ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ନିରାଶ୍ରୟ ଗାଈଗୋରୁଙ୍କ ଆଶ୍ରୟସ୍ଥଳ ପାଲଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଦନ୍ତାପାଲି ଗ୍ରାମରେ ଥିବା ‘ମାହେଶ୍ୱରୀ’ ଗୋଶାଳା ଏବଂ ଜରାଶ୍ରମ। କୃତିବାସ ପଲିଆ ଏବଂ ନିର୍ଗୁଣ ମହାକୁଡ଼ଙ୍କ ନିଜସ୍ୱ ପ୍ରଚେଷ୍ଟା ତଥା ଉପଦେଷ୍ଟା କେଦାରନାଥ ସାହୁଙ୍କ ପ୍ରେରଣାରେ ଏକ ଟ୍ରଷ୍ଟ ଗଠନ କରି ନିରାଶ୍ରୟ ଗାଈଗୋରୁଙ୍କ ସେବା କରାଯାଉଛି।
୨୦୨୦ ମସିହା ଜାନୁଆରୀ ୧ ତାରିଖରେ ନିରାଶ୍ରୟ ଗାଈଗୋରୁଙ୍କ ଆଶ୍ରୟ ପାଇଁ ମାହେଶ୍ୱରୀ ଗୋଶାଳା ଏବଂ ଜରାଶ୍ରମ ନାମକ ଥଇଥାନ କେନ୍ଦ୍ର ଆରମ୍ଭ ହୋଇଛି। ବର୍ତ୍ତମାନ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ଉପସ୍ଥିତି ଏକ ସାଧାରଣ ଦୃଶ୍ୟ ହୋଇଥିବା ବେଳେ, ଏମାନଙ୍କ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେବା ସହ ଅନେକ ସମୟରେ ସଡ଼କ ଦୁର୍ଘଟଣାମାନ ଘଟୁଛି। ବର୍ଦ୍ଧିତ ଜନସଂଖ୍ୟା ଏବଂ ଆଧୁନିକ ଚାଲିଚଳଣି ଯୋଗୁଁ ଗୁହାଳ ସଂଖ୍ୟା ଅତି ନଗଣ୍ୟ ଥିବାରୁ ନିରାଶ୍ରୟ ଗାଈଗୋରୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗୋସୁରକ୍ଷା ସହିତ ନିରାଶ୍ରୟ ଗୋରୁଗାଈଙ୍କ ଥଇଥାନ ଏବଂ ଗୋ ଆଧାରିତ କୁଟୀରଶିଳ୍ପ ମାଧ୍ୟମରେ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟ ନେଇ ଏହି ଦୁଇଜଣ ବ୍ୟକ୍ତି ଆରମ୍ଭ କରିଛନ୍ତି ଏହି ଥଇଥାନ ପ୍ରକଳ୍ପ। ଆରମ୍ଭରେ ଅଳ୍ପ କିଛି ବୁଲା ଗାଈଗୋରୁ ଏଠାରେ ଥଇଥାନ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରେ ୩୮୬ ନିରାଶ୍ରୟ ଗୋରୁଗାଈ ପ୍ରତିପାଳିତ ହେଉଥିଲେ। ଏଥିମଧ୍ୟରେ ବୌଦ୍ଧ ଏନ୍ଏସି ସହିତ ହୋଇଥିବା ଗୋଶାଳାର ବୁଝାମଣାପତ୍ର ପ୍ରକାରେ ସହରର ୧୫୦ ବୁଲା ଗାଈଗୋରୁ ଏବଂ ବିଭିନ୍ନ ସମୟରେ ବେଆଇନ ଗୋ ଚାଲାଣ ସମୟରେ ଉଦ୍ଧାର ହୋଇଥିବା କିଛି ଗାଈଗୋରୁ ରଖାଯାଇଛି। ସେଥି ମଧ୍ୟରୁ ଦୁଧିଆଳୀ ଗାଇ, ଛୁଆ, ବଛା ମିଶାଇ ୨୦୦ରୁ ଊର୍ଦ୍ଧ୍ବ ଗୋରୁଗାଇଙ୍କୁ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀଙ୍କୁ ସହମତି ଭିତ୍ତିରେ ପର୍ଯ୍ୟାୟକ୍ରମେ ବଣ୍ଟନ କରାଯାଇଥିବା ବେଳେ ବର୍ତ୍ତମାନ ଏଠାରେ ୧୬୨ ନିରାଶ୍ରୟ ଗାଈଗୋରୁ ପ୍ରତିପାଳିତ ହେଉଛନ୍ତି।
ସ୍ଥାନୀୟ ପୃଷ୍ଠାପୋଷକ ଭାଗ୍ୟଧର ମହାକୁଡ଼ଙ୍କ ଦ୍ୱାରା ପ୍ରଦତ୍ତ ୩.୫୫ ଏକର ଜମିରେ ପରିଚାଳିତ ଏହି କେନ୍ଦ୍ରରେ ଗାଈଗୋରୁଙ୍କ ପାଇଁ ଚାଳଛପର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ଏବଂ ୮ ଜଣ ଗୋସେବକ ସେବିକା ନିୟୋଜିତ ହୋଇଛନ୍ତି। ତେବେ ଏତେ ସଂଖ୍ୟକ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ, ପାରିଶ୍ରମିକ, ଗୋଖାଦ୍ୟ ଜନିତ ଆର୍ଥିକ ବୋଝ ଗୋଶାଳା ମୁଖ୍ୟଙ୍କ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରୁଛି। ଟ୍ରଷ୍ଟର ଶହେରୁ ଅଧିକ ସାଧାରଣସଦସ୍ୟଙ୍କ ସଭ୍ୟ ଚାନ୍ଦା ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଜେଣ ତେଣ ଗୋଶାଳାର ଦୈନନ୍ଦିନ ଖର୍ଚ୍ଚ ଭରଣା କରାଯାଉଛି। ଖର୍ଚ୍ଚ ତୁଳନାରେ କ୍ଷୀର, ଖତ ଇତ୍ୟାଦି ବିକ୍ରିରୁ ହେଉଥିବା ଆୟ ନଗଣ୍ୟ ବୋଲି କହନ୍ତି ଅନୁଷ୍ଠାନର ମୁଖ୍ୟ। ତେବେ ଏଠାରୁ ଗୋମୂତ୍ର ଏବଂ ଗୋବର ବିକ୍ରି ପାଇଁ ସୁନ୍ଦରଗଡ଼ର ଭୂମିଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ସହିତ ବୁଝାମଣାପତ୍ର ହୋଇଥିଲେ ହେଁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତାହା ସମ୍ଭବପର ହୋଇପାରୁନାହିଁ। ଆଗାମୀ ଦିନରେ ଗୋବରରୁ ଜିଆ ଖତ, ଗୋମୂତ୍ର ଫିନାଇଲ, ଜୈବିକ ସାର ଭଳି ଗୋଆଧାରିତ କୁଟୀର ଶିଳ୍ପ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନୁଷ୍ଠାନର ଯୋଜନା ଥିବା ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ଅନୁଦାନରେ ୬୮୦୦ ବର୍ଗ ଫୁଟ ପରିମିତ ଜାଗାରେ ୧୫୦ ଗୋରୁଙ୍କ ରହିବା କ୍ଷମତା ବିଶିଷ୍ଟ ଏକ ସ୍ଥାୟୀ ଗୋରୁ ଆଶ୍ରୟସ୍ଥଳୀ ବର୍ତ୍ତମାନ ନିର୍ମାଣାଧୀନ ରହିଛି। ଯାହା ବି ହେଉ ଭାରତୀୟ ସଂସ୍କୃତିରେ ଗୋମାତାର ଆଖ୍ୟା ପାଇଥିବା ଗୋରୁଗାଈ ନିରାଶ୍ରୟ ଏବଂ ଅବହେଳିତ ଅବସ୍ଥାରେ ଥିବାବେଳେ ଗୋସୁରକ୍ଷା ପାଇଁ ମାହେଶ୍ୱରୀ ଗୋଶାଳାର ଏଭଳି ମହତ ସୂତ୍ରପାତ ନିଶ୍ଚିତ ଭାବେ ଏକ ପ୍ରଶଂସଯୋଗ୍ୟ ପଦକ୍ଷେପ।