୨୦୧୧ ବିଶ୍ୱକପ୍‍ର ୯ ଖେଳାଳି, ଏବେ ଆଇପିଏଲ୍‌ର କୋଚ୍‍

୨ ଏପ୍ରିଲ ୨୦୧୧। ଭାରତୀୟ କ୍ରୀଡ଼ାଜଗତ ଲାଗି ଏକ ସ୍ମରଣୀୟ ଦିନ। ୧୧ ବର୍ଷ ତଳେ ଭାରତୀୟ ଦଳ ଏହାର କ୍ରିକେଟ୍‍ ଇତିହାସରେ ୨ୟଥର ଲାଗି ଆଇସିସି ଏକଦିବସୀୟ ବିଶ୍ୱକପରେ ଚାମ୍ପିଅନ୍‍ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ସଫଳତା ପାଇଥିଲା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମେଗା ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ଚାମ୍ପିଅନ୍‍ ହୋଇଥିଲା। ଏଥିସହ ବିଶ୍ୱର ପ୍ରଥମ […]

୨ ଏପ୍ରିଲ ୨୦୧୧। ଭାରତୀୟ କ୍ରୀଡ଼ାଜଗତ ଲାଗି ଏକ ସ୍ମରଣୀୟ ଦିନ। ୧୧ ବର୍ଷ ତଳେ ଭାରତୀୟ ଦଳ ଏହାର କ୍ରିକେଟ୍‍ ଇତିହାସରେ ୨ୟଥର ଲାଗି ଆଇସିସି ଏକଦିବସୀୟ ବିଶ୍ୱକପରେ ଚାମ୍ପିଅନ୍‍ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ସଫଳତା ପାଇଥିଲା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମେଗା ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ଚାମ୍ପିଅନ୍‍ ହୋଇଥିଲା। ଏଥିସହ ବିଶ୍ୱର ପ୍ରଥମ ଆୟୋଜକ ଦଳ ଭାବେ ଟାଇଟଲ୍‍ ଜିତିଥିଲା। ଏହି ବିଶ୍ୱକପ୍‍ ବିଜୟୀ ଭାରତୀୟ ଦଳର ଅନେକ ସଦସ୍ୟ ବର୍ତ୍ତମାନ ଅବସର ନେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଭାଷ୍ୟକାର ଓ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଆଲେଖ୍ୟରେ ଆମେ ୯ଜଣ ଖେଳାଳିଙ୍କ ଉପରେ ନଜର ପକାଇବା ଯେଉଁମାନେ ୨୦୧୧ ବିଶ୍ୱକପରେ ଖେଳିଥିବାବେଳେ ଅବସର ନେଇ ବର୍ତ୍ତମାନ ୨୦୨୨ ଆଇପିଏଲ୍‍ରେ ବିଭିନ୍ନ ଫ୍ରାଞ୍ଚାଇଜର ପ୍ରଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି।

ଆଶିଷ ନେହେରା

ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା ୨୦୧୧ ବିଶ୍ୱକପ୍‍ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିଲେ। ନେହେରା ୩ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଥିବାବେଳେ ତାଙ୍କ ନାମରେ ୩ଟି ୱିକେଟ୍‍ ଲିପିବଦ୍ଧ ରହିଛି। ପାକିସ୍ତାନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ନେହେରା ୩୩ ରନରେ ୨ ୱିକେଟ୍‍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ‘ଫ୍ଲାଇଙ୍ଗ ଇଗଲ’ ଭାବେ ପରିଚିତ ଆଶିଷ ଚଳିତ ଆଇପିଏଲ୍‍ର ୧୫ତମ ସଂସ୍କରଣରେ ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ମାଇକେଲ ହସି

ପ୍ରାକ୍ତନ ଅଷ୍ଟ୍ରେଲୀୟ ନିର୍ଭରଯୋଗ୍ୟ ବ୍ୟାଟର ମାଇକେଲ ହସି ୨୦୧୧ ବିଶ୍ୱକପ୍‍ରେ ୪ଟି ମ୍ୟାଚ୍‍ରେ ଖେଳିବାର ସୁଯୋଗ ପାଇଥିଲେ। ଏହା ତାଙ୍କ ପାଇଁ ସ୍ମରଣୀୟ ବିଶ୍ୱକପ୍‍ ରହି ନ ଥିଲା। ୨୫ରୁ କମ୍‍ ଆଭରେଜରେ ହସି ମାତ୍ର ୬୯ ରନ କରିବାରେ ସମର୍ଥ ହୋଇଥିଲେ। ଏହାପରବର୍ଷ ହସି କ୍ରିକେଟ୍‍କୁ ଅଲ୍‍ବିଦା କରିଥିଲେ। ଏହି ବାମହାତୀ ବ୍ୟାଟର୍‍ ବର୍ତ୍ତମାନ ଆଇପିଏଲ୍‍-୧୫ରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନଇ ସୁପର୍‍ କିଙ୍ଗ୍‍ସର ବ୍ୟାଟିଂ ପ୍ରଶିକ୍ଷକ ରହିଛନ୍ତି।

ରିକି ପଣ୍ଟିଂ

ଡିଫେଣ୍ଡିଂ ଚାମ୍ପିଅନ୍‍ ଅଷ୍ଟ୍ରେଲିଆ ଦଳ ୨୦୧୧ ଏକଦିବସୀୟ ବିଶ୍ୱକପ୍‍ ଅଭିଜ୍ଞ ରିକି ପଣ୍ଟିଂଙ୍କ ନେତୃତ୍ୱରେ ଖେଳିଥିଲା। ଏହି ଡାହାଣହାତୀ ବ୍ୟାଟର୍‍ ଟୁର୍ଣ୍ଣାମେଣ୍ଟରେ ୬ ଇନିଂସରୁ ମୋଟ୍‍ ୨୦୬ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଭାରତ ବିପକ୍ଷ କ୍ୱାର୍ଟର ଫାଇନାଲରେ ଏକଶତକ ହାସଲ କରିଥିଲେ। କିନ୍ତୁ ପଣ୍ଟିଂଙ୍କ ଏହି ଶତକ ବେକାର ଯାଇଥିଲା। ଭାରତଠାରୁ ହାରି ଅଷ୍ଟ୍ରେଲିଆ କ୍ୱାର୍ଟରରୁ ବିଦାୟ ନେଇଥିଲା। ପଣ୍ଟିଂ ପରବର୍ଷ କ୍ରିକେଟ୍‍କୁ ଅଲ୍‍ବିଦା କରିଥିଲେ। ଏହାପରେ ସେ ଦ୍ୱିତୀୟ ଇନିଂସ ଭାବେ କୋଚିଂ କ୍ଷେତ୍ରରେ ପାଦ ଥାପିଥିଲେ। ଆଇପିଏଲ୍‍ର ଗତ ସିଜନରୁ ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‍ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ମାହେଲା ଜୟବର୍ଦ୍ଧନେ

ଅଭିଜ୍ଞ ସିଂହଳୀ ବ୍ୟାଟର୍‍ ମାହେଲା ଜୟବର୍ଦ୍ଧନେ ଆଇପିଏଲ୍‍ର ଚଳିତ ୧୫ତମ ସଂସ୍କରଣରେ ମୁମ୍ବଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‍ ରହିଛନ୍ତି। ସେହିଭଳି ତାଙ୍କ ପ୍ରଶିକ୍ଷଣରେ ମୁମ୍ବଇ ୨୦୧୯ ଓ ୨୦୨୦ ସଂସ୍କରଣରେ ଚାମ୍ପିଅନ୍‍ ହୋଇଥିଲା। ୨୦୧୧ ବିଶ୍ୱକପରେ  ଶ୍ରୀଲଙ୍କାକୁ ଫାଇନାଲରେ ପହଞ୍ଚାଇବାରେ ଜୟବର୍ଦ୍ଧନେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା। ଭାରତ ବିପକ୍ଷ ନକ୍‍ଆଉଟ୍‍ ମ୍ୟାଚରେ ଜୟବର୍ଦ୍ଧନେ ଶତକ ମାରିଥିଲେ। କିନ୍ତୁ ଏହି ଶତକ ବ୍ୟର୍ଥ ଯାଇଥିଲା ଏବଂ ଭାରତ ବିଜୟୀ ହୋଇଥିଲା।

ବ୍ରେଣ୍ଡନ ମ୍ୟାକ୍‍କୁଲମ

ନ୍ୟୁଜିଲାଣ୍ଡର ପ୍ରାକ୍ତନ ୱିକେଟ୍‍କିପର ବ୍ରେଣ୍ଡନ ମ୍ୟାକ୍‍କୁଲମ ଆଇପିଏଲ୍‍-୧୫ରେ କୋଲକାତା ନାଇଟ୍‍ ରାଇଡର୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୧ ବିଶ୍ୱକପରେ ସେ ନ୍ୟୁଜିଲାଣ୍ଡ ପାଇଁ ୮ ମ୍ୟାଚ୍‍ ଖେଳି ୪୨.୬୬ ଆଭରେଜରେ ୨୫୬ ରନ ସଂଗ୍ରହ କରିଥିଲେ। କିନ୍ତୁ ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ୪ ବର୍ଷ ପରେ (୨୦୧୫) ମ୍ୟାକ୍‍କୁଲମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆଠାରୁ ହାରି ଦଳ ରନର୍ସଅପ୍‍ ହୋଇଥିଲା।

ଲସିଥ୍‍ ମାଲିଙ୍ଗା

ୟର୍କର ସ୍ପେଶାଲିଷ୍ଟ ଲସିଥ୍‍ ମାଲିଙ୍ଗା ୨୦୧୧ ବିଶ୍ୱକପ୍‍ ଫାଇନାଲରେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି ପ୍ରାଇଜ ୱିକେଟ୍‍ ଅକ୍ତିଆର କରିଥିଲେ। କିନ୍ତୁ ଶ୍ରୀଲଙ୍କା ରନର୍ସଅପରେ ସନ୍ତୁଷ୍ଟ ରହିଥିଲା। ମାଲିଙ୍ଗା ସମସ୍ତ ପ୍ରକାର କ୍ରିିକେଟ୍‍ରୁ ଅବସର ନେବା ପରେ ଚଳିତ ବର୍ଷ ମୁମ୍ବଇ ଇଣ୍ଡିଆନ୍ସର ଦ୍ରୁତ ବୋଲିଂ କୋଚ୍‍ ଭାବେ କାର୍ଯ୍ୟ ତୁଲାଉଛନ୍ତି। ମାଲିଙ୍ଗା ତାଙ୍କ ଆଇପିଏଲ୍‍ କ୍ୟାରିୟରରେ କେବଳ ମୁମ୍ବଇ ପକ୍ଷରୁ ଖେଳି ଗତ ବର୍ଷ ଅବସର ନେଇଥିଲେ।

ଶେନ ୱାଟସନ

୨୦୧୧ ବିଶ୍ୱକପ୍‍ରେ ଶେନ୍‍ ୱାଟସନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଅଷ୍ଟ୍ରେଲୀୟ ଅଲ୍‍ରାଉଣ୍ଡର ୭ ମ୍ୟାଚ୍‍ ଖେଳି ୪୮ରୁ ଊର୍ଦ୍ଧ୍ବ ଆଭରେଜରେ ୨୯୦ ରନ ସଂଗ୍ରହ କରିଥିଲେ। ସେହିଭଳି ତାଙ୍କ ନାମରେ ୩ ୱିକେଟ୍‍ ଲିପିବଦ୍ଧ ରହିଛି। ୱାଟସନ ବର୍ତ୍ତମାନ ଆଇପିଏଲ୍‍ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଜଡ଼ିତ ରହିଛନ୍ତି। ପଣ୍ଟିଂ ଦିଲ୍ଲୀର ମୁଖ୍ୟ କୋଚ୍‍ ରହିଥିବାବେଳେ ୱାଟସନ ତାଙ୍କ ଆସିଷ୍ଟାଣ୍ଟ ରହିଛନ୍ତି।

ଡେଲ୍‍ ଷ୍ଟେନ୍‍

୨୦୧୧ ବିଶ୍ୱକପ୍‍ରେ ଡେଲ୍‍ ଷ୍ଟେନ୍‍ ଦକ୍ଷିଣ ଆଫ୍ରିକା ପକ୍ଷରୁ ସବୁଠାରୁ ସଫଳତମ ଦ୍ରୁତ ବୋଲର ରହିଥିଲେ। ୪.୧୫ ଇକୋନୋମିରେ ସେ ୧୨ଟି ୱିକେଟ୍‍ ନେଇଥିଲେ। ଏହି ଡାହାଣହାତୀ ଦ୍ରୁତ ବୋଲର ଗତବର୍ଷ ସମସ୍ତ ପ୍ରକାର କ୍ରିକେଟ୍‍ରୁ ସନ୍ନ୍ୟାସ ନେଇଥିଲେ। ଅବସର ପରେ ସେ ସନ୍‍ରାଇଜର୍ସ ହାଇଦରାବାଦ୍‍ ଦଳର ଦ୍ରୁତ ବୋଲିଂ କୋଚ୍‍ ଭାବେ କାମ କରୁଛନ୍ତି।

ମୁଥିଆ ମୁରଲୀଧରନ

ସ୍ପିନର ମୁଥିଆ ମୁରଲୀଧରନ ୨୦୧୧ ଏକଦିବସୀୟ ବିଶ୍ୱକପ୍‍ରେ ଶ୍ରୀଲଙ୍କାର ସବୁଠାରୁ ସଫଳ ବୋଲର ରହିଥିଲେ। ଏହି ବିଶ୍ୱକପ୍‍ରେ ସେ ୧୫ ୱିକେଟ୍‍ ନେଇ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶ୍ୱକପ୍‍ ଫାଇନାଲ ପରେ ମୁରଲୀ ଅନ୍ତର୍ଜାତୀୟ କ୍ରିକେଟ୍‍ରୁ ଅବସର ନେଇଥିଲେ। ବର୍ତ୍ତମାନ ଏହି ସିଂହଳୀ ବୋଲର ସନ୍‍ରାଇଜର୍ସ ହାଇଦରାବାଦ୍‍ ଫ୍ରାଞ୍ଚାଇଜ ସହ ଜଡ଼ିତ ରହିଛନ୍ତି। ସ୍ପିନ-ବୋଲିଂ ପ୍ରଶିକ୍ଷକ ଭାବେ ସେ ହାଇଦରାବାଦ୍‍ ଫ୍ରାଞ୍ଚାଇଜ ସହ ଚୁକ୍ତି କରିଛନ୍ତି।

About The Author: The Sakala