ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖରେ ‘ବିଶ୍ବ ନାରିକେଳ ଦିବସ’ ପାଳନ କରାଯାଏ। ୨୦୦୯ ସେପ୍ଟେମ୍ବର ୨ ତାରିଖରେ ଏସିଆ ପ୍ୟାସିଫିକ୍ କୋକୋନଟ୍ କମ୍ୟୁନିଟି ଗଠନ କରାଯାଇଥିଲା। ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ‘ବିଶ୍ବ ନାରିକେଳ ଦିବସ’ ପାଳନ କରାଯାଏ। ନଡ଼ିଆ ଚାଷ ଓ ତା’ର ଉତ୍ପାଦନ କିପରି ବୃଦ୍ଧି କରାଯାଇ ପାରିବ, ତାହା ଉପରେ ଗୁରୁତ୍ବ ପ୍ରଦାନ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏହା ସହ ସ୍ବାସ୍ଥ୍ୟ ପାଇଁ ନଡ଼ିଆର ଆବଶ୍ୟକତା ବିଷୟରେ ବି ସଚେତନତା ସୃଷ୍ଟି କରାଯାଇଥାଏ। ଭାରତରେ ଏହି ଦିବସକୁ କୋକୋନଟ୍ ଡେଭଲପ୍ମେଣ୍ଟ ବୋର୍ଡ ଦ୍ବାରା ନଡ଼ିଆ ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକରେ ପାଳନ କରାଯାଉଛି।
ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ଗୁରୁତ୍ବ ଯଥେଷ୍ଟ ଅଧିକ। ନିତିଦିନିଆ ଜୀବନଶୈଳୀଠାରୁ ଆରମ୍ଭ କରି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆ ଲୋଡ଼ା ହୋଇଥାଏ। ବିଶେଷକରି ଆମ ଓଡ଼ିଆ ଘରେ ନଡ଼ିଆରେ ପୁର ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ। ନଡ଼ିଆ ଫଳମାନଙ୍କ ଭିତରେ ଶ୍ରେଷ୍ଠଭାବେ ପରିଗଣିତ ହେଉଥିବାରୁ ଏହାର ଅନ୍ୟନାମ ଶ୍ରୀଫଳ। ସବୁଦେବାଦେବୀଙ୍କୁ ଆବାହନ କରିବାବେଳେ ନଡ଼ିଆର ଆବଶ୍ୟକତା ପଡ଼ିଥାଏ । ପ୍ରତ୍ୟେକ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିବାବେଳେ ନଡ଼ିଆ ଭୋଗ ଲଗାଯାଇଥାଏ । କୌଣସି ଶୁଭକାର୍ଯ୍ୟର ପ୍ରାରମ୍ଭ କଲେ ପ୍ରଥମେ ନଡ଼ିଆ ଭଙ୍ଗାଯାଏ । ଭାରତରେ ମନ୍ଦିରରେ ପ୍ରମୁଖ ଦାନ ଭାବରେ ନଡ଼ିଆକୁ ଗ୍ରହଣ କରାଯାଏ । ବିବାହ, ବ୍ରତୋପନୟନ, ପର୍ବପର୍ବାଣି, ନୂତନ ଯାନବାହନ କ୍ରୟବେଳେ ମଧ୍ୟ ଭଗବାନଙ୍କ ପାଖରେ ଶ୍ରୀଫଳ ସମର୍ପଣ କରାଯାଏ । ଯଜ୍ଞବେଳେ କୁଣ୍ଡରେ ନଡ଼ିଆ ପକାଇବାର ବିଧି ମଧ୍ୟ ରହିଛି। ସମସ୍ତ କର୍ମ ତଥା ଆରାଧନାରେ ନଡ଼ିଆ ସ୍ଥାନ ସର୍ବାେଗ୍ର ରହିଥାଏ । ସମୂଦ୍ରକୂଳିଆ ଲୁଣିଆ ଅଞ୍ଚଳ ନଡ଼ିଆ ଚାଷ ପାଇଁ ଭଲ ହୋଇଥାଏ ।
ସେହିପରି ପଇଡ଼ ପାଣି ଓ ନାଳି ବହୁତ ସ୍ବାଦିଷ୍ଠ। ଏହା ଏକ ପବିତ୍ର ଫଳ। ଶୁଭ କଳସ ସ୍ଥାପନା ହେଉ କି ଭୋଗ କିମ୍ବା ପ୍ରସାଦରେ ନାସିଲଗା ନଡ଼ିଆ ବ୍ୟବହାର ତ ନିଶ୍ଚୟ ହୋଇଥାଏ । ନଡ଼ିଆ ଗଛର ସମସ୍ତ ଅଂଶ ଆମ କାମରେ ଲାଗେ। ନଡ଼ିଆ ରସରୁ ତେଲ, ନଡ଼ିଆକତାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସାଜସରଞ୍ଜାମ ପ୍ରସ୍ତୁତ ହୋଇଥାଏ। ନଡ଼ିଆ ଗଛର ଗଣ୍ଡିକୁ ଖୁଣ୍ଟ ରୂପରେ ଏବଂ ବାହୁଙ୍ଗାକୁ ଛପର ରୂପରେ ବ୍ୟବହାର କରାଯାଏ। ନଡ଼ିଆର ଶଢ଼େଇ,ଶୁଖିଲା ବାହୁଙ୍ଗା ଓ ବରଡ଼ାକୁ ଜାଳ ରୂପେ ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ ନଡ଼ିଆର ଉପଯୋଗ ବହୁ ଅଧିକ ସେଥିପାଇଁ ସେଠାରେ ଏହାକୁ ‘ସବୁଜ ସୁନା’ ବୋଲି କୁହାଯାଏ। ନଡ଼ିଆ ଗଛର ବଟାନିକାଲ ନାମ ହେଉଛି କୋକୋସ୍ ନ୍ୟୁସିଫେରା। ନଡ଼ିଆ ଯୋଗୁଁ ସମୃଦ୍ଧ ହୋଇଥିବା ଅଞ୍ଚଳରେ ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଭାରତ, ଅଷ୍ଟ୍ରେଲିଆ ପ୍ରଶାନ୍ତ ମହାସାଗର ଦ୍ବୀପପୁଞ୍ଜ, ଦକ୍ଷିଣ ଆମେରିକା, ଅାଫ୍ରିକା ଆଦି ରହିଛି। ଆମ ଦେଶରେ ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକ ଅଧିକ ପରିମାଣରେ ନଡ଼ିଆ ଉତ୍ପାଦନ କରାଯାଏ। ଆମ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଚୁର ନଡ଼ିଆଗଛ ଦେଖିବାକୁ ମିଳେ। ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଏଥିପାଇଁ ସ୍ବତନ୍ତ୍ର ବଜାର ରହିଛି।