ଶ୍ରାବଣ ମାସରେ ବୋଲବମ୍ ଯାତ୍ରାର ବିଶେଷ ମହତ୍ତ୍ବ ଅଛି। ଦେବଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ମାସରେ ଭକ୍ତମାନେ ଶିବଙ୍କୁ ଜଳାଭିଷେକ କରିଥାନ୍ତି। ସେଥିପାଇଁ ସେମାନେ ବୋଲବମ୍ ଯାତ୍ରା କରିଥାନ୍ତି। ଶିବଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ ସହ ବାହୁଙ୍ଗିରେ ପବିତ୍ର କଳସ ଜଳକୁ ବହନ କରି ଖାଲି ପାଦରେ ଚାଲନ୍ତି। ଏବେ ବୋଲବମ୍ ଯାତ୍ରାର ମହତ୍ତ୍ବ ସମ୍ପର୍କରେ ଜାଣିବା।
ପର୍ଶୁରାମଙ୍କଠୁ ଆରମ୍ଭ
ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ଶିବ ଭକ୍ତ ପର୍ଶୁରାମ ସର୍ବପ୍ରଥମେ ଶ୍ରାବଣ ମାସରେ ବୋଲବମ୍ ଯାତ୍ରାରେ ବାହାରି ଥଲେ। ସେ ଗଙ୍ଗାଜଳ ଶିବଲିଙ୍ଗ ଉପରେ ଲାଗି କରିଥିଲେ। ସେବେଠୁ ଶିବଭକ୍ତମାନେ ଏହି ପରମ୍ପରା ପାଳନ କରି ଆସୁଛନ୍ତି। ଶ୍ରାବଣ ମାସରେ ଶିବଭକ୍ତ ପବିତ୍ର ନଦୀରୁ ଜଳ ଆଣିବା ଯାତ୍ରାକୁ ବୋଲବମ୍ ବା କାଉଡ଼ି ଯାତ୍ରା କୁହାଯାଏ। ଭକ୍ତମାନେ ନଦୀରୁ ଜଳ ଆଣି ମହାଦେବଙ୍କଠାରେ ଜଳାଭିଷେକ କରନ୍ତି।
ଖାଲିପାଦରେ ଚାଲନ୍ତି ଶିବଭକ୍ତ
ଶିବଙ୍କୁ ଆରାଧନା ଓ ଉପାସନା ପାଇଁ ସମର୍ପିତ ଏହି ମାସ। ଏହି ମାସ ଶିବଙ୍କର ଖୁବ୍ ପ୍ରିୟ। ମାନ୍ୟତା ଅଛି, ଶ୍ରାବଣ ମାସ ଯାକ ମହାଦେବ ହରିଦ୍ବାରରେ ନିବାସ କରିଥାନ୍ତି। ସେହିପରି ଏହି ମାସରେ ବିଷ୍ଣୁ ଶୟନ ମୁଦ୍ରାରେ ରହୁଥିବାରୁ ତିନି ଲୋକର କଥା ବୁଝନ୍ତି ସ୍ବୟଂ ମହାଦେବ। ଏହି କାରଣ ଯୋଗୁଁ ବୋଲବମ୍ ଯାତ୍ରୀ ଗଙ୍ଗାଜଳ ପାଇଁ ହରିଦ୍ବାର ଆସନ୍ତି। ଏହି ଯାତ୍ରା ସମୟରେ ଭକ୍ତମାନେ ଖାଲିପାଦରେ ଚାଲନ୍ତି। ଅନ୍ୟପଟେ ଏବେ ବୋଲବମ୍ ଯାତ୍ରାରେ କେବଳ ପୁରୁଷ ନୁହଁନ୍ତି, ମହିଳା ଓ ଛୋଟପିଲାମାନେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି।
କାଉଡ଼ି ଯାତ୍ରାର ନିୟମ
- ବୋଲବମ୍ ଯାତ୍ରାରେ ବାହାରିବା ପୂର୍ବରୁ କୌଣସି ପ୍ରକାର ନିଶା ସେବନ କରିବା ଅନୁଚିତ।
- ଏହି ଯାତ୍ରା ପୂରା ନ ହେବା ପର୍ଯ୍ୟନ୍ତ ଆମିଷ ଖାଇବା ମନା।
- ସ୍ନାନ ନ କରି ଜଳଭାର ବାହୁଙ୍ଗିକୁ ଛୁଇଁବା ଅନୁଚିତ।
- କୌଣସି ବୃକ୍ଷ ତଳେ କାଉଡ଼ିକୁ ରଖନ୍ତୁ ନାହିଁ।
- ବୋଲବମ୍ ଯାତ୍ରା ସମୟରେ ଶିବଙ୍କ ନାଁ ଉଚ୍ଚାରଣ କରିବା ଫଳଦାୟୀ।
- ମୁଣ୍ଡରେ ବାହୁଙ୍ଗିକୁ ନେବା ଅନୁଚିତ।