ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ସ୍ଥିର ପ୍ରଦର୍ଶନର ୬ ମୁଖ୍ୟ କାରଣ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌‌କେ) ଅନ୍ୟତମ ଶ୍ରେଷ୍ଠ ତଥା ସଫଳ ଦଳ ବିବେଚିତ ହେଉଛି। ଚାମ୍ପିଅନ ହେବାରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ପଛରେ ରହିଛି। ଅର୍ଥାତ ମୁମ୍ବାଇ ୫ଥର ଟାଇଟଲ ହାସଲ କରିଥିବା ବେଳେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଛି। କିନ୍ତୁ ବିଜୟ ପ୍ରତିଶତ ଓ ଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଚେନ୍ନାଇ ଶୀର୍ଷରେ ରହିବ। ୪ଥର ଟାଇଟଲ ଜିତିଥିବା ଚେନ୍ନାଇ ୧୦ଥର ଫାଇନାଲରେ ପ୍ରବେଶ […]

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ) ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌‌କେ) ଅନ୍ୟତମ ଶ୍ରେଷ୍ଠ ତଥା ସଫଳ ଦଳ ବିବେଚିତ ହେଉଛି। ଚାମ୍ପିଅନ ହେବାରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସ ପଛରେ ରହିଛି। ଅର୍ଥାତ ମୁମ୍ବାଇ ୫ଥର ଟାଇଟଲ ହାସଲ କରିଥିବା ବେଳେ ଚେନ୍ନାଇ ୪ଥର ଚାମ୍ପିଅନ ହୋଇଛି। କିନ୍ତୁ ବିଜୟ ପ୍ରତିଶତ ଓ ଫାଇନାଲରେ ପହଞ୍ଚିବା ଦୃଷ୍ଟିକୋଣରୁ ଚେନ୍ନାଇ ଶୀର୍ଷରେ ରହିବ। ୪ଥର ଟାଇଟଲ ଜିତିଥିବା ଚେନ୍ନାଇ ୧୦ଥର ଫାଇନାଲରେ ପ୍ରବେଶ କରିଛି। ଦୁର୍ନୀତି ମାମଲାରେ ଚେନ୍ନାଇ ଦୁଇଟି ସଂସ୍କରଣ ଖେଳିପାରି ନଥିଲା। ଏହା ଅର୍ଥ ଚେନ୍ନାଇ ମୋଟ୍‌‌ ୧୬ଟି ସଂସ୍କରଣରୁ ୧୪ଟି ଖେଳି ୧୦ଥର ଫାଇନାଲ ଟିକଟ ହାସଲ କରିଛି।

ସେହିପରି ମୁମ୍ବାଇ ୧୬ଟି ସଂସ୍କରଣରୁ ୬ଥର ଫାଇନାଲରେ ପ୍ରବେଶ କରି ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ୭୧ ପ୍ରତିଶତ ସିଜନର ଫାଇନାଲରେ ପ୍ରବେଶ କରିଛି। ଅନ୍ୟ କୋଣସି ଦଳ ଆଇପିଏଲରେ ଏଭଳି ସ୍ଥିର ପ୍ରଦର୍ଶନ କରିପାରି ନାହାନ୍ତି। ଚେନ୍ନାଇ ଯେତେଥର ଫାଇନାଲରେ ପ୍ରବେଶ କରିଛି ଅନ୍ୟ ଦଳଗୁଡିକ ସେତେଥର ପ୍ଲେ-ଅଫ୍‌‌ରେ ପ୍ରବେଶ କରିପାରିନାହାନ୍ତି। ଚେନ୍ନାଇର ଏହି ସଫଳତା ପଛରେ ଅଧିନାୟକ ଧୋନିଙ୍କ ଭୂମିକାକୁ ଅଣଦେଖା କରିହେବ ନାହିଁ। ଚେନ୍ନାଇର ଏହି ସ୍ଥିର ପ୍ରଦର୍ଶନ ତଥା ସଫଳତା ପଛରେ ୬ଟି ମୁଖ୍ୟ କାରଣ ବା ଫ୍ୟାକ୍ଟର ରହିଛି। ଏହି କାରଣଗୁଡିକୁ ହେଲା ନେତୃତ୍ୱ, ଦଳ, ମ୍ୟାନେଜମେଣ୍ଟ, କୋଚିଂ, ରଣନୀତି ଓ ଲିଗାସି ବା ସଫଳତାର ଅଭ୍ୟାସଗତ ପରମ୍ପରା।

୧. ଧୋନୀଙ୍କ ଅସାଧାରଣ ନେତୃତ୍ୱ

ଚେନ୍ନାଇ ସଫଳତା ପଛରେ ମହେନ୍ଦ୍ର ସିଂ ଧୋନୀଙ୍କ ଦୃଷ୍ଟାନ୍ତମୂଳକ ନେତୃତ୍ୱକୁ ଶ୍ରେୟ ଦିଆଯାଇପାରେ। ଆରମ୍ଭରୁ ଏପର୍ଯ୍ୟନ୍ତ ଧୋନୀ ଚେନ୍ନାଇର ଅଧିନାୟକ ରହିଛନ୍ତି। ସେ ଏକାଧାରାରେ ଚେନ୍ନାଇର ମେଣ୍ଟର, ଡିସିସନ ମେକର, ୱିକେଟକିପର ଓ ଫିନିଶର ଭୂମିକା ନିର୍ବାହ କରିଆସିଛନ୍ତି। ମୋଟ ଉପରେ କହିବାକୁ ଗଲେ ଧୋନୀ ହିଁ ଚେନ୍ନାଇର ମାଷ୍ଟର ମାଇଣ୍ଡ। ପଡ଼ିଆ ଭିତରେ ଓ ବାହାରେ ଧୋନୀ ହିଁ ଦଳର ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସିଛନ୍ତି। ନୀଲାମି ପୂର୍ବରୁ ଧୋନୀ ହିଁ ଖେଳାଳିଙ୍କୁ କିଣିବା ନେଇ ଯୋଜନା କରିଥାନ୍ତି। ୨୦୦୮ରୁ ଏପର୍ଯ୍ୟନ୍ତ ୨୨୪ରୁ ୨୧୧ଟି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ନେଇଛନ୍ତି। ଏଥିରୁ ଚେନ୍ନାଇ ୧୨୭ଟି ମ୍ୟାଚ୍‌‌ ଜିତିଥିବା ବେଳେ ୮୨ଟି ମ୍ୟାଚ୍‌‌ରେ ପରାସ୍ତ ହୋଇଛି। ୨ଟିର ଫଳାଫଳ ମଳିପାରିନାହିଁ। ବାକି ୧୩ ମ୍ୟାଚ୍‌‌ରେ ସୁରେଶ ରାଇନା ଓ ରବୀନ୍ଦ୍ର ଜାଡେଜା ନେତୃତ୍ୱ ନେଇଥିଲେ। ଧୋନୀଙ୍କୁ ବାଦଦେଲେ ଆଇପିଏଲରେ ଅନ୍ୟ କୌଣସି ଅଧିନାୟକ ୧୦୦ରୁ ଅଧିକ ବିଜୟ ହାସଲ କରିପାରି ନାହାନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୧୫୮ ମ୍ୟାଚ୍‌‌ରୁ ୮୭ଟି ବିଜୟ ହାସଲ କରିଛନ୍ତି।

୨. ସାଧାରଣ ଦଳକୁ ସ୍ୱତନ୍ତ୍ର ଭାବେ ଗଢି ତୋଳଥାନ୍ତି ଧୋନୀ

ଧୋନୀ ସାଧାରଣ ମନେ ହେଉଥିବା ଦଳକୁ ସ୍ୱତନ୍ତ୍ର ଭାବେ ଗଢି ତୋଳିବାରେ ସିଦ୍ଧହସ୍ତ। ବାକି ଦଳଗୁଡିକ ତାରକା ତଥା ମ୍ୟାଚ୍‌‌ ୱିନର ଖେଳାଳିଙ୍କୁ କ୍ରୟ କରିବା ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ଚେନ୍ନାଇ ଓ ଧୋନି ଅଭିଜ୍ଞ, ଅଜଣାଥିବା ଓ ଘରୋଇ କ୍ରିକେଟରଙ୍କୁ କିଣି ସେମାନଙ୍କଠାରୁ ଉନ୍ନତ ଖେଳ ଆଦାୟ କରିବା ଉପରେ ଫୋକସ କରିଥାଏ। ଉଦାହଣର ସ୍ୱରୂପ ଏଥର ଦଳ ପାଇଁ ତୁଷାର ଦେଶପାଣ୍ଡେ, ମଥିସ ପତିରାଣା, ମହିଶ ଥିକାନା, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ଦୀପକ ଚହର, ଋତୁରାଜ ଗାଏକ୍ୱାଡ ଓ ଡେଭନ କନ୍‌‌ୱେଙ୍କ ଭଳି ଖେଳାଳି ଦମ୍‌‌ଦାର ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିମାନେ ଅପେକ୍ଷାକୃତ କମ୍‌‌ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌‌ ଖେଳିଛନ୍ତି। ଏହା ସତ୍ତ୍ବେ ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା।

୩. ଧୋନୀଙ୍କ ଧିର, ଶାନ୍ତ ସ୍ୱଭାବ ସଫଳତାର ଅନ୍ୟତମ କାରଣ

ଧୋନୀ ମ୍ୟାଚ୍‌‌ ଅବରସରେ ଅତ୍ୟନ୍ତ କଷ୍ଟକର ମୂହୂର୍ତ୍ତରେ ମଧ୍ୟ ଧିର ଓ ଶାନ୍ତ ସ୍ୱଭାବ ବଜାୟ ରଖିଥାନ୍ତି। ଫଳରେ ସାଥି ଖେଳାଳି ତାଙ୍କର ନିଷ୍ପତ୍ତିକୁ ହୃଦୟର ସହ ଗ୍ରହଣ କରିଥାନ୍ତି। ଯାହାଦ୍ୱାରା ପ୍ରତିକୂଳ ସ୍ଥିତିରେ ମଧ୍ୟ ଚେନ୍ନାଇ ଜିତିବାକୁ ସକ୍ଷମ ହୋଇଥାଏ। ଚେନ୍ନାଇ ୪ଥର ଆଇପିଏଲ ଟ୍ରଫି (୨୦୧୦, ୨୦୧୧, ୨୦୧୮, ୨୦୨୧) ଓ ୨ଥର ଚାମ୍ପିଅନ୍ସ ଲିଗ୍‌‌ ଟାଇଟଲ (୨୦୧୦, ୨୦୧୪) ହାସଲ କରିଛି।

୪. ବାସନ୍ଦ ପରେ ଧୋନୀ ଚେନ୍ନାଇକୁ ଚାମ୍ପିଅନ କରାଇଥିଲେ

ଦୁର୍ନୀତି କାରଣରୁ ୨୦୧୬ ଓ ୨୦୧୭ରେ ଚେନ୍ନାଇ ୨ ବର୍ଷ ବାସନ୍ଦ ହୋଇଥିଲା। ଏହାପରେ ପ୍ରତ୍ୟାବର୍ତ୍ତନ କରି ୨୦୧୮ରେ ଚେନ୍ନାଇ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ ହୋଇଥିଲା ଓ ଦଳର ସ୍ଥିର ପ୍ରଦର୍ଶନକୁ ପ୍ରମାଣିତ କରିଥିଲା। ଏହାପରେ ୨୦୧୯ ଫାଇନାଲରେ ମୁମ୍ବାଇଠାରୁ ମାତ୍ର ୧ ରନରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ୨୦୨୨ରେ ଚେନ୍ନାଇ ୯ମ ସ୍ଥାନରେ ରହି ଖରାପ ପ୍ରଦର୍ଶନ କରିଥିଲ। କିନ୍ତୁ ଏଥର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।

୫. ଧୋନୀ ଦଳକୁ ଆଗରେ ରଖିଥାନ୍ତି

ଅଧିନାୟକ ହୋଇଥିଲେ ମଧ୍ୟ ଧୋନୀ ନିଜଠାରୁ ଦଳକୁ ଆଗରେ ରଖଥାନ୍ତି ଅର୍ଥାତ ଦଳକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନେତୃତ୍ୱ ନେବା ସହ ଧୋନୀ ଅଘୋଷିତ ପ୍ରଶିକ୍ଷକ ଭୂମିକା ନିର୍ବାହ କରିଛନ୍ତି। ବିଭିନ୍ନ ପ୍ରକାର ସ୍ଥିତିରେ ଧୋନୀ ଦଳର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଥାନ୍ତି। ଖାସ୍‌‌ କରି ବ୍ୟାଟିଂ କ୍ରମରେ ସେ ନିଜକୁ ପଛରେ ରଖିଥାନ୍ତି ଓ ଫିନିସର ଭୂମିକା ନିର୍ବାହ କରିବାକୁ ପସନ୍ଦ କରିଥାନ୍ତି। ଖେଳାଳି ନୀଲାମିରେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ଟିମ୍‌‌ ମ୍ୟାନେଜମେଣ୍ଟ ଯଥେଷ୍ଟ ଗୁରୁତ୍ୱ ଦେଇଥାଏ।

୬. ଧୋନୀ ଦଳରେ ଅଧିକ ପରିବର୍ତ୍ତନ କରି ନ ଥାନ୍ତି

ଆଇପିଏଲ ଇତିହାସରେ ଧୋନୀ ଏକମାତ୍ର ଅଧିନାୟକ ଭାବେ ଦଳର ଚୂଡାନ୍ତ ଏକାଦଶରେ ଅଧିକ କିମ୍ବା ଅନାବଶ୍ୟକ ପରିବର୍ତ୍ତନ କରିବାକୁ ପସନ୍ଦ କରି ନଥାନ୍ତି। ଚଳିତ ସଂସ୍କରଣରେ ୧୫ରୁ ୧୦ଟି ମ୍ୟାଚ୍‌‌ରେ ସେ ନିଜର ଅନ୍ତିମ ଏକାଦଶ ଓ ଇମ୍ପାକ୍ଟ ଖେଳାଳିରେ ପରିବର୍ତ୍ତନ କରିନାହାନ୍ତି। ଏହା ଦ୍ୱାରା କୌଣସି ଖେଳାଳି ଅସୁରକ୍ଷିତ ଅନୁଭବ କରି ନଥାନ୍ତି। ଗୋଟିଏ କିମ୍ବା ୨ଟି ଖରାପ ପ୍ରଦର୍ଶନ ପରେ କୌଣସି ଖେଳାଳିଙ୍କୁ ସେ ବାହର କରିନଥାନ୍ତି। ଫଳରେ ଖେଳାଳିମାନେ ଖୋଲିକରି ଖେଳିଥାନ୍ତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି।

About The Author: The Sakala