ପୁରୀ (ହେମନ୍ତ କୁମାର ନାୟକ): ପୂର୍ବ ଭାରତର ଓଡ଼ିଶା ଉପକୂଳରେ ରହିଛି ପ୍ରମୁଖ ମନୋରମ ବେଳାଭୂମି। ପୁରୀଠାରେ ସମୁଦ୍ର ସ୍ନାନ ପାଇଁ ଅନୁକୂଳ ଯୋଗୁଁ ଏଠାରେ ବର୍ଷତମାମ୍ ଦେଶ ବିଦେଶ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପୂର୍ବ ଆକାଶରେ ସିନ୍ଦୂରା ଫାଟିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଦପଡ଼େ ବେଳାଭୂମି ଛାତିରେ। ଢେର୍ ରାତିଯାଏ ଲାଗେ ଗହଳିଚହଳି। କେବଳ ପୁରୀ ନୁହେଁ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ବାଲେଶ୍ବର ଜିଲ୍ଲାରେ ପ୍ରମୁଖ ବେଳାଭୂମି ଯେ କେବଳ ପର୍ଯ୍ୟଟକଙ୍କ ମନୋରଞ୍ଜନର ମାଧ୍ୟମ ତାହା ନୁହେଁ, ଅନେକଙ୍କୁ ବଞ୍ଚିବାର ରାହା ଦେଇଆସିଛି। ପର୍ଯ୍ୟଟକଙ୍କୁ କେନ୍ଦ୍ରକରି ବହୁ ପରିବାରର ଭାତହାଣ୍ଡି ପାଲଟିଛି ବେଳାଭୂମି।
ପୁରୀ ବାଲୁକା ଶଯ୍ୟାର ପେଣ୍ଠକଟାରୁ କୋକୋପାମ୍ ପର୍ଯ୍ୟନ୍ତ ସକାଳୁ ସକାଳୁ ଚା’ ଜଳଖିଆଠାରୁ ଆରମ୍ଭ କରି ଝାଲମୁଢ଼ି, ଚଣା, ମଟର, ମିକ୍ସଚର୍, ବାଦାମ, ଆଇସ୍କ୍ରିମ୍, ପଇଡ଼ ପସରା ମେଲିଯାଏ। ପୁଣି ପର୍ଯ୍ୟଟକଙ୍କୁ ମାଲିସ୍ କରିବା ପାଇଁ ଡେରା ପକାଇଥାନ୍ତି ଥୋକେ ଲୋକ। ସେପଟୁ ଘୋଡ଼ା, ଓଟ ଧରି ପହଞ୍ଚିଯାନ୍ତି କିଛି ବ୍ୟକ୍ତି। ପର୍ଯ୍ୟଟକଙ୍କୁ ଘୋଡ଼ା ଓ ଓଟ ପିଠିରେ ବସାଇ ରୋଜଗାର କରନ୍ତି ଭଲ ଦି ପଇସା। ସନ୍ଧ୍ୟା ପର୍ଯ୍ୟନ୍ତ ବେଳାଭୂମିରେ ଚାଲୁଥାନ୍ତି ଏକାଧିକ ଓଟ ଓ ଘୋଡ଼ା। ପୁଣି ପର୍ଯ୍ୟଟକଙ୍କୁ ପହିଲି ସୂର୍ଯ୍ୟ କିରଣର ସ୍ୱାଦ ଦେବା ପାଇଁ ମାଳମାଳ ଚେୟାର ଦେଖିବାକୁ ମିଳେ। ସମୁଦ୍ର ସ୍ନାନ ପରେ ପର୍ଯ୍ୟଟକ ଚେୟାରରେ ବସି ନୀଳ ଜଳରାଶିରେ ସୃଷ୍ଟି ହେଉଥିବା ବିଶାଳ ଢେଉ ଖେଳ ଦେଖନ୍ତି। ମହୋଦଧିର ଛାତି ଚିରି ଅଥଳ ଜଳ ରାଶିରେ ପର୍ଯ୍ୟଟକଙ୍କୁ ବସାଇ ଚକ୍କର କାଟେ ଜେଟ୍ସ୍କି ଓ ସ୍ପିଡ୍ ବୋଟ। ପୁଣି ସମୁଦ୍ର ବକ୍ଷରୁ ମାଛ, କଙ୍କଡ଼ା ସାଉଣ୍ଟି ଘରମୁହାଁ ହୁଅନ୍ତି ମତ୍ସ୍ୟଜୀବୀ। ବେଳାଭୂମି ବାଲିରେ ମେଲିଦିଅନ୍ତି ସଜ ମାଛର ପସରା। ଏମିତି ଚାଲେ ବେଳାଭୂମିରେ ଜୀବନ, ଯେଉଁମାନଙ୍କୁ ବଞ୍ଚିବାର ରାହା ଦେଇଆସୁଛି ପୁରୀ ବେଳାଭୂମି।
ଝାଲମୁଢ଼ିର ବାସ୍ନା
ବେଳାଭୂମି ଆସୁଛନ୍ତି ମାନେ ଝାଲମୁଢ଼ି ଖାଇବେନି ବା କେମିତି ? ସ୍ୱର୍ଣ୍ଣାଭ ବେଳାଭୂମିର ବାଲୁକା ଶଯ୍ୟାରେ ଉତ୍ତାଳ ତରଙ୍ଗକୁ ଉପଭୋଗ କରୁଥିବା ବେଳେ କାନରେ ପଡ଼ିବ ‘ଝାଲମୁଡ଼ି ନେବ ଝାଲମୁଢ଼ି’। ପୁଣି କେବେ ଚଣା ବାଦାମ… ଚଣା ବାଦାମ୍ ଏମିତି କେତେ କ’ଣ । ତେବେ ପୁରୀ ବେଳାଭୂମିରେ ପ୍ରତିଦିନ ଝାଲମୁଢ଼ି ବିକ୍ରି କରିଥାନ୍ତି ମଙ୍ଗଳାଘାଟର ପ୍ରତାପ ସାହୁ। ସକାଳ ହେଲେ ଘରୁ ଏକ ବାଉଁଶ ପାଛିଆରେ ସାଇଜ୍ କରି ଝାଲମୁଢ଼ିର ସାମଗ୍ରୀକୁ ମୁଣ୍ଡେଇ ପହଞ୍ଚିଯାନ୍ତି ବେଳାଭୂମିରେ। ଆଉ ଆରମ୍ଭ ହୁଏ ତାଙ୍କ ଝାଲମୁଢ଼ିର ବ୍ୟବସାୟ । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନୁହେଁ, ଦିଗବାରିଣୀ ଛକଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ମୁଣ୍ଡରେ ଝାଲମୁଡ଼ି ପସରା ଥୋଇ ଡାକ ଛାଡିଥାନ୍ତି। ଦ୍ୱିପ୍ରହରରେ ନିଜେ ପେଟକୁ ଦି ମୁଠା ଦାନା ଦେବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ବେଳାଭୂମିରେ ଝାଲମୁଢିର ପସରା ମେଲାଇଥାନ୍ତି ପ୍ରତାପ।
‘ଓଟ’ରୁ ଜୀବିକା; ମରୁଭୂମିରୁ ବେଳାଭୂମି
୮/୧୦ ବର୍ଷ ହେବ ପୁରୀ ବେଳାଭୂମିରେ ‘ଓଟ’କୁ ନେଇ ନିଜର ଜୀବିକା ନିର୍ବାହ କରିଆସୁଛନ୍ତି ଜଗ୍ଦୀଶ ରାଓ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଓଟ ପିଠିରେ ବସାଇ ବେଳାଭୂମିରେ ବୁଲାଇଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଜଗଦୀଶ କୁହନ୍ତି, ରାଜସ୍ଥାନରୁ ଏହି ଓଟ ଆଣିଛନ୍ତି। ସକାଳ ୬ଟା ହେଲେ ଓଟଙ୍କୁ ଧରି ବେଳାଭୂମିରେ ପହଞ୍ଚିଯାନ୍ତି । ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ଏବଂ ବଡ଼ ଲୋକଙ୍କ ପାଇଁ ୧୦୦ ଟଙ୍କା ସଂଘ ପକ୍ଷରୁ ଧାର୍ଯ୍ୟ ହୋଇଛି। ତଥାପି ଲୋକ ଦେଖି ଧାର୍ଯ୍ୟ ଅର୍ଥଠାରୁ ବି କମ୍ ନେଇଥାନ୍ତି। କେଉଁଦିନ ହଜାରେ ତ ପୁଣି କେଉଁଦିନ ୧,୫୦୦ ରୋଜଗାର କରନ୍ତି। ଦୈନିକ ଓଟ ପାଇଁ ୩୦୦ରୁ ୪୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କୁହନ୍ତି ଜଗଦୀଶ ।
ବିହାରୀ ବାବୁଙ୍କ ବମ୍ବେଇ ଲଡୁ
ବିହାରର ଲଳିତ କୁମାର ୧୫/୧୬ ବର୍ଷ ହେବ ବେଳାଭୂମିରେ ବମ୍ବେଇ ଲଡୁ ବିକ୍ରି କରୁଛନ୍ତି। ଦିନତମାମ୍ ହାତରେ ଘଣ୍ଟିଟିଏ ଏବଂ କାନ୍ଧରେ ବମ୍ବେଇ ଲଡୁ ବନ୍ଧା ଥିବା ବାଉଁଶଟିକୁ ଧରି ବେଳାଭୂମିରେ ଚାଲୁଥାନ୍ତି। ଲଳିତ କୁହନ୍ତି, ଏହାକୁ ପ୍ରସ୍ତୁତ କରିବାକୁ ଦୈନିକ ୫/୬ ଘଣ୍ଟା ସମୟ ଲାଗିଥାଏ। ଏହାପରେ ଏହି ବମ୍ବେଇ ଲଡୁକୁ ଧରି ବେଳାଭୂମିରେ ହାଜର ହୁଅନ୍ତି । ଦିନକୁ ୬୦ରୁ ୧୦୦ ପର୍ଯ୍ୟନ୍ତ ବମ୍ବେଇ ଲଡୁ ତିଆରି କରି ବିକ୍ରି ପାଇଁ ଆଣିଥାନ୍ତି। କେଉଁଦିନ ଭଲ ଦି ପଇସା ହୁଏ ତ ପୁଣି କେବେ ନିରାଶ ହେବାକୁ ପଡ଼େ ବୋଲି କୁହନ୍ତି ଲଳିତ। କେବଳ ଲଳିତ ନୁହଁନ୍ତି ତାଙ୍କ ଭଳି ଏଠାରେ ବମ୍ବେଇ ଲଡୁକୁ ନେଇ ଜୀବିକା ନିର୍ବାହ କରନ୍ତି ପ୍ରାୟ ୪୦ରୁ ୫୦ ବ୍ୟବସାୟୀ।
ଶଙ୍ଖ, ମାଳିର ପସରା
ପୁରୀ ବେଳାଭୂମି ବୁଲି ଆସୁଥିବା ପର୍ଯ୍ୟଟକ ଘରକୁ ଫେରିବା ବେଳେ କିଛି ନା କିଛି ସାଙ୍ଗରେ ନେଇଥାନ୍ତି। ଯେଉଁଥÒପାଇଁ ବେଳାଭୂମିରେ ଶଙ୍ଖ, ମାଳିର ବିଭିନ୍ନ ସାମଗ୍ରୀ ମଧ୍ୟ ଉପଲବ୍ଧ ହୋଇଥାଏ। ସକାଳୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ଖୋଲା ରୁହେ। ପର୍ଯ୍ୟଟକମାନେ ଘରକୁ ଯିବାବେଳେ ଏଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ କ୍ରୟ କରିଥାନ୍ତି। ବେଳାଭୂମିରେ ଶଙ୍ଖ, ମାଳି ଦୋକାନ କରିଥିବା ବାବୁଲା ସାହୁ କୁହନ୍ତି, ଏହି ଦୋକାନରେ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି।
ଡଙ୍ଗା, ଜାଲ ଓ ମାଛ ମଣିଷ
ସମୁଦ୍ର ଏବଂ ବେଳାଭୂମିରେ ଯାହାର ଅଧିକ ଚଳପ୍ରଚଳ ସେମାନେ ହେଉଛନ୍ତି ମତ୍ସ୍ୟଜୀବୀ ସମ୍ପ୍ରଦାୟ। ଶହ ଶହ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ପୁରୀ ବେଳାଭୂମି କଡ଼ରେ ଏକାଧିକ ମତ୍ସ୍ୟଜୀବୀ (ନୋଳିଆ) ସମ୍ପ୍ରଦାୟର ବସ୍ତି ରହିଛି। ଏଥÒମଧ୍ୟରେ ପେଣ୍ଠକଟା ବସ୍ତି ହେଉଛି ସବୁଠୁ ବଡ଼। ଏହା ପରେ ରହିଛି ବାଲିନୋଳିଆସାହି। ଏଠାରେ ହଜାର ହଜାର ତେଲୁଗୁ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି। ପେଣ୍ଠକଟା ବସ୍ତିକୁ ଲାଗିଛି ବେଳାଭୂମି। ବିଶେଷକରି ବଡ଼ିଭୋରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ଧରି ସମୁଦ୍ରରେ ପ୍ରବେଶ କରନ୍ତି। କିଛି ଘଣ୍ଟା ପରେ ମାଛ ଧରି ଫେରନ୍ତି। ଶହଶହ ଡଙ୍ଗା ବେଳାଭୂମିରେ କଡ଼ରେ ଲାଗେ। ଆରମ୍ଭ ହୁଏ ମାଛ କିଣାବିକା। ସମୁଦ୍ର, ବେଳାଭୂମି, ଡଙ୍ଗା, ଜାଲ ଓ ମାଛକୁ ନେଇ ଏମାନଙ୍କ ଜୀବନ ଚଳଚଞ୍ଚଳ।
କ୍ୟାମେରା ଫ୍ରେମ୍ରେ ଜୀବନଜୀବିକା
ଡିଜିଟାଲ ଯୁଗରେ ଏବେ ବି ପୁରୀ ବେଳାଭୂମିକର ଅନେକ ଫଟୋଗ୍ରାଫର୍ ଡିଏସ୍ଏଲଆର୍ (ଡିଜିଟାଲ ସିଙ୍ଗଲ ଲେନ୍ସ ରିଫ୍ଲେକ୍ସ) କ୍ୟାମେରାକୁ ନେଇ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଅନେକ ପର୍ଯ୍ୟଟକ ଫଟୋଗ୍ରାଫରକୁ ଡାକି ଫେରିବା ବେଳେ ସୁନ୍ଦର ଫଟୋର ଫ୍ରେମଟିଏ ସାଥୀରେ ନେଉଛନ୍ତି। ଯଦିଓ ପୂର୍ବାପେକ୍ଷା ବେପାର କମିଛି କିନ୍ତୁ ଏବେ ବି ଅନେକ ଲୋକ ଫଟୋଗ୍ରାଫିକୁ ପେସା ଭାବେ ଜାବୁଡ଼ି ଧରିଛନ୍ତି। କଳା ପ୍ୟାଣ୍ଟ, ଧଳା ଶାର୍ଟ ଏବଂ ଟୋପି ପିନ୍ଧି ବେକରେ କ୍ୟାମେରା ଗଳାଇ ବେଳାଭୂମିରେ ବୁଲିଥାନ୍ତି। ପୁରୀ ବେଳାଭୂମି ଫଟୋଗ୍ରାଫର ମହାସଂଘ ନାମରେ ଏମାନଙ୍କର ଏକ ସଙ୍ଗଠନ ବି ରହିଛି।
‘ଘୋଡ଼ା’ ବେପାର
ପୁରୀ ବେଳାଭୂମିରେ ବୁଲୁଥିବା ବେଳେ ନିଶ୍ଚିତ ସମସ୍ତଙ୍କ ନଜରକୁ ଆସିବେ ଘୋଡ଼ା। ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବେଳାଭୂମି ବାଲିରେ ଟୁପୁରୁ ଘାଗୁଡ଼ି ଶବ୍ଦ କରି ଆଗକୁ ମାଡି ଚାଲିଥିବ ଘୋଡ଼ା। ପର୍ଯ୍ୟଟକଙ୍କୁ ଘୋଡ଼ା ଚଢ଼ାର ପରିବାର ପାଇଁ ଦାନା ଯୋଗାଡ଼ କରୁଥିବା ଲୋକଙ୍କ ମଧ୍ୟରୁ ମଙ୍ଗଳାଘାଟର ନକୁଳ ସାହୁ ଅନ୍ୟତମ। ଦୀର୍ଘ ୨୫ରୁ ୩୦ ବର୍ଷ ହେଲା ପର୍ଯ୍ୟଟକଙ୍କୁ ଘୋଡ଼ା ସବାରର ସୁଯୋଗ ଦେଇଆସୁଛନ୍ତି ନକୁଳ। ସେ କୁହନ୍ତି, ସାଧାରଣତଃ ଆମେ କୋଲକାତା କିମ୍ବା ଟାଟାରୁ ୮୦ ହଜାରରୁ ୧ ଲକ୍ଷ ଟଙ୍କା ମୂଲ୍ୟରେ ଘୋଡ଼ା କିଣିଥାଉ। ଏଠାକୁ ଆଣିବା ପାଇଁ ବି ୧୦/୧୨ ହଜାର ଟଙ୍କା ଖର୍ଚ୍ଚହୁଏ। ଦୈନିକ ପ୍ରାୟ ୩୦୦ରୁ ୩୫୦ ଟଙ୍କା ସେମାନଙ୍କ ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସକାଳ ହେଲେ ଘୋଡ଼ା ଧରି ବେଳାଭୂମିରେ ପହଞ୍ଚୁ। ପର୍ଯ୍ୟଟକଙ୍କୁ ଘୋଡ଼ା ଉପରେ ବୁଲାଇ ସେମାନଙ୍କ ମନୋରଞ୍ଜନ କରିଥାଉ। ଘୋଡ଼ା ସବାର କରିବା ପାଇଁ ପିଲାଙ୍କଠାରୁ ୫୦ ଟଙ୍କା ଏବଂ ବଡ଼ ଲୋକଙ୍କଠାରୁ ସେମିତି ଦେଖି ନେଉ। ରାତି ୯ଟା/ ୧୦ଟା ପର୍ଯ୍ୟନ୍ତ ବେଳାଭୂମିରେ ରହୁ। କେଉଁଦିନ ୮ ଶହ ତ ଆଉ କେଉଁଦିନ ହଜାରେ ଟଙ୍କା ରୋଜଗାର ହୋଇଥାଏ ବୋଲି କହିଛନ୍ତି ନକୁଳ।
ଉପରମୁହାଁ ହୋଟେଲ୍ ଶିଳ୍ପ
ବ୍ରହ୍ମପୁର(କ୍ଷୀରସିନ୍ଧୁ ମହାନ୍ତି): ବ୍ରହ୍ମପୁର ଅବା ଗଞ୍ଜାମ ଜିଲ୍ଲାକୁ ଯିଏ ଆସିଛି ସେ ଗୋପାଳପୁର ବେଳାଭୂମି ବୁଲି ଆସିବା ଥୟ। କେବଳ ରାଜ୍ୟରୁ ନୁହନ୍ତି, ଦେଶ ବିଦେଶରୁ ମଧ୍ୟ ଏଠାକୁ ପର୍ଯ୍ୟଟକ ଛୁଟି ଆସନ୍ତି। ଏହି କ୍ରମରେ ଛୋଟଠାରୁ ବଡ଼ ହୋଟେଲ ବ୍ୟବସାୟ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଭଳି ହୋଟେଲ ଏଠାରେ ଦଣ୍ଡାୟମାନ। ଫଳରେ ଗୋପାଳପୁର କେବଳ ପର୍ଯ୍ୟଟନ ନୁହେଁ ବରଂ ଜୀବନରେଖାରେ ମଧ୍ୟ ପରିଗଣିତ ହୋଇଛି।
ବଡ଼ ହୋଟେଲ ବଡ଼ ପର୍ଯ୍ୟଟକ
ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଧି ମଧ୍ୟରେ ମେ ଫାୟାର, ପ୍ରମୋଦ ଇନ୍ ଭଳି ତାରକା ହୋଟେଲ୍ମାନ ଦଣ୍ଡାୟମାନ। ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ହୋଟେଲ୍ ଶିଳ୍ପମାନ ଗଢ଼ିଉଠିଛି। ଏତତ୍ ବ୍ୟତୀୟ ଅନେକ ଛୋଟ ମୋଟ ହୋଟେଲ ମଧ୍ୟ ଗଢ଼ି ଉଠିଛି। ଯେଉଁଠାରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ମଧ୍ୟ ରହିପାରୁଛନ୍ତି।
ଖୁଚୁରା ବ୍ୟବସାୟୀଙ୍କ ଲମ୍ବା ଧାଡ଼ି
ଗୋପାଳପୁର ବେଳାଭୂମି ଖୁଚୁରା ବ୍ୟବାସାୟୀ ଲମ୍ବା ଧାଡ଼ି ଦେଖିବାକୁ ମିଳେ। ଗୋପାଳପୁର ସହର ପ୍ରାରମ୍ଭରୁ ବେଳାଭୂମି ଯାଏଁ ଭଳି ଭଳିକି ଠେଲା ଗାଡ଼ିରେ ବିଭିନ୍ନ ବ୍ୟବସାୟ ହୋଇଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ। ଏଥିରେ ସାମୁଦ୍ରିକ ଖାଦ୍ୟ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚଟପଟି ଖାଦ୍ୟର ସମ୍ଭାର ଦେଖିବାକୁ ମିଳେ। ଏଥିଦ୍ୱାରା ଅନେକ ଛୋଟମୋଟ ବ୍ୟବସାୟୀ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି।
ବାତ୍ୟା ପରେ ବଦଳିଛି ଚିତ୍ର
କିଛିବର୍ଷ ଦଶନ୍ଧୀର ପୂର୍ବ ସ୍ଥିତିକୁ ଅନୁଧ୍ୟାନ କଲେ ଗୋପାଳପୁରରେ ଏତେଟା ହୋଟେଲ ଶିଳ୍ପର ବିକାଶ ହୋଇ ନ ଥିଲା। କାଁ ଭାଁ କିଛି ନାମିଦାମୀ ହୋଟେଲ ଗଢ଼ି ଉଠିଥିଲା। ହେଲେ ଫାଇଲିନ୍ ପ୍ରଭାବରେ ଅନେକ ହୋଟେଲ ଶିଳ୍ପ ମାଟିରେ ବିଲୀନ ହୋଇଗଲା। ବହୁ ହୋଟେଲର ଚିହ୍ନବର୍ଣ୍ଣ ରହିଲା ନାହିଁ। ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସମୟକ୍ରମେ ଅନେକ ବଡ଼ ବଡ଼ ହୋଟେଲ ଏଠାରେ ଗଢ଼ି ଉଠିଲା। ଯାହା ବର୍ତ୍ତମାନର ଆଗଧାଡ଼ିର ହୋଟେଲ ଭାବେ ଗଣାଯାଉଛି। ଅନ୍ୟପକ୍ଷରେ ଗୋପାଳପୁରରେ ହୋଟେଲ ଶିଳ୍ପ ଲାଗି ଅନେକ ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି। ଏଠାରେ ଭଲ ବ୍ୟବସାୟ ହେଉଥିବା ମଧ୍ୟ ନଜିର ରହିଛି। ହେଲେ ଗତ କିଛିବର୍ଷ ହେଲା ବିଦେଶୀ ପର୍ଯ୍ୟଟକ କମିଯିବା ଚିନ୍ତାର କାରଣ ହୋଇଛି।
ଉଦୟପୁରରୁ ତାଳସାରୀ
ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ଥିବା ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ରହିଛି କେବଳ ୮୧ କିଲୋମିଟର। ତା’ମଧ୍ୟରେ ରହିଛି ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି। ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାକୃତିକ ବେଳାଭୂମି ମଧ୍ୟରେ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚାନ୍ଦିପୁର, ଡଗରା, କଷାଫଳ ଓ ଦୁବଲାଗଡ଼ି ଆଦିରେ ବେଳାଭୂମି ବ୍ୟବସାୟର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଭୋଗରାଇ ବ୍ଲକରେ ରହିଛି ବିଶ୍ୱସ୍ତରୀୟ ପ୍ରାକୃତିକ ଉଦୟପୁର-ତାଳସାରୀ ବେଳାଭୂମି। ଉଦୟପୁର-ତାଳସାରୀ ବେଳାଭୂମିର ପ୍ରାକୃତିକ ପରିବେଶ ମଧ୍ୟରେ ସାମୁଦ୍ରିକ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ସୁଆଦିଆ ଖାଦ୍ୟର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ଏହାସହିତ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ବୋଟିଂ, ପାରା ଗ୍ଲାଇଡିଂ, ହର୍ସ ରାଇଡିଂ ଆଦି ଆନୁସଙ୍ଗିକ ବେଉସା କରି ଲୋକେ ରୋଜଗାରର ପନ୍ଥା ପାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଏବଂ ବଙ୍ଗୋପସାଗରର ସଙ୍ଗମସ୍ଥଳୀରେ ରହିଥିବା ବଚିତ୍ର ପ୍ରାକୃତିକ ସମ୍ଭାରରେ ଭରପୁର ବିଚିତ୍ରପୁର ମଧ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ସାରିଛି। ସୁବର୍ଣ୍ଣରେଖା ନଦୀକୂଳସ୍ଥ ଖଡ଼ିବିଲଠାରୁ ନୌକାବିହାର (ବୋଟିଂ) କରି ସମୁଦ୍ର ସଙ୍ଗମସ୍ଥଳୀ ପର୍ଯ୍ୟନ୍ତ ଯିବାକୁ ପର୍ଯ୍ୟଟକ ବେଶ୍ ପସନ୍ଦ କରୁଛନ୍ତି। ସଙ୍ଗମସ୍ଥଳୀରେ ବିସ୍ତୀର୍ଣ୍ଣ ବେଳାଭୂମିକୁ ବଣଭୋଜି କରିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଓଡ଼ିଶା ବନବିଭାଗ ପକ୍ଷରୁ ବିଚିତ୍ରପୁର ଇକୋ ଟୁରିଜିମ୍ କ୍ୟାମ୍ପ୍ରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ୍ର ବ୍ୟବସ୍ଥା ରହିଛି। ବାଲେଶ୍ୱର ସହରଠୁ ଅନତି ଦୂରରେ ଅବସ୍ଥିତ ଚାନ୍ଦିପୁର ଡିଆରଡିଓର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବେଳାଭୂମିରେ ଜୁଆର ସମୟରେ ସମୁଦ୍ରର ଲହରି କୂଳ ଛୁଉଁଥିବା ବେଳେ ଭଟ୍ଟା ଆସିଲେ ସମୁଦ୍ର ଗର୍ଭକୁ ୩ ରୁ ୫ କିଲୋମିଟର ପର୍ଯ୍ୟନ୍ତ ଲହରି ଉଭାନ ହୋଇଯାଇଥାଏ। ଏହି ବେଳାଭୂମିକୁ ନିଆରା ପରିଚୟ ରହୁଥିବାରୁ ଚାନ୍ଦିପୁରରେ ହୋଟେଲ ଶିଳ୍ପ ଗଢ଼ି ଉଠିଛି। ସେହିପରି ଡଗରା ବେଳାଭୂମି ପରିବେଶଗତ କାରଣରୁ ବିକାଶର ଛାପ ପଡ଼ିପାରୁ ନ ଥିବା ବେଳେ କଷାଫଳ ଓ ଦୁବଲାଗଡ଼ି ଆଦି ବେଳାଭୂମିରେ ଇକୋ-ଟୁରିଜିମ୍ ଶିଳ୍ପ ପର୍ଯ୍ୟଟକଙ୍କୁ ଧୀରେଧୀରେ ଆକର୍ଷିତ କରୁଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ପୁଞ୍ଜିନିବେଶ ହେଲେ ବେଳାଭୂମି ବେଉସାର ଅଭିବୃଦ୍ଧି ଘଟିବ।