ଏସିଆ କପ୍ ୨୦୨୩: ଆଜି ହେବ ଅବଶିଷ୍ଟ ଖେଳ

କଲମ୍ବୋ: କ୍ରମାଗତ ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ରବିବାର ଖେଳାଯାଉଥିବା ଏସିଆ କପ୍‌‌ର ସୁପର-୪ ମ୍ୟାଚ୍‌‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌‌ର ବାକିଥିବା ଖେଳ ଆଜିଠାରୁ ଆରମ୍ଭ ହେବ। ଏଠାରେ ଖେଳାଯାଇଥିବା ମ୍ୟାଚ୍‌‌ରେ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪.୧ ଓଭର ବ୍ୟାଟିଂ କରି ୨ ୱିକେଟରେ ୧୪୭ ରନ୍‌‌ କରିଥିଲାବେଳେ ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ପାରି ନଥିଲା। ସୋମବାରକୁ ଏହି […]

କଲମ୍ବୋ: କ୍ରମାଗତ ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ରବିବାର ଖେଳାଯାଉଥିବା ଏସିଆ କପ୍‌‌ର ସୁପର-୪ ମ୍ୟାଚ୍‌‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌‌ର ବାକିଥିବା ଖେଳ ଆଜିଠାରୁ ଆରମ୍ଭ ହେବ। ଏଠାରେ ଖେଳାଯାଇଥିବା ମ୍ୟାଚ୍‌‌ରେ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪.୧ ଓଭର ବ୍ୟାଟିଂ କରି ୨ ୱିକେଟରେ ୧୪୭ ରନ୍‌‌ କରିଥିଲାବେଳେ ବର୍ଷା ଯୋଗୁ ଖେଳ ଆଉ ସମ୍ଭବ ହୋଇ ପାରି ନଥିଲା। ସୋମବାରକୁ ଏହି ମ୍ୟାଚ୍‌‌ର ରିଜର୍ଭ ଦିବସ ରଖାଯାଇଥିବାରୁ ଏହି ଦିନ ଭାରତ ୨୪.୨ ଓଭରରୁ ଖେଳ ଆରମ୍ଭ କରିବ। ଏହା ଫଳରେ ମ୍ୟାଚ୍‌‌ ୫୦ ଓଭର ବିଶିଷ୍ଟ ହୋଇପାରିବ। ମଙ୍ଗଳବାର ଭାରତ ତାହାର ଦ୍ୱିତୀୟ ସୁପର-୪ ମ୍ୟାଚ୍‌‌ ଶ୍ରୀଲଙ୍କା ସହ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଏହାକୁ ଦେଖିଲେ ଭାରତ ରବିବାର, ସୋମବାର ଓ ମଙ୍ଗଳବାର ୩ ଦିନ ଧରି ଏସିଆ କପ୍‌‌ରେ ସୁପର-୪ ମ୍ୟାଚ୍‌‌ ଖେଳିବ। ଆଘାତ ସମସ୍ୟା ଦଳକୁ ଅଡୁଆରେ ପକାଉଥିଲାବେଳେ ବିଶ୍ୱକପ୍‌‌ ପୂର୍ବରୁ ଏପରି ଖେଳ ନିଶ୍ଚିତଭାବେ ଦଳକୁ ଅଡ଼ୁଆରେ ପକାଇବ।
ଶୁବମାନ, ରୋହିତଙ୍କ ବିସ୍ଫୋରଣ ଏହି ମ୍ୟାଚ୍‌‌ରେ ଭାରତୀୟ ବ୍ୟାଟର ଓ ଟିମ୍‌‌ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ସହ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଲେ ପାକିସ୍ତାନ ପେସ୍‌‌ ବୋଲର ଓ ଦ୍ୱିତୀୟ ପ୍ରତିଦ୍ୱନ୍ଦ୍ୱୀ ଥିଲା ବର୍ଷା। ପାଳି ଆରମ୍ଭ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ ଚମତ୍କାର ବ୍ୟାଟିଂ କରି ପାକିସ୍ତାନ ପେସ୍‌‌ ବୋଲରଙ୍କୁ ପରାହତ କରିଥିଲେ। ଏମାନେ ୧୦୦ ବଲ୍‌‌ରେ ୧୨୧ ରନ୍‌‌ କରିବା ପରେ ଯୋଡି ଭାଙ୍ଗିଯାଇଥିଲା।

ଉଭୟ ଖେଳାଳି ଯେପରି ବ୍ୟାଟିଂ କରୁଥିଲେ, ସେଥିରେ ରନ୍‌‌ ବର୍ଷା ହେବା ଭଳି ମନେ ହେଉଥିଲା। ରୋହିତ ପ୍ରଥମ ୩୧ଟି ବଲ୍‌‌ରେ ଗୋଟିଏ ଛକା ଓ ଗୋଟିଏ ଚୌକା ସହ ୧୦ ରନ୍‌‌ କରିଥିଲେ। ଏହା ପରେ ସେ ତାଙ୍କ ଆକ୍ରମଣାତ୍ମକ ଖେଳ ଦେଖାଇ ସଦାବ ଖାନ୍‌‌ଙ୍କ ଗୋଟିଏ ଓଭରରୁ ୧୯ ଓ ତାଙ୍କର ଦ୍ୱିତୀୟ ଓଭରରେ ୧୩ ରନ୍‌‌ ଉଠାଇଥିଲେ। କିନ୍ତୁ ରୋହିତ ପରେ ଖାମଖିଆଲି ଢ଼ଙ୍ଗରେ ଖେଳି ସଦାବଙ୍କୁ ହିଁ ତାଙ୍କ ୱିକେଟ ଦାନ କରିଦେଇଥିଲେ। ସେ ୪୯ ବଲ୍‌‌ରେ ୬ ଚୌକା ଓ ୪ଛକା ସହ ୫୬ ରନ୍‌‌ କରିଥିଲେ। ସେହିପରି ଶୁବମାନ ଗିଲ ପ୍ରତିପକ୍ଷ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦୀଙ୍କୁ ଖେଳିଥିବା ପ୍ରଥମ ୧୨ଟି ବଲ୍‌‌ରୁ ୬ଟି ଚୌକା ସହ ୨୪ ରନ୍‌‌ ଉଠାଇ ତାଙ୍କୁ ବୋଲିଂ ଲାଇନ୍‌‌ ଅପ୍‌‌ରୁ ବସାଇ ଦେଇଥିଲେ।

କିନ୍ତୁ ଆଫ୍ରିଦୀ ତାଙ୍କ ଦ୍ୱିତୀୟ ପାଳିରେ ବୋଲିଂ କରିବାକୁ ଆସି ଗିଲଙ୍କୁ ଆଉଟ କରିଦେଇଥିଲେ। ଗିଲ ୫୨ ବଲ୍‌‌ରେ ୧୦ ଚୌକା ସହ ୫୮ ରନ୍‌‌ କରିବା ପରେ ଆଫ୍ରିଦୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହି ମ୍ୟାଚ୍‌‌ର ସୀମିତ ଓଭର ଖେଳରେ ଯେଉଁ ପାକିସ୍ତାନ ବୋଲରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରିଥିଲେ ସେହି ବୋଲରଙ୍କ ଦ୍ୱାରା ଆଉଟ ହୋଇଥିଲେ। ୧୮ରୁ ୨୪.୧ ଓଭର ଖେଳକୁ ପାକିସ୍ତାନ ବୋଲର ନିୟନ୍ତ୍ରଣରେ ରଖିଥିଲାବେଳେ ଭାରତ ୨ ୱିକେଟରେ ୧୪୭ ରନ୍‌‌ କରିପାରିଥିଲା। ଏହି ସମୟରେ ବିରାଟ କୋହଲି ୧୬ ବଲ୍‌‌ରେ ୮ ଓ ଦୀର୍ଘଦିନ ପରେ ଦଳକୁ ଫେରିଥିବା ଲୋକେଶ ରାହୁଲ ୨୮ ବଲ୍‌‌ରେ ୨ଟି ପୁଲ ସଟ୍‌‌ ବାଉଣ୍ଡରୀ ବଳରେ ୧୭ ରନ୍‌‌ କରି ବ୍ୟାଟିଂ କରୁଥିଲେ।

ଏହି ସମୟରେ ବର୍ଷା ଏତେଜୋରରେ ହେଲା, ଯେ ପଡ଼ିଆ ସାରା କଭର କରିବାକୁ ପଡ଼ିଥିଲା। ୩ ଘଣ୍ଟା ପରେ ବର୍ଷା ଛାଡିଥିଲା ଓ ପଡ଼ିଆକୁ ଶୁଖାଇଦିଆଯାଇଥିଲା। ଅମ୍ପାୟାର ଏକ ୩୪ ଓଭର ବିଶିଷ୍ଟ ମ୍ୟାଚ୍‌‌ ହେବ ବୋଲି ଘୋଷଣା କରିବାକୁ ପଡ଼ିଆକୁ ଆସୁଥିବାବେଳେ ପୁଣିଥରେ ଜୋରରେ ବର୍ଷା ହୋଇଥିଲା। ଫଳରେ ଖେଳ ଆଉ ସମ୍ଭବ ହେବ ନାହିଁ ବୋଲି ଅମ୍ପାୟାର ଘୋଷଣା କରିଥିଲେ। ୨୪.୨ ଓଭରରୁ ସୋମବାର ଭାରତୀୟ ପାଳି ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର
ଭାରତ : ୧୪୭/୨, ୨୪.୧ ଓଭର (ରୋହିତ ଶର୍ମା-୫୬, ଶୁବମାନ ଗିଲ-୫୮, ବିରାଟ କୋହଲି-ବ୍ୟାଟିଂ-୮, ଲୋକେଶ ରାହୁଲ-ବ୍ୟାଟିଂ-୧୭, ସାହିନ ଆଫ୍ରିଦୀ- ୧/୩୭, ସଦାବ ଖାନ୍‌‌- ୧/୪୫)।
ଖେଳ ସ୍ଥଗିତ।

About The Author: The Sakala