ପ୍ରେମ ସବୁବେଳେ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ବେଶ୍ ନିଆରା । ପ୍ରେମ କରି ଶିଖିଲେ ତାହା ଚକଲେଟ୍ ପରି ମିଠା । ଅନେକଙ୍କ କ୍ଷେତ୍ରରେ ଚକଲେଟ୍ ଦିଆନିଆରୁ ହିଁ ପ୍ରେମ ଆରମ୍ଭ ହୋଇଥାଏ । ଏହା ହିଁ କହିଦିଏ ପ୍ରେମ କେତେ ମିଠା । ଯେଉଁ ବ୍ୟକ୍ତି ପ୍ରେମରେ ପଡ଼ିଥାଏ, ସେ ଜୀବନର ସବୁ ମୁହୂର୍ତ୍ତଗୁଡ଼ିକୁ ପ୍ରେମମୟ କରିବାକୁ ଚାହିଁଥାଏ । ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକ୍ଲେଟ୍ ଡେ’ ଭାବେ ପାଳନ କରାଯାଏ। ଏହିଦିନ ପ୍ରେମୀଯୁଗଳ ପରସ୍ପରକୁ ଚକଲେଟ୍ ଖୁଆଇ ସମ୍ପର୍କରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିଥାନ୍ତି ।
ପ୍ରଥମ ଦୁଇ ଦିନ ଗୋଲାପ ଦେଇ ଏବଂ ପ୍ରେମ ନିବେଦନ କରି ପ୍ରେମ ଜାହିର କରିଥିବା ବେଳେ ତୃତୀୟ ଦିନ ଚକଲେଟ୍ ଦିଆନିଆ କରନ୍ତି ପ୍ରେମୀ ଯୁଗଳ । ପ୍ରେମିକଟିଏ ପ୍ରେମିକାକୁ ଉପହାରରେ ଚକଲେଟ୍ ଦେଇ ତାର ମନ କଥା କହିଥାଏ। କଥାରେ ଅଛି, ଚକଲେଟ୍ ହେଉଛି ଝିଅଙ୍କର ପ୍ରଥମ ପସନ୍ଦ । ପ୍ରେମିକାର ମନରେ ଯେତେ ଦୁଃଖ ବା ରାଗ ଥିଲେ ପ୍ରେମିକ, ପ୍ରେମିକାକୁ ଚକଲେଟ୍ଟିଏ ଦେଇଦେଲେ ସେ ସବୁ ରାଗ ଅଭିମାନ ଭୁଲିଯାଏ। କିଏ ନିଜ ପ୍ରେମିକାକୁ ହୃଦୟ ଆକୃତିର ଚକଲେଟ୍ ଦେଇଥାଏ ତ ଆଉ କିଏ ଗୋଲ ଚକଲେଟ୍। ଏହାବାଦ୍ ବିଗତ ୨୦୦ ବର୍ଷ ହେଲାଣି ଚକଲେଟ୍ ଆମ ଜୀବନର ଏକ ଅଂଶ ହୋଇଯାଇଛି। କିଏ ମୁଡ୍ ଭଲ କରିବା ପାଇଁ ଚକଲେଟ୍ ଖାଇ ଥାଏ ତ ଆଉ କିଏ ପ୍ରେମିକାକୁ ମନାଇବା ପାଇଁ ଚକଲେଟ୍ ଦେଇଥାଏ। ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନରେ ଚକଲେଟ୍ ଡେ’ ପାଳନର ଉଦ୍ଦେଶ୍ୟ ପ୍ରେମ ସମ୍ପର୍କ ଚକଲେଟ୍ ଭଳି ମଧୁମୟ ହେଉ।