ଢ଼ାକା : ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଢ଼ାକାର ଶେର-ଇ-ବାଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଘରୋଇ ବାଂଲାଦେଶ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ।
ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ପଡ଼ିଆକୁ ଓହ୍ଲାଇବ । ଦିନିକିଆ ଦଳକୁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍ରେ ସବୁ ତାରକା ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିବ । ତେବେ ପ୍ରଥମ ଦିନିକିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲର କୁଳଦୀପ ସେନ୍ ।
ଘରୋଇ ମାଟିରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତ ପାଖାପାଖି ୧୮ଟି ମ୍ୟାଚ୍ ଖେଳିବାକୁ ଥିଲାବେଳେ ଏହି ସିରିଜ୍ରୁ ପ୍ରସ୍ତୁତି ଆରମ୍ଭ କରିବ। ଗତ ଦୁଇବର୍ଷ ଧରି ୨୦୨୧ ଓ ୨୦୨୨ ଟି-୨୦ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ଭାରତୀୟ ଦଳ ଦିନିକିଆ ଟିମ୍ ଉପରେ ଗୁରୁତ୍ୱ ଦେଇନାହିଁ। ଟି-୨୦ ବିଶ୍ୱକପ୍ ପରେ ସିନିଅର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଭାରତ ନ୍ୟୁଜିଲାଣ୍ଡ ସହ ସୀମିତ ଓଭର ସିରିଜ୍ ଖେଳିଥିଲା। ଏବେ କିନ୍ତୁ ୩ ତାରକା ବ୍ୟାଟ୍ଟର ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲ ଦଳକୁ ଫେରିଥିବାରୁ ଭାରତ ପ୍ରଥମଥର ଲାଗି ଶ୍ରେଷ୍ଠ ବ୍ୟାଟିଂ ଲାଇନ୍କୁ ନେଇ ଖେଳିବ।
ବାଂଲାଦେଶର ପିଚ୍ ବ୍ୟାଟ୍ଟରଙ୍କୁ ସୁହାଇବାକୁ ଥିବାରୁ ଏହି ସିରିଜରେ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଘରୋଇ ମାଟିରେ ବାଂଲାଦେଶ ଏକ ଶକ୍ତିଶାଳୀ ଦଳ। ଗତ ୧୦ଟି ଦିନିକିଆ ସିରିଜ୍ ମଧ୍ୟରୁ ଏହି ଦଳ ୮ଟିରେ ବିଜୟୀ ହୋଇଛି। ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍କୁ ହରାଇଛି ବାଂଲାଦେଶ। କିନ୍ତୁ ଶେଷ ଦିନିକିଆ ସିରିଜ୍ରେ ଏହି ଦଳ ଜିମ୍ବାୱେଠାରୁ ହାରିଛି। ଏହି ଦଳର ଦୁଇ ପ୍ରମୁଖ ଖେଳାଳି ତଥା ନିୟମିତ ଅଧିନାୟକ ତମିମ୍ ଇକବାଲ ଓ ଫାଷ୍ଟ ବୋଲର ଟାସ୍କିନ ଅହମ୍ମଦ୍ ଆହତ ଯୋଗୁଁ ଚଳିତ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ଭାରତ ଲାଗି ଏମାନେ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବେ। ତମିମଙ୍କ ସ୍ଥାନରେ ୱିକେଟକିପର ଲିଟ୍ଟନ ଦାସ୍ଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଦଳରେ ସ୍ଥାନ ପାଇଥିବା ୩ ସିନିଅର ଖେଳାଳିଙ୍କୁ ନେଇ ଲିଟ୍ଟନ ଭାରତକୁ ହରାଇପାରିବେ ବୋଲି ଆଶା କରାଯାଉଛି।
୨୦୨୧ ପରଠାରୁ ଭାରତ ୨୭ଟି ଦିନିକିଆ ମ୍ୟାଚ୍ ଖେଳିଛି। କିନ୍ତୁ କୌଣସି ସିରିଜ୍ରେ ଦଳ ସମସ୍ତ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରିପାରିନାହିଁ। ଆହତ ଯୋଗୁଁ ହେଉ କିମ୍ବା ରୋଟେସନ ନିୟମ ଯୋଗୁ ଏହି ଅସୁବିଧା ସୃଷ୍ଟି ହୋଇଥିଲା। ଶିଖର ଧାୱନ ସର୍ବାଧିକ ୨୫ଟି ମ୍ୟାଚ୍ ଖେଳିଛନ୍ତି। ତାରକା ବ୍ୟାଟ୍ଟର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୯ଟି, ବିରାଟ କୋହଲି ୧୧ଟି ଓ ଲୋକେଶ ରାହୁଲ ୧୦ଟି ମ୍ୟାଚ୍ ଖେଳିଛନ୍ତି। ଏମାନେ ମିଳିତଭାବେ ଦଳରେ ସାମିଲ ହେବା ପରେ ବ୍ୟାଟିଂ ନିଶ୍ଚିତଭାବେ ଦୃଢ଼ ହୋଇଛି। ବୋଲିଂରେ ମଧ୍ୟ ଅନୁରୂପ ଅବସ୍ଥା। ଏହି ୨୭ଟି ମ୍ୟାଚ୍ରେ ଦଳର ୩ ପ୍ରମୁଖ ଫାଷ୍ଟ ବୋଲରଙ୍କ ମଧ୍ୟରୁ ଯଶପ୍ରୀତ୍ ବୁମ୍ରା (୫ଟି), ଭୁବନେଶ୍ୱର କୁମାର (୭ଟି) ଓ ମହମ୍ମଦ୍ ସାମି (୩ଟି) ଏହି ସିରିଜରେ ଖେଳୁନାହାନ୍ତି। ଶାର୍ଦ୍ଦୁଳ ଠାକୁର ଏମାନଙ୍କ ମଧ୍ୟରେ ସର୍ବାଧିକ ୧୬ଟି ମ୍ୟାଚ୍ ଖେଳିଛନ୍ତି। ଠାକୁରଙ୍କ ସହ ଦୀପକ ଚହର, ମହମ୍ମଦ୍ ସିରାଜ ଓ ଆହତ ସାମିଙ୍କ ପରିବର୍ତ୍ତେ ଦଳରେ ସାମିଲ ହୋଇଥିବା କୁଲଦୀପ ସେନଙ୍କ ଉପରେ ପେସ୍ ବୋଲିଂ ନିର୍ଭର କରିବ। ନ୍ୟୁଜିଲାଣ୍ଡରେ ୱାଶିଂଟନ ସୁନ୍ଦର ତାଙ୍କ ଅଲରାଉଣ୍ଡ ସଫଳତା ଦେଖାଇଛନ୍ତି। ସେ ଅକ୍ଷର ପଟେଲଙ୍କ ସହ ସ୍ପିନ୍ ବିଭାଗ ଦାୟିତ୍ୱ ସମ୍ଭାଳିବେ ବୋଲି ଆଶା କରାଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଏମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରିବା ସ୍ୱାଭାବିକ୍।