରେକର୍ଡ ଯାହା ହେଉନା କାହିଁକି ଗତଥର ଏଠାରେ ଆୟୋଜିତ ଟେଷ୍ଟ ସିରିଜ୍ ବେଶ ରୋମାଞ୍ଚକ ମୁକାବିଲା ହୋଇଥିଲା। ଏହି ସିରିଜ୍ ଖେଳିଥିବା ରାହୁଲ, ବୁମ୍ରା ଓ ଜାଡେଜା ଦଳକୁ ଫାଇଦାରେ ରଖିବେ ବୋଲି ଆଶା କରାଯାଉଛି।
ଭାରତର ସମ୍ଭାବ୍ୟ ଏକାଦଶ: ଯଶସ୍ୱୀ ଜୟସ୍ୱାଲ, ଲୋକେଶ ରାହୁଲ, କରୁନ ନାୟାର, ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ୍ (ୱିକେଟ ରକ୍ଷକ/ ଉପଅଧିନାୟକ), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯଶ୍ପ୍ରୀତ୍ ବୁମ୍ରା, ମହମ୍ମଦ୍ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା।
ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲୀ, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ, ହ୍ୟାରୀ ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍ (ୱିକେଟ ରକ୍ଷକ), କ୍ରିସ୍ ୱକ୍ସ, ବ୍ରାଇଡନ କାର୍ସ, ଜୋଶ ଟଙ୍ଗ୍, ସୋଏବ ବଶିର।
ଖେଳ ସମୟ
ପ୍ରଥମ ସେସନ : ଅପରାହ୍ଣ ୩ଟା ୩୦ରୁ ୫ଟା ୩୦
ଦ୍ୱିତୀୟ ସେସନ : ସନ୍ଧ୍ୟା ୫ଟା ୩୦ରୁ ରାତି ୭ଟା ୩୦
ତୃତୀୟ ସେସନ : ରାତି ୮ଟା ୧୦ରୁ ଖେଳ ଶେଷ ପର୍ଯ୍ୟନ୍ତ
ପ୍ରସାରଣ: ସୋନି ସ୍ପୋର୍ଟ୍ସ ନେଟ୍ୱର୍କ
ଜିଓ ହଟ୍ଷ୍ଟାର, ଡିଡି ସ୍ପୋର୍ଟ୍ସ