ଆଜି ଫିଫା ବିଶ୍ୱକପ୍‍ର ଗ୍ରାଣ୍ଡ୍‌ ଫାଇନାଲ୍‌; ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଟାଇଟଲ୍‌ ପାଇଁ ହେବ ମୁକାବିଲା

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ଆଜି ସ୍ଥାନୀୟ ଲୁସେଲ ଷ୍ଟାଡିୟମରେ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ପୂର୍ବତନ ଚାମ୍ପିଅନ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଟାଇଟଲ ପାଇଁ ଲାଟିନ ଆମେରିକା ଓ ୟୁରୋପର ଦୁଇ ଫୁଟବଲ ପାୱାର ହାଉସ୍‍ ମଧ୍ୟରେ ଜବରଦସ୍ତ ସଂଘର୍ଷ ହେବା ଆଶା କରାଯାଉଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଆର୍ଜେଣ୍ଟିନା ଅଧିନାୟକ ତଥା ସୁପରଷ୍ଟାର ଲିଓନେଲ ମେସି ଓ ଫ୍ରାନ୍ସ ଯୁବ […]

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ଆଜି ସ୍ଥାନୀୟ ଲୁସେଲ ଷ୍ଟାଡିୟମରେ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ପୂର୍ବତନ ଚାମ୍ପିଅନ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଟାଇଟଲ ପାଇଁ ଲାଟିନ ଆମେରିକା ଓ ୟୁରୋପର ଦୁଇ ଫୁଟବଲ ପାୱାର ହାଉସ୍‍ ମଧ୍ୟରେ ଜବରଦସ୍ତ ସଂଘର୍ଷ ହେବା ଆଶା କରାଯାଉଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଆର୍ଜେଣ୍ଟିନା ଅଧିନାୟକ ତଥା ସୁପରଷ୍ଟାର ଲିଓନେଲ ମେସି ଓ ଫ୍ରାନ୍ସ ଯୁବ ପରୱାର୍ଡ କିଲିଆନ ଏମ୍‍ବାପ୍ପେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ତାରକା ବିଶ୍ୱକପ୍‍ ରେ ଏପର୍ଯ୍ୟନ୍ତ ଦମ୍‍ଦାର ପ୍ରଦର୍ଶନ କରି ୫ଟି ଲେଖାଏ ଗୋଲ ସ୍କୋର କରିଛନ୍ତି।

ମେସି କ୍ୟାରିୟରର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‍ ଖେଳୁଛନ୍ତି। ଟାଇଟଲ ହାସଲ କଲେ ଆର୍ଜେଣ୍ଟିନା ତୃତୀୟଥର ପାଇଁ ଚାମ୍ପିଅନ ହେବ ଓ ଦୀର୍ଘ ୩୬ ବର୍ଷ ପରେ ଟାଇଟଲ ହାସଲ କରିବ। ସେହିପରି ଫ୍ରାନ୍ସ ବିଜୟୀ ହେଲେ କ୍ରମାଗତ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟଥର ପାଇଁ ଟାଇଟଲ ହାସଲ କରିବ। ବିଶ୍ୱକପ୍‍ର ଗତ ୪ଟି ସଂସ୍କରଣରେ ଫ୍ରାନ୍ସ, ଜର୍ମାନୀ, ସ୍ପେନ୍‍ ଓ ଇଟାଲୀ ଚାମ୍ପିୟନ ହୋଇଛନ୍ତି। ଏଥର ୟୁରୋପର ଆଧିପତ୍ୟ ଶେଷ କରିବାକୁ ଆର୍ଜେଣ୍ଟିନା ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା ସେମିଫାଇନନାଲରେ ୩- ୦ ଗୋଲରେ କ୍ରୋଏସିଆକୁ ଓ ଫ୍ରାନ୍ସ ୨-୦ ଗୋଲରେ ମରୋକ୍କୋକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଉଭୟ ଦଳ ଏହି ଫିଫା ବିଶ୍ୱକପ୍‍କୁ ଦୁଇଥର ଲେଖାଏଁ ବିଜୟୀ ହୋଇଛନ୍ତି। ଯେଉଁ ଦଳ ଏଠାରେ ଜିତିବାକୁ ସମର୍ଥ ହେବ ଏହା ସେମାନଙ୍କ ଲାଗି ହେବ ତୃତୀୟ ଟାଇଟଲ। ଆର୍ଜେଣ୍ଟିନା ଜିତିଲେ ଏହାର ଅଧିନାୟକ ମେସିଙ୍କ ଲାଗି ଏହା ହେବ ସର୍ବଶ୍ରେଷ୍ଠ ପୁରସ୍କାର ଏବଂ ଦଳୀୟ ଖେଳାଳିଙ୍କ ଉପହାର। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ କବ୍‍ଜା କଲେ ବିଶ୍ୱଯୁଦ୍ଧର ଯୁଗ ପରେ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଚାମ୍ପିଅନ ହେବ। ଏହା ପୂର୍ବରୁ ୧୯୩୪ ଓ ୧୯୩୮ରେ ଇଟାଲୀ ଏବଂ ୧୯୫୮ ଓ ୧୯୬୨ରେ ବ୍ରାଜିଲ କ୍ରମାଗତ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୨୧ଟି ସଂସ୍କରଣ ଆୟୋଜିତ ହୋଇଥିଲାବେଳେ କେବଳ ଦୁଇଟି ମହାଦେଶ ଯଥା ୟୁରୋପ ଓ ଦକ୍ଷିଣ ଆମେରିକୀୟ ଦଳ ଗୁଡ଼ିକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ୨୧ଟି ମଧ୍ୟରୁ ୟୁରୋପ ୧୨ଟି, ଦକ୍ଷିଣ ଆମେରିକା ୯ଟି ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି।

ବିଶ୍ୱରେ ନିଜ ଲାଗି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଲିଓନେଲ ମେସି ଏହି ବିଶ୍ୱକପ୍‍ ଟାଇଟଲ ଜିତନ୍ତୁ ବୋଲି ଫୁଟବଲ ପ୍ରେମୀଙ୍କ ଇଛା। ୧୯୮୬ରେ ଡିଏଗୋ ମାରାଡୋନା ଯେପରି ଆର୍ଜେଣ୍ଟିନାକୁ ବିଶ୍ୱକପ୍‍ ଜିତାଇଥିଲେ ଠିକ୍‍ ସେହିପରି ମେସିଙ୍କ ଲାଗି ଏହା ଶେଷ ସୁଯୋଗ। ଏବେ ତାଙ୍କୁ ୩୫ ବର୍ଷ। ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫ଟି ଗୋଲ୍‌ କରିବା ଓ ଏକାଧିକ ଗୋଲ୍‌ କରାଇବାରେ ସହାୟତା କରି ବେଶ ଫର୍ମରେ ଅଛନ୍ତି ସେ। ଆଉ ସବୁଠାରୁ ବଡ଼ କଥା ହେଲା ଏବେ ଏହି ଦଳରେ ଯୁବ ତଥା ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କ ନିକଟରେ ବିରାଟ ଭବିଷ୍ୟତ ଅପେକ୍ଷା କରି ରହିଛି। କେବଳ ମେସି ନୁହଁନ୍ତି ଆର୍ଜେଣ୍ଟିନା ଦଳର ଅନ୍ୟ ୧୦ କିମ୍ବା ୧୫ ଖେଳାଳିଙ୍କ ଭାଗ୍ୟ ରେଖାରେ ପରିବର୍ତ୍ତନ ହୋଇଯିବ ଓ ସେମାନଙ୍କୁ ବିଶ୍ୱ ସମ୍ମାନ ଦେବ। କୋଚ୍‍ ଲିଓନେଲ ସ୍କୋଲାନି ଏହି ଦଳକୁ ଏକ ବିଶ୍ୱବିଜେତା ଦଳରେ ପରିଣତ କରିବାର ଶ୍ରେୟ ମଧ୍ୟ ନେବେ। ଅନ୍ୟପକ୍ଷରେ ଫ୍ରାନ୍ସକୁ ଫେବରାଇଟ ଦଳ ଭାବେ ବିବେଚନା କରାଯାଉ ନଥିଲାବେଳେ ଏହି ଦଳ ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଛି। ୪ ବର୍ଷ ତଳେ ରୁଷରେ ଚାମ୍ପିଅନ ହୋଇଥିଲା ଏବଂ ଏଠାରେ ପୁଣିଥରେ ଫାଇନାଲ ଖେଳିବାକୁ ଯାଉଛି। କିଲିଆନ ଏମ୍‍ବାପ୍ପେ ଶ୍ରେଷ୍ଠ ଖେଳାଳି ହୋଇଥିଲେ ମଧ୍ୟ ଗତ ଦୁଇଟି ମ୍ୟାଚ୍‍ରେ ଗୋଲ୍‌ ଦେଇ ପାରି ନାହାନ୍ତି। ଏହାର ଅର୍ଥ ଫ୍ରାନ୍ସ କେବଳ ଏମ୍‍ବାପ୍ପେଙ୍କ ଉପରେ ନିର୍ଭର କରୁନାହିଁ। ତାରକା ଖେଳାଳି ଆଣ୍ଟୋନି ଗ୍ରିଜ୍‍ମ୍ୟାନ୍‍ ଏବେ ନୂଆ ରୂପରେ ମିଡ୍‍ଫିଲ୍ଡରେ ଖେଳୁଛନ୍ତି। ଏଣୁ ଏହା ଦଳଗତ ଖେଳ ଉପରେ ଅଧିକ ନିର୍ଭର କରୁଛି।

ଚଳିତ ବିଶ୍ୱକପ୍‍ରେ ଉଭୟ ଦଳ ଗ୍ରୁପ୍‍ ପର୍ଯ୍ୟାୟ ଲିଗ୍‍ ମ୍ୟାଚ୍‍ରେ ଥରେ ଲେଖାଏଁ ପରାଜିତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ଆର୍ଜେଣ୍ଟିନା ଓ ଶେଷ ଲିଗ୍‍ ମ୍ୟାଚ୍‍ରେ ଟ୍ୟୁନିସିଆଠାରୁ ଫ୍ରାନ୍ସ ପରାଜିତ ହୋଇଥିଲା। ଉଭୟ ଦଳ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରି ନଥିଲେ। ଏହା ପରେ ଉଭୟ ଦଳ ସେମାନଙ୍କ ଟିମ୍‍ କମ୍ବିନେସନ ଓ ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରି ସଫଳତା ପାଇଛନ୍ତି। ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ, କ୍ୱାର୍ଟରରେ ନେଦରଲାଣ୍ଡ୍‍ସକୁ ଓ ସେମିଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଠିକ୍‍ ସେହିପରି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍‍ ଫ୍ରାନ୍ସ ପ୍ରି-କ୍ୱାର୍ଟରରେ ପୋଲାଣ୍ଡକୁ, କ୍ୱାର୍ଟରରେ ଇଂଲଣ୍ଡକୁ ଏବଂ ସେମିଫାଇନାଲରେ ମରୋକ୍କୋକୁ ସହଜରେ ପରାସ୍ତ କରିଛି। ଫର୍ମ, ଖେଳ ସମନ୍ୱୟ ଏବଂ ସଫଳତା ପାଇବାରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି କୌଣସି କାରଣରୁ ଅଭ୍ୟାସକୁ ଆସି ନାହାନ୍ତି। ଫ୍ରାନ୍ସର ଏକାଧିକ ଖେଳାଳି ଥଣ୍ଡା କିମ୍ବା ଏହିପରି ରୋଗରେ ପୀଡିତ ଅଛନ୍ତି। ଏମାନେ ଖେଳିବେ କି ନାହିଁ ଜଣାପଡ଼ିନାହିଁ। ମ୍ୟାଚ୍‍ ଆରମ୍ଭ ହେବାକୁ ଆହୁରି ଗୋଟିଏ ଦିନ ବାକିଥିଲାବେଳେ ଖେଳ ଜୀବନରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା ଏହି ଖେଳାଳିମାନେ ଠିକଣା ସମୟରେ ଲଢ଼େଇ ଲାଗି ପ୍ରସ୍ତୁତ ହୋଇଯିବେ ବୋଲି ଆଶା କରାଯାଉଛି।

About The Author: The Sakala