ଭୁବନେଶ୍ବର(ସୁମିତ୍ରା ସାହୁ): ଶିଶୁଟିଏ ପାଇଁ ମାଆ କ୍ଷୀର ଦୁନିଆର ପ୍ରଥମ ଓ ମହାର୍ଘ ସମ୍ପଦ, ଅମୃତ ତଥା ସୁରକ୍ଷାର ସଞ୍ଜୀବନୀ। କୁହାଯାଏ, ମାତୃତ୍ୱର ସାର୍ଥକତା ମଧ୍ୟ ତା’ଗର୍ଭରୁ ଜନ୍ମିତ ଶିଶୁକୁ ସ୍ତନ୍ୟପାନରେ ହିଁ ସମ୍ପୂର୍ଣ୍ଣ ହୁଏ। ହେଲେ ଏ ଦୁନିଆରେ ଏଭଳି ଅନେକ ଶିଶୁ ଜନ୍ମହୋଇ ଆଖି ଖୋଲିବା ପୂର୍ବରୁ ପୁଣି ମୃତ୍ୟୁଲୋକକୁ ଫେରିଯାଆନ୍ତି। ଅପରପକ୍ଷେ ଅନେକ ଶିଶୁ ପରେ ମାଆକୁ ହରାଇ ମାଆ କ୍ଷୀର ପାଇବାରୁ ବଞ୍ଚିତ ହୋଇଥାଆନ୍ତି। ମାତୃତ୍ୱ ଓ ଶିଶୁର ଅମୃତ ସ୍ପର୍ଶ ଅନୁପସ୍ଥିତି ମଧ୍ୟରେ ରହିଯାଉଥିବା ଏହି ଦୂରତ୍ୱକୁ ହ୍ରାସ କରିବା ପାଇଁ ଅଭିନବ ପ୍ରୟାସ ହେଉଛି ମାଆ କ୍ଷୀର ଭଣ୍ଡାର ବା ‘ମଦର୍ ମିଲ୍କ ବ୍ୟାଙ୍କ’। ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଉଦ୍ୟମ କରିଛନ୍ତି ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ। ହସ୍ପିଟାଲ ପରିସରରେ ଖୋଲାଯାଇଥିବା ‘ମଦର ମିଲ୍କ ବ୍ୟାଙ୍କ’ ଏବେ ନବଜାତ ଶିଶୁଙ୍କ ପାଇଁ କେବଳ ସଞ୍ଜୀବନୀ ପାଲଟିନି; ମାଆ କ୍ଷୀର ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ନବଜାତ ଶିଶୁ ମୃତ୍ୟୁହାର କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
୧୧,୫୧୨ ମାଆଙ୍କ ଅମୃତ ନେଲେଣି ୨୫,୦୮୮ ସନ୍ତାନ
ଶିଶୁମାନଙ୍କ ପାଇଁ ମାଆ କ୍ଷୀରର ଆବଶ୍ୟକତା ପୂରଣ କରିବାକୁ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ପରିସରରେ ୨୦୨୨ ଜାନୁଆରୀ ୭ ତାରିଖରେ ‘ହ୍ୟୁମ୍ୟାନ୍ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ’ ବା ‘ମଦର୍ସ ମିଲ୍କ ବ୍ୟାଙ୍କ୍’ (ମାଆ କ୍ଷୀର ଭଣ୍ଡାର) ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜରିଆରେ ଖୋଲା ଯାଇଥିବା ଏହି ବ୍ୟାଙ୍କ୍କୁ କମ୍ପ୍ରେହେନସିଭ୍ ଲାକ୍ଟେସନ୍ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍ଏମ୍ସି) ମଧ୍ୟ କୁହାଯାଉଛି। ଯଦିଓ ପୂର୍ବରୁ ଏହି ବ୍ୟାଙ୍କ ବିଷୟରେ କେହି ଜାଣି ନ ଥିଲେ, କିନ୍ତୁ ବର୍ତ୍ତମାନ ମାଆମାନେ ନିଜ ଇଚ୍ଛାରେ ଏଠାକୁ ଆସି କ୍ଷୀର ଦାନ କରିବା ସହ ଶିଶୁ ୱାର୍ଡ ନିକଟରେ ଇନ୍ଫାଣ୍ଟ ଆଣ୍ଡ୍ ୟଙ୍ଗ୍ ଚାଇଲ୍ଡ ଫିଡିଂ ବା ଆଇଏୱାଇଏଫ୍ କାଉନ୍ସେଲିଂ ସେଣ୍ଟର୍ କାର୍ଯ୍ୟକ୍ଷମ ହୋଇଛି। ଯେଉଁଠାରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ୱତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍ ବ୍ରେଷ୍ଟଫିଡିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ମିଲ୍କ ବ୍ୟାଙ୍କ୍ ରାଜ୍ୟର ପ୍ରଥମ ହୋଇଥିବା ବେଳେ ଗତବର୍ଷ କଟକ ଏସ୍ସିବିରେ ମଧ୍ୟ ଏହି ବ୍ୟବସ୍ଥା ହୋଇଛି। ସାଧାରଣତଃ ପିଲାଟିଏ ଜନ୍ମ ହେବା ପରେ ମୃତ୍ୟୁ ହେଉଥିବା କାରଣରୁ ମାଆର କ୍ଷୀର ଜମି ରହି ଅନେକ ରୋଗ ସୃଷ୍ଟି କରିଥାଏ। ତେଣୁ ଏହାକୁ ନଷ୍ଟ ନକରି ଅନ୍ୟ ପିଲାମାନଙ୍କ ନିମନ୍ତେ ଦାନ କରିବାକୁ ହସ୍ପିଟାଲର ପ୍ରସୂତି ବିଭାଗରେ ୱାର୍ଡଗୁଡ଼ିକରେ ସଚେତନ କରାଯାଉଛି। ଫଳରେ ମାଆମାନେ ନିଜ ଇଚ୍ଛାରେ କ୍ଷୀରଦାନ କରୁଛନ୍ତି। ସେହିପରି ହସ୍ପିଟାଲ ବାହାରର ମଧ୍ୟ ମାଆମାନେ ସ୍ୱେଚ୍ଛାକୃତ ସ୍ତନ୍ୟପାନ କରୁଛନ୍ତି। ଏଥିପାଇଁ ପ୍ରଥମେ ମାଆଙ୍କୁ କାଉନସିଲିଂ କରାଯିବା ସହ କ୍ଷୀର ଦାନ ପାଇଁ ଗାଇଡ୍ଲାଇନ୍ ମଧ୍ୟ ରହିଛି। ଚଳିତ ବର୍ଷ ଜୁନ୍ ମଧ୍ୟରେ ୧୧ ହଜାର ୫୧୨ ମାଆ କ୍ଷୀର ଦାନ କରିଥିବା ବେଳେ ୨୫ ହଜାର ୮୮ ଜଣ ଶିଶୁ ଉପକୃତ ହୋଇଛନ୍ତି। ତେବେ ଏଠାରେ ପ୍ରତିଦିନ ୨.୪୮୯ ଲିଟର କ୍ଷୀର ସଂଗ୍ରହ କରାଯାଇଥିବା ସୂଚନା ରହିଛି।
କ୍ଷୀର ଦାନ ନିୟମ
- କ୍ଷୀରଦାନ କରୁଥିବା ମାଆମାନଙ୍କର ୧୨ ମାସ ମଧ୍ୟରେ ରକ୍ତ ଗ୍ରହଣ କରି ନ ଥିବେ।
- ବର୍ଷକ ମଧ୍ୟରେ ସେ ଶରୀର କୌଣସି ଅଙ୍ଗ ପ୍ରତ୍ୟାରୋପଣ କରାଇ ନ ଥିବେ କିମ୍ବା ପର୍ମାନେଣ୍ଟ ଟାଟୁ କିମ୍ବା କାନ ଫୋଡ଼ାଇ ନ ଥିବେ।
- ବର୍ଷକ ମଧ୍ୟରେ ସେ ତମାଖୁ, ସିଗାରେଟ୍ କିମ୍ବା ମଦ୍ୟପାନ କରୁ ନ ଥିବେ।
- ତାଙ୍କୁ ଏଚ୍ଆଇଭି, ଟିବି କିମ୍ବା କୌଣସି କ୍ରୋନିକ୍ ଡିଜିଜ୍ ହୋଇ ନ ଥିବ।
- ଗତ ୩ ବର୍ଷ ମଧ୍ୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ନ ଥିବେ
- ସେହିପରି ୧୫ ଦିନ ପର୍ଯ୍ୟନ୍ତ ତାଙ୍କର ଥଣ୍ଡା କିମ୍ବା କାଶ ଲାଗି ରହି ନ ଥିବ। ମାସକ ମଧ୍ୟରେ ରୁବେଲା, ମିଜାଇଲସ୍ ଭ୍ୟାକସିନ୍ ନେଇ ନ ଥିବେ। ୩ ମାସ ମଧ୍ୟରେ ଭ୍ୟାରିସିଲା ଭ୍ୟାକ୍ସିନ୍ ନେଇ ନ ଥିବେ। କୌଣସି ପ୍ରକାର ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ନ ଥିବେ କିମ୍ବା ମିଳିମିଳା, ହାଡ଼ଫୁଟି, ହରପିସ୍ ଭଳି ରୋଗରେ ଆକ୍ରାନ୍ତ ନ ଥିବେ।
ଦାନ, ସଂରକ୍ଷଣ ଓ ଗ୍ରହଣ ପ୍ରକ୍ରିୟା
ଏହି ୟୁନିଟ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ମାଆମାନଙ୍କୁ ସାନିଟାଇଜ୍ କରାଯାଇଥାଏ ଓ ପିନ୍ଧାବସ୍ତ୍ର ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଶିଶୁମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ମାଆମାନଙ୍କ ସ୍ତନ ସଫା କରିବା ପାଇଁ ଏଠାରେ ୨ ପ୍ରକାର ପାଣି ଯଥା, ସୋପ୍ ୱାଟର ଏବଂ ଆରୋ ୱାଟର୍ ବ୍ୟବହାର କରାଯାଇ ମାଆଙ୍କୁ ମେସିନ୍ ନିକଟରେ ବସାଇ କ୍ଷୀର ସଂଗ୍ରହ କରାଯାଇଥାଏ। ଏହାପରେ ଏମ୍ଓଏମ୍(ମଦର ଓନ୍ ମିଲ୍କ) ବା ନିଜ ପିଲାପାଇଁ ଆବଶ୍ୟକ କ୍ଷୀରକୁ ବାଦ୍ଦେଇ ବଳକା କ୍ଷୀର ଫ୍ରିଜ୍ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏବଂ ପରେ -୨୦ ଡିଗ୍ରୀ (ମାଇନସ୍ ୨୦ ଡିଗ୍ରୀ) ରେ ଡିପ୍ଫ୍ରିଜ୍ରେ ରଖାଯାଏ। ଯଦିଓ କ୍ଷୀର ସଂଗ୍ରହ ଦିନରୁ ୩ ମାସ ପର୍ଯ୍ୟନ୍ତ ଏହାକୁ ଡିପ୍ଫ୍ରିଜ୍ରେ ରଖାଯାଇଥାଏ, କିନ୍ତୁ, ୩ମାସ ମଧ୍ୟରେ ଏହାକୁ ପାଶ୍ଚୋରାଇଜ୍ ବା ପୃଥକୀକରଣ କରାଯାଇଥାଏ। ଏଥିପାଇଁ ପୂର୍ବଦିନ ଅର୍ଥାତ୍ ୨୪ ଘଣ୍ଟା ପୂର୍ବରୁ ଡିପ୍ଫ୍ରିଜରୁ ବାହାର କରାଯାଇ ନର୍ମାଲ ଫ୍ରିଜ୍ରେ (ବରଫରୁ ତରଳ ହେବା ପାଇଁ) ରଖାଯାଇଥାଏ। ପ୍ରକ୍ରିୟାକରଣ କରାଯିବା ସ୍ଥାନକୁ ଭଲ ଭାବରେ ସଫା କରାଯିବା ସହ କ୍ଷୀରକୁ ମାଇକ୍ରୋବାୟୋଲୋଜି ଟେଷ୍ଟ ପାଇଁ ପଠାଯାଏ। ଏଥିପାଇଁ ନମୁନା ସଂଗ୍ରହ କରିବାକୁ ଆବଶ୍ୟକ ଉପକରଣ ଗୁଡ଼ିକ ୟୁଭି ଲାଇଟ୍ ଅନ୍ କରାଯାଇ କ୍ଲାରିଫାଏ କରାଯାଏ। ଏହି ଲାଇଟ୍ ବନ୍ଦ ହେବା ପରେ ବିଶୁଦ୍ଧୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାପରେ ପୁଣି ଥରେ କ୍ଷୀରକୁ କଲଚର୍ ଭାଲ୍ଭରେ ଟେଷ୍ଟ ପାଇଁ ପଠାଯାଏ। ରିପୋର୍ଟ ଆସିବା ପରେ ପରେ କ୍ଷୀରକୁ (୨୫୦ମିଲିଲିଟର) ବୋତଲରେ ସିଲ୍ କରାଯାଇ ଡିପ୍ ଫ୍ରିଜରେ ରଖାଯାଇଥାଏ। ତେବେ ଏହି କ୍ଷୀର ୨ ପ୍ରକାର ଯଥା, ପିଟି (ପ୍ରିଟର୍ମ), ଯେଉଁ କ୍ଷୀରକୁ ୩୭ ମାସ ପୂର୍ବର ହୋଇଥିବା ପିଲା ଖାଇବେ ଏବଂ ଏଫ୍ଟି (ଫୁଲ ଟର୍ମ)କୁ ୩୭ ମାସରୁ ଅଧିକ ଦିନର ଶିଶୁ ଖାଇପାରିବେ। ଏହି କ୍ଷୀରକୁ ଦେବା ପୂର୍ବରୁ ୨୪ ଘଣ୍ଟା ଆଗରୁ ନର୍ମାଲ ଫ୍ରିଜ୍ରେ ରଖାଯାଇ ତା ପରେ ଖାଇବାକୁ ଦିଆଯାଇଥାଏ। ଥରେ ବୋତଲର ସିଲ୍ ଖୋଲିବା ପରେ ୪ ଘଣ୍ଟା ମଧ୍ୟରେ ପିଲାମାନଙ୍କୁ ଦିଆଯାଇଥାଏ।
୪୦ ବର୍ଷ ପରେ ରୋଗ ଆଶଙ୍କା
ବିଶେଷଜ୍ଞଙ୍କ ମତରେ, ମାଆ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୋଷଣ ଶକ୍ତି ଭରି ରହିଛି। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶିଶୁର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଲାଗି ମାଆ କ୍ଷୀର ସର୍ବୋତ୍କୃଷ୍ଟ ଆହାର। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣର ଆବଶ୍ୟକତା ପୂରଣ କରିଥାଏ ମାଆ କ୍ଷୀର। ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ଏହା ଶିଶୁକୁ ପୋଷଣଗତ ଆବଶ୍ୟକତା ପ୍ରଦାନ କରିଥାଏ। ଯେଉଁ ଶିଶୁମାନେ ମାଆର ପ୍ରଥମ କଷ କ୍ଷୀର ଅବା ୬ମାସ ପର୍ଯ୍ୟନ୍ତ କିମ୍ବା ଆଦୌ ମାଆ କ୍ଷୀର ନେଇ ନ ଥିବେ, ସେମାନେ ନିମୋନିଆ, ଥଣ୍ଡା, ଜ୍ୱର, ଡାଇରିଆ, କାନ ପାଚିବା ସହ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇଥାନ୍ତି। ବିଶେଷ କରି ୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ସେମାନେ ମଧୁମେହ, ହୃଦ୍ଘାତ, ରକ୍ତଚାପ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ସଫଳ ସ୍ତନ୍ୟପାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗ
ସିଏଲଏମ୍ସିର ଷ୍ଟାଫ୍ ନର୍ସମାନେ ଶିଶୁ ବିଭାଗ ୱାର୍ଡରେ ରହିଥିବା ଏସ୍ଏନ୍ୟୁ (ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍)ରେ ମାଆମାନଙ୍କୁ ସ୍ତନ୍ୟପାନ ବିଷୟରେ ସଚେତନ କରାଇଥାନ୍ତି। ଏପରିସ୍ଥଳେ ଯେଉଁମାନେ କ୍ଷୀର ଦାନ କରିବାକୁ ଚାହିଁବେ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଥାଏ। ଏହାପରେ ମାଆମାନଙ୍କୁ ସ୍କ୍ରିନିଂ ଏବଂ ୟୁନିଟ୍ର କର୍ମଚାରୀମାନେ କାଉନସିଲିଂ କରିଥାନ୍ତି। ମାଆମାନେ ନଖ ନ ରଖିବା, ଅଧିକ ଗହଣା ନ ପିନ୍ଧିବା, ସର୍ବଦା ପରିଷ୍କାର ବସ୍ତ୍ର ପରିଧାନ କରିବା, ହାତ ସଫା ରଖିବାକୁ ପରାମର୍ଶ ଦିଆଯାଏ।
ଆଇଏମ୍ଏସ୍ ଆକ୍ଟ କ’ଣ?
ଇନଫାଣ୍ଟ୍ ମିଲ୍କ ସବଷ୍ଟିଚ୍ୟୁଟ୍ ଆମେଣ୍ଟମେଣ୍ଟ (ଆଇଏମ୍ଏସ୍)ଆକ୍ଟ ଅନୁସାରେ, ନବଜାତ ଶିଶୁଙ୍କୁ ମାଆ କ୍ଷୀର ବିକଳ୍ପ ଭାବେ ଡବା କ୍ଷୀର ବା ଏହି ଜାତୀୟ ଖାଦ୍ୟ ଦେବାକୁ ପ୍ରେସକ୍ରାଇବ୍ କରାଯିବା ଉଚିତ୍ ନୁହେଁ। ପିଲା ଜନ୍ମ ପରେ କ୍ଷୀର ହେଉ ନ ଥିବା କହି ଡାକ୍ତରମାନେ ବିକଳ୍ପ ଖାଦ୍ୟ ନ ଦେଇ କିଭଳି ମାଆମାନେ କ୍ଷୀର ଦେଇପାରିବେ ସେଥିପାଇଁ ପରାମର୍ଶ ଦେବା ଉଚିତ୍। ଯେଉଁ ଡାକ୍ତର ବେବି ଫୁଡ୍ କମ୍ପାନୀଗୁଡ଼ିକର ପ୍ରମୋସନ୍ ପାଇଁ ଏହାକୁ ନବଜାତ ଶିଶୁଙ୍କୁ ଦେବାକୁ ଲିଖିତ ପରାମର୍ଶ ଦେବେ, ସେମାନଙ୍କ ନିମନ୍ତେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ ମଧ୍ୟ ରହିଛି।
କୌଣସି କ୍ରୋନିକ୍ ଡିଜିଜ୍ରେ ଆକ୍ରାନ୍ତ ମାଆଙ୍କୁ ବାଦ୍ ଦେଲେ ଅନ୍ୟମାନେ ନିଜ ପିଲାଙ୍କୁ କ୍ଷୀର ଦେଇପାରିବେ। ଏଥିପାଇଁ ଡାକ୍ତରମାନେ ପିଲା ଜନ୍ମ ହେବାର ପ୍ରଥମ ଦିନରୁ ଡବା କ୍ଷୀର ପାଇଁ କିଭଳି ପ୍ରେସକ୍ରାଇବ୍ ନ କରିବେ ସେଥିପାଇଁ ସରକାରୀ ସ୍ତରରେ ସଚେତନା କରାଯିବା ଉଚିତ୍। ଫଳରେ ପ୍ରତ୍ୟେକ ବ୍ୟକ୍ତି ମାଆ କ୍ଷୀରର ମହତ୍ତ୍ୱ ଏବଂ ଏହାର ଉପକାରିତାକୁ ବୁଝିପାରିବେ।
-ଡା. ଆଲୋକ ସ୍ୱାଇଁ
(ସିଏଲଏମ୍ସି, ନୋଡାଲ୍ ଅଫିସର, କ୍ୟାପିଟାଲ ହସ୍ପିଟାଲ)
ଅସୁସ୍ଥତା, ମୃତ୍ୟୁ କିମ୍ବା ପ୍ରିମାଚ୍ୟୁର ଡେଲିଭରି ଆଦି ବିଭିନ୍ନ କାରଣରୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ମାଆଙ୍କ ଶିଶୁଙ୍କୁ ଏଠାରେ ସାଇତି ରଖାଯାଇଥିବା କ୍ଷୀର ଦିଆଯାଉଛି। ତେଣୁ ବର୍ତ୍ତମାନ କୌଣସି ଶିଶୁ ମାଆ କ୍ଷୀର ଅଭାବରୁ ମରିବେ ନାହିଁ କିମ୍ୱା ପୁଷ୍ଟିହୀନତାର ଶିକାର ହେବେ ନାହିଁ। ଏହା ବ୍ୟତୀତ ଆବଶ୍ୟକତାଠାରୁ ଅଧିକ ପରିମାଣର ମାଆ କ୍ଷୀର ଷ୍ଟକ୍ ରହିଲେ, ତାହାକୁ ରାଜ୍ୟର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ରହିବା ଉଚିତ୍।
– ଡା. ଧନଞ୍ଜୟ ଦାସ
ସୁପରିନ୍ଟେଣ୍ଡେଣ୍ଟ, କ୍ୟାପିଟାଲ୍ ହସ୍ପିଟାଲ୍
ଓଡ଼ିଶାର ଏହା ହେଉଛି ପ୍ରଥମ ମିଲ୍କ ବ୍ୟାଙ୍କ୍। ଯାହା ନବଜାତକଙ୍କ ନିମନ୍ତେ ବହୁ ଉପାଦେୟ ହୋଇଛି। କୋଭିଡ୍ ପୂର୍ବରୁ ଏହି ଯୋଜନା ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଇଛି। ଏଥିପାଇଁ ଔରଙ୍ଗାବଦରେ ସ୍ପେଶାଲ ଟ୍ରେନିଂ ନେଇ ଏଠାରେ ଇମ୍ପ୍ଲିମିଟେସନ୍ କରିଥିଲି। ଯାହ ବର୍ତ୍ତମାନ ଅନେକ ଶିଶୁଙ୍କୁ ମାଆକ୍ଷୀର ଯୋଗାଇବାରେ ସହାୟକ ହେଉଛି। ଏହାଦ୍ୱାରା ଶିଶୁ ମୃତ୍ୟୁହାର ମଧ୍ୟ କମିଛି। ପ୍ରତିଦିନ ପ୍ରାୟ ୩ ଲିଟର ମାଆ କ୍ଷୀର ସଂଗ୍ରହ ହେଉଥିବା ବେଳେ ଏକାଥରକେ ୨୦୦ ଲିଟର କ୍ଷୀର ଷ୍ଟକ୍ ରହିବାର କ୍ଷମତା ରହିଛି। ସବୁଠାରୁ ବଡ଼କଥା ହେଉଛି ଚଳିତ ବର୍ଷ ସିଏଲଏମ୍ସି ନ୍ୟାସନାଲ୍ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ ସାର୍ଟିଫାୟାଡ଼୍ ହୋଇଛି। ଏହା ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
– ଡା. ଲକ୍ଷ୍ମୀଧର ସାହୁ (ପୂର୍ବତନ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ)
ବର୍ତ୍ତମାନ ସିଏଲଏମ୍ସି ଠାରୁ ପ୍ରସୂତି ବିଭାଗ ପ୍ରାୟ ୪୦୦ ମିଟର ଦୂରରେ ରହିଥିବାରୁ ମିଲ୍କ ଡୋନେଟ୍ ପାଇଁ ମାଆମାନଙ୍କୁ ଆସିବାକୁ ସମସ୍ୟା ହେଉଛି। ପ୍ରସବ ପରେ ଦିନରେ ପ୍ରାୟ ୪ରୁ ୬ଥର ଯିବା ଆସିବା କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ ସମ୍ଭବ ହେଉନାହିଁ। ପ୍ରସୂତି ବିଭାଗ ପରିସରରେ ଏକ ମିଲ୍କ କିଚେନ୍ ସ୍ଥାପନ କରାଯାଆନ୍ତା, ସେଠାରେ ସିଏଲଏମ୍ସିର ଷ୍ଟାଫ୍ ନର୍ସ ଜଣେ ଉପସ୍ଥିତ ରହି କ୍ଷୀର କଲେକସନ୍୍ କରିପାରନ୍ତେ। ଆବଶ୍ୟକ ସମସ୍ତ ଉପକରଣ ସେଠାରେ ରଖାଯାଇ ସଂଗୃହୀତ କ୍ଷୀର ସିଏଲଏମସିକୁ ଅଣାଯାଇ ପୃଥକୀକରଣ କରାଯାଇପାରନ୍ତା ଏବଂ ପ୍ରସୂତିମାନେ କ୍ଷୀର ଦାନ କରିବାକୁ ଅଧିକ ଆଗ୍ରହୀ ହୁଅନ୍ତେ।
– ଡା. ଅଲିଭା ଆଦ୍ୟାରଶ୍ମି ଆଚାର୍ଯ୍ୟ
ହସ୍ପିଟାଲ୍ ମ୍ୟାନେଜର