ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳର ଚୟନକର୍ତ୍ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଚେତନ ଶର୍ମାଙ୍କୁ ବିଦା କରାଯିବା ପରେ ଖାଲି ପଡିଥିବା ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି। ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଅଜିତ ଅଗରକରଙ୍କୁ ଭାରତୀୟ ପୁରୁଷ ସିନିୟର ଟିମ୍ର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI)। ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି। ପୂର୍ବରୁ ଚୟନ କମିଟିରେ ଥିବା ଶିବସୁନ୍ଦର ଦାସ ଓ ସୁବ୍ରତ ବାନାର୍ଜୀ ନିଜର ପଦ ବଜାୟ ରଖିଛନ୍ତି।
ଟି-୨୦ ବିଶ୍ୱକପରେ ପରାଜୟ ପରେ ଚେତନ ଶର୍ମାଙ୍କ ସମେତ ସମଗ୍ର ଚୟନ ସମିତିକୁ ବିଦା କରାଯାଇଥିଲା। ତେବେ ନୂଆ ଚୟନ କମିଟି ଗଠନ ହୋଇନଥିବାରୁ ଚେତନ ଶର୍ମା ନିଜ ପଦରେ ରହିଥିଲେ। ଏହାପରେ ଫେବ୍ରୁଆରି ମାସରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଚେତନ ଶର୍ମା କହିଥିଲେ ଯେ ଭାରତୀୟ କ୍ରିକେଟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଇଞ୍ଜେକ୍ସନ ଦେଇ ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ଖେଳୁଛନ୍ତି। ଏହି ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମାଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଥିଲା ଏବଂ ସେବେଠାରୁ ଶିବ ସୁନ୍ଦର ଦାସ ମଧ୍ୟବର୍ତ୍ତୀକାଳୀନ ଭାବେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିଲେ।