ପାରାମେଡିକାଲ କୋର୍ସ ମଧ୍ୟରୁ ଅନ୍ୟତମ ଫିଜିଓଥେରାପି। ତେବେ କେତେକ ରୋଗ ଏଭଳି ଅଛି, ଯାହା କେବଳ ଫିଜିଓଥେରାପି ଚିକିତ୍ସା ମାଧ୍ୟମରେ ହିଁ ଭଲ ହୋଇଥାଏ। ବ୍ୟାୟାମ, ଇଲେକଟ୍ରୋଥେରାପି, ମସାଜ ଆଦି ମାଧ୍ୟମରେ ରୋଗୀର ଚିକିତ୍ସା କରାଯାଏ। ଏସବୁ ମାଧ୍ୟମରେ ଚିକତ୍ସା କରୁଥିବା ବିଶେଷଜ୍ଞଙ୍କୁ କୁହାଯାଏ ‘ଫିଜିଓଥେରାପିଷ୍ଟ’ । ଏଥିରେ କୌଣସି ପ୍ରକାର ଔଷଧ ବ୍ୟବହାର କରାଯାଏ ନାହିଁ। ଏ ଦୃଷ୍ଟିରୁ ଉକ୍ତ ଚିକିତ୍ସା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହା ରୋଗୀକୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଶକ୍ତ କରେ। ଦିନକୁ ଦିନ ଫିଜିଓଥେରାପିର ଗୁରୁତ୍ବ ବୃଦ୍ଧି ପାଉଥିବାରୁ ସମ୍ପ୍ରତି ଅଧିକାଂଶ ହସ୍ପିଟାଲରେ ଫିଜିଓଥେରାପି ସେଣ୍ଟର ଖୋଲା ଯାଉଛି।
କ’ଣ ଆବଶ୍ୟକ
ଆତ୍ମବିଶ୍ବାସ
ଉତ୍ତମ କମ୍ୟୁନିକେସନ୍ ସ୍କିଲ୍
ସହନଶୀଳ ଓ ଧୈର୍ଯ୍ୟ ଆବଶ୍ୟକ
କାର୍ଯ୍ୟ ପ୍ରତି ନିଷ୍ଠା
ଶିକ୍ଷାଗତ ଯୋଗ୍ୟତା
ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ଅନିବାର୍ଯ୍ୟ। ବ୍ୟାଚେଲର ଅଫ୍ ଫିଜିଓଥେରାପି (ବିଟିପି), ମାଷ୍ଟର ଅଫ୍ ଫିଜିଓଥେରାପି (ଏମଟିପି) କୋର୍ସ ଉପଲବ୍ଧ। ସେହିପରି ଉଭୟ ସରକାରୀ ଓ ଘରୋଇ କଲେଜରେ ଏ ନେଇ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥାଏ।
ନିଯୁକ୍ତି ସୁଯୋଗ: ଏ କ୍ଷେତ୍ରରେ ନିଯୁକ୍ତିର ଆଦୌ ଅଭାବ ନାହିଁ। ବିଭିନ୍ନ ହସପିଟାଲ, କ୍ଲିନିକ୍, ନର୍ସିଂ ହୋମ୍, ସ୍ପୋଟର୍ସ କ୍ଲିନିକ୍, କ୍ଲବ୍, ଅର୍ଥୋପେଡିକ୍ କ୍ଲିନିକ୍, ଜିମ୍ ସେଣ୍ଟର ଆଦିରେ ନିଯୁକ୍ତି ସୁଯୋଗ ରହିଛି। ଅନ୍ୟପଟେ ଅଭିଜ୍ଞତା ସମ୍ପନ୍ନ ଫିଜିଓଥେରାପିଷ୍ଟ ନିଜସ୍ବ ଫିଜିଓଥେରାପି ସେଣ୍ଟର ଖୋଲିପାରିେବ। ଅବଶ୍ୟ ଏନେଇ ଲାଇସେନ୍ସ ରହିବା ଜରୁରୀ।
ରୋଜଗାର : ଏହାର ରୋଜଗାର ମୁଖ୍ୟତଃ ଅଭିଜ୍ଞତା ଉପରେ ହିଁ ନିର୍ଭର କରିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣେ ମାସକୁ ୧୦ରୁ ୨୦ ହଜାର ଟଙ୍କା ରୋଜଗାର କରିପାରିବେ। ସମୟ ସହିତ ଅଭିଜ୍ଞତା ବଢ଼ିେଲ ମାସକୁ ରୋଜଗାର ୪୦ରୁ ୫୦ ହଜାର ଟଙ୍କାରେ ପହଞ୍ଚେ। ସେହିପରି ନିଜସ୍ବ ସେଣ୍ଟର ଖୋଲି ବି ରୋଜଗାର କରିବା ସମ୍ଭବ।