ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ୨୦୨୩ରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ବଡ଼ ପରିବର୍ତନ ହୋଇଛି। ବାବର ଆଜମ ତିନୋଟି ଫର୍ମାଟରେ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ‘ଏକ୍ସ’ ରେ ସୂଚନା ଦେଇଛନ୍ତି। ସେ ପାକିସ୍ତାନ ଟିମର ଅଧିନାୟକ ଦାୟିତ୍ବ ୨୦୧୯ରୁ ତୁଲାଇ ଆସୁଥିଲେ। ଅଧିନାୟକ ଥିବା ସମୟରେ ଡ଼ିଆରେ ଏବଂ ବାହାରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି। ମୁଁ କ୍ରିକେଟ୍ ଦୁନିଆରେ ପାକିସ୍ତାନର ଗର୍ବ ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିଲି ବୋଲି ବାବର ଆଜମ କହିଛନ୍ତି। ଏଥିସହ ପାକିସ୍ତାନ କ୍ରିକେଟ ବୋର୍ଡ ଓ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ଆଇସିସି ଦିନିକିଆ ବ୍ୟାଟର ରାଙ୍କିଙ୍ଗ୍ ରେ ବାବାର ଆଜମ ମଧ୍ୟ ନମ୍ବର ୱାନ ରହିଥିଲେ।
ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏଥର ଭାରତ ଆୟୋଜିତ ବିଶ୍ୱକପ୍ରେ ପ୍ରବେଶ କରିଥିଲା। ପାକିସ୍ତାନ ୯ ଟି ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତିଥିଲା। ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଥିଲା ପାକିସ୍ତାନ। ବାବର ନିଜେ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ଅନେକ ପ୍ରଶଂସକ ତାଙ୍କୁ ଜୋରଦାର ସମାଲୋଚନା କରିଥିଲେ। ଫଳରେ ଆଜି ତିନୋଟି ଫର୍ମାଟରେ ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ସେ କହିଛନ୍ତି ଯେ ସେ ତିନୋଟି ଫର୍ମାଟରେ ଜଣେ ଖେଳାଳି ଭାବରେ ଖେଳିବା ଜାରି ରଖିବେ।