ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ଫସିଲେ ରିୟାନ୍ ପରାଗ, ବିସିସିଆଇ ଲଗାଇଲା ଜୋରିମାନା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୬ ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ୍ ପରାଗଙ୍କୁ ଏକ ବଡ଼ ଝଟକା ଲାଗିଛି। ଡ୍ରେସିଂ ରୁମରେ ଇ-ସିଗାରେଟ୍ ବା ଭେପିଂ (vaping) କରିବା କାରଣରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ତାଙ୍କ ଉପରେ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା ଲଗାଇଛି। ତେବେ ବୋର୍ଡ ପକ୍ଷରୁ କୌଣସି କଠୋର ଦଣ୍ଡବିଧାନ କରାଯାଇ ନାହିଁ।

ଗତ ଏପ୍ରିଲ୍ ୨୮ ତାରିଖରେ ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଥିଲା। ରାଜସ୍ଥାନ ଇନିଂସର ୧୬ଶ ଓଭର ବେଳେ ଅଧିନାୟକ ରିୟାନ୍ ପରାଗ ଡ୍ରେସିଂ ରୁମ୍ ଭିତରେ ଭେପିଂ କରୁଥିବା କ୍ୟାମେରାରେ କଏଦ ହୋଇଥିଲେ। ଏହି କାରଣରୁ ତାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍ ଫି' କାଟ୍ କରାଯିବା ସହ ତାଙ୍କ ଖେଳ ରେକର୍ଡରେ ଗୋଟିଏ ଡିମେରିଟ୍ ପଏଣ୍ଟ ଯୋଡ଼ାଯାଇଛି।

ରିପୋର୍ଟ ଅନୁଯାୟୀ, ପରାଗଙ୍କୁ ଆଇପିଏଲ୍ ଖେଳାଳି ଆଚରଣ ବିଧିର ଧାରା ୨.୨୧ ଅଧୀନରେ ଲେଭଲ୍-୧ ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଭିଜୁଆଲ୍ ପ୍ରମାଣକୁ ଆଧାର କରି ଅନ୍-ଫିଲ୍ଡ ଅମ୍ପାୟାରମାନେ ଏହି ବିଷୟକୁ ମ୍ୟାଚ୍ ରେଫରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ପରାଗ ନିଜର ଭୁଲ୍ ସ୍ୱୀକାର କରିବା ସହ ଜୋରିମାନା ପ୍ରଦାନ କରିବାକୁ ରାଜି ହୋଇଛନ୍ତି।

ଆଇପିଏଲ୍ ର ଧାରା ୨.୨୧ ଖେଳର ସମ୍ମାନ ହାନି କରୁଥିବା ଆଚରଣକୁ ରୋକିବା ପାଇଁ ଉଦ୍ଦିଷ୍ଟ। ଯେହେତୁ ଏହି ଅପରାଧଟି ଲେଭଲ୍-୧ ବର୍ଗର ଥିଲା, ତେଣୁ ରିୟାନ୍ ପରାଗଙ୍କ ଉପରେ କୌଣସି ବାସନ୍ଦାଦେଶ ଲାଗୁ କରାଯାଇ ନାହିଁ। ଆସନ୍ତା ମେ ୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଘରୋଇ ମ୍ୟାଚରେ ସେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

About The Author: Madhusudan Das