ଆଜିଠୁ ଫିଫା ବିଶ୍ୱକପ୍‍ ସେମିଫାଇନାଲ : ଆର୍ଜେଣ୍ଟିନାକୁ ଅଟକାଇବ କ୍ରୋଏସିଆ

ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ସହ ମୁକାବିଲା ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ। ଏହି ମ୍ୟାଚ୍‍କୁ ନିଜ କବ୍‍ଜାରେ ରଖି କ୍ରୋଏସିଆ ମଧ୍ୟ ମେସିଙ୍କ […]

ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ସହ ମୁକାବିଲା ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ। ଏହି ମ୍ୟାଚ୍‍କୁ ନିଜ କବ୍‍ଜାରେ ରଖି କ୍ରୋଏସିଆ ମଧ୍ୟ ମେସିଙ୍କ ବିଶ୍ୱକପ୍‍ ଜିତିବା ଆଶାକୁ ଧୂଳିସାତ କରିବା ଲକ୍ଷ୍ୟରେ ରହିଛି। ଏହି ଛୋଟିଆ ଦେଶର ଲକ୍ଷ୍ୟ ସ୍ୱତନ୍ତ୍ର। ଏହା କେଉଁଠାରେ ବଡ଼ିମା ଦେଖାଉ ନାହିଁ କିମ୍ବା ବଡ଼ ବଡ଼ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଛି। ଏଭଳି ସମୟରେ ୭ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ମେସି ତାଙ୍କ ଜୀବନରେ ଶେଷଥର ଲାଗି ଏହି ଟ୍ରଫି ହାସଲ କରିବାକୁ ଲଢ଼ିବେ। ଟ୍ରଫି ହାସଲ କରିବାରେ କ୍ରୋଏସିଆ ଏବେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି।

ଏହାର ଖେଳାଳିମାନେ ମଧ୍ୟ ମ୍ୟାଚ୍‍କୁ ନେଇ ବେଶି ଉତ୍ସାହିତ ନୁହଁନ୍ତି। ‘ଆମେ କୌଣସି ଦଳ କିମ୍ବା ଖେଳାଳିଙ୍କୁ ଭୟ କରୁନାହୁଁ। ଆମେ କେବଳ ନିଜର ଶ୍ରେଷ୍ଠ ଖେଳ ଉପରେ ନିର୍ଭର କରୁଛୁ’ ବୋଲି କ୍ରୋଏସିଆର ରକ୍ଷଣଭାଗ ଖେଳାଳି ଜୋସିପ୍‍ ଜୁରାନୋଭିଚ୍‍ କହନ୍ତି। ସେ ଆହୁରି କହନ୍ତି, ଆମେ ମ୍ୟାଚ୍‍ ଖେଳିଲାବେଳେ ଗୋଟିଏ ପରିବାର ଭଳି ଏକତ୍ର ହୋଇ ଖେଳିଥାଉ। ଏହା ହିଁ ଆମର ଶକ୍ତି ଓ ସଫଳତାର ମୂଳମନ୍ତ୍ର ବୋଲି ଜୁରାନୋଭିଚ୍‍ଙ୍କ ମତ। କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସହ ନିର୍ଦ୍ଧାରିତ ଓ ଅତିରିକ୍ତ ସମୟ ଖେଳ ୧-୧ ଗୋଲରେ ସମାନ ସ୍ତରରେ ରହିଥିଲା। କିନ୍ତୁ ପେନାଲ୍ଟି ସୁଟ୍‍ଆଉଟରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହେବା ଫଳରେ ନେମାରଙ୍କ ବିଶ୍ୱକପ୍‍ ଖେଳିବା ଆଶା ଧୂଳିସାତ ହୋଇଯାଇଥିଲା।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାକୁ ସେମିଫାଇନାଲ୍‍ରେ ପ୍ରବେଶ କରାଇବାରେ ମେସିଙ୍କ ଭୂମିକା ଢ଼େର ଅଧିକ। ସେ ୫ଟି ମ୍ୟାଚ୍‍ରେ ୪ଟି ଗୋଲ କରିଛନ୍ତି ଓ ନେଦରଲାଣ୍ଡ୍‍ସ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଗୋଲ ଦେଇଥିବା ନାହୁଏଲ ମୋଲିନାଙ୍କୁ ସହାୟତା ଦେଇଥିଲେ। ଏହା ମେସିଙ୍କ ମ୍ୟାଜିକ୍‍ ବୋଲି ଧରିବାକୁ ହେବ। ୧୯୮୬ରେ ଶେଷଥର ଆର୍ଜେଣ୍ଟିନା ବିଶ୍ୱକପ୍‍ ଟାଇଟଲ ଜିତିଥିଲା। ଏବେ ମେସିଙ୍କ ସମୟରେ ଆର୍ଜେଣ୍ଟିନା ଥରେ ଫାଇନାଲ ୨୦୧୪ରେ ଖେଳି ମଧ୍ୟ ପଡୋଶୀ ବ୍ରାଜିଲଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ମେସିଙ୍କର ଏହା ହୁଏତ ଶେଷ ଟୁର୍ଣ୍ଣାମେଣ୍ଟ। ଏଣୁ ସେ ଓ ତାଙ୍କ ଟିମ୍‍ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଏଣୁ ଆଉ ଦୁଇଟି ମ୍ୟାଚ୍‍ ଜିତିପାରିଲେ ମେସିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ସାର୍ଥକ ହୋଇପାରିବ।

ଲୁସେଲ ଷ୍ଟାଡିୟମ୍‍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ପୂର୍ବରୁ କ୍ରୋଏସିଆ ଚୁପ୍‍ଚାପ୍‍ ରହିଛି। କ୍ରୋଏସିଆ ଷ୍ଟ୍ରାଇକର ବ୍ରୁନୋ ପେଟ୍‍କୋଭିଚ୍‍ଙ୍କ ମତରେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ଅଟକାଇବା ଲାଗି ଆମେ କିଛି ସ୍ୱତନ୍ତ୍ର ଯୋଜନା କରିନାହୁଁ କିମ୍ବା ଆମେ କୌଣସି ବ୍ୟକ୍ତି ବିଶେଷଙ୍କ ଲାଗି ଯୋଜନା କରି ନଥାଉ। ଗୋଟିଏ ଦଳ ବିପକ୍ଷରେ ଆମର ଯୋଜନା ହୋଇଥାଏ। ଏଣୁ ଏବେ ଆମେ ଆର୍ଜେଣ୍ଟିନାକୁ କିପରି ହରାଇବୁ ତାହା ଉପରେ ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା କହିଲେ କେବଳ ମେସିଙ୍କୁ ବୁଝାଏ ନାହିଁ। ତାଙ୍କ ପରି ଆହୁରି ଅନେକ ଖେଳାଳି ଦଳରେ ଅଛନ୍ତି। ଏଣୁ ଗୋଟିଏ ଦଳକୁ ଅଟକାଇବା ଲକ୍ଷ୍ୟ ନେଇ ଆମେ ଖେଳିବାକୁ ଆସିବୁ ବୋଲି ପେଟ୍‍କୋଭିଚ୍‍ କହନ୍ତି।

କ୍ରୋଏସିଆର ଶ୍ରେଷ୍ଠ ବଳ ହେଲା ମିଡ୍‍ଫିଲ୍ଡ। ୨୦୧୮ ବିଶ୍ୱକପ୍‍ର ଶ୍ରେଷ୍ଠ ଖେଳାଳି ଲୁକା ମୋଡ୍ରିଚ୍‍ଙ୍କ ନେତୃତ୍ୱରେ ଗଠିତ କ୍ରୋଏସିଆ ମିଡ୍‍ ଫିଲ୍ଡ ବିଶ୍ୱରେ ଶ୍ରେଷ୍ଠ ବୋଲି କହନ୍ତି କୋଚ୍‍ ଜ୍ଲାଟ୍‍କୋ ଡାଲିଚ୍‍। ଲୁକାଙ୍କ ସହ ମାଟେଓ କୋଭାସିଚ୍‍ ଓ ମାର୍ସେଲୋ ବ୍ରୋଜୋଭିଚ୍‍ଙ୍କୁ ନେଇ ଗଠିତ ମିଡ୍‍ ଫିଲ୍ଡ କ୍ୱାର୍ଟର ଫାଇନାଲରେ ନେମାର ଓ ବ୍ରାଜିଲଙ୍କୁ ଅଚଳ କରିଦେଇଥିଲେ।

ସେମିଫାଇନାଲରେ କେମିତି ପହଞ୍ଚିଥିଲା  ଆର୍ଜେଣ୍ଟିନା
ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ସାଉଦି ଆରବଠାରୁ ୧-୨ ଗୋଲରେ ପରାସ୍ତ
୨- ମେକ୍ସିକୋ ବିପକ୍ଷରେ ୨-୦ ଗୋଲରେ ବିଜୟୀ
୩- ପୋଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟୀ

ପ୍ରି-କ୍ୱାର୍ଟର ଫାଇନାଲରେ

୪-ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ଗୋଲରେ ବିଜୟୀ

କ୍ୱାର୍ଟର ଫାଇନାଲ

୫- ନେଦରଲାଣ୍ଡ୍‍ସ ବିପକ୍ଷରେ ୪-୩ ପେନାଲ୍ଟିରେ ବିଜୟୀ
(ନିର୍ଦ୍ଧାରିତ ସମୟରେ ଖେଳ ୨-୨ରେ ବରାବର)

ସେମିଫାଇନାଲରେ କେମିତି ପହଞ୍ଚିଥିଲା କ୍ରୋଏସିଆ
ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ମରୋକ୍କୋ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର
୨- କାନାଡ଼ା ବିପକ୍ଷରେ ୪-୧ ଗୋଲରେ ବିଜୟୀ
୩- ବେଲଜିୟମ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର

ପ୍ରି-କ୍ୱାର୍ଟର ଫାଇନାଲରେ

୪- ଜାପାନ ବିପକ୍ଷରେ ୩-୧ ପେନାଲ୍ଟିରେ ବିଜୟୀ
(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

କ୍ୱାର୍ଟର ଫାଇନାଲରେ

୫- ବ୍ରାଜିଲ ବିପକ୍ଷରେ ୪-୨ ପେନାଲ୍ଟିରେ ବିଜୟୀ
(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

About The Author: The Sakala